ଲିଥିଅମ୍, ଟାଇଟାନିୟମ୍ ପାଇଁ ୨୦ ଖଣିର ନିଲାମ ଆରମ୍ଭ: ତାଲିକାରେ ଓଡ଼ିଶାର ଖଣି – Utkal Mail
ନୂଆଦିଲ୍ଲୀ: ଲିଥିଅମ୍, କୋବାଲଟ ଏବଂ ଟାଇଟାନିୟମ ଭଳି ଖଣିଜ ପଦାର୍ଥ ଯୋଗାଣରେ ରହିଥିବା ଅଭାବକୁ ଦୂର କରିବା ଲାଗି କେନ୍ଦ୍ର ସରକାର ଗୁରୁତ୍ବପୂର୍ଣ୍ଣ ଖଣିଜର ନିଲାମ ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ମୋଟ ୨୦ଟି ଖଣି ନିଲାମ କରାଯିବ। ତାହାର ମିଳିତ ମୂଲ୍ୟ ୪୫,୦୦୦ କୋଟି ଟଙ୍କା ହେବ ବୋଲି କେନ୍ଦ୍ର ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି। ଉତ୍ତରପ୍ରଦେଶ, ଗୁଜରାଟ, ଝାଡ଼ଖଣ୍ଡ, ବିହାର, ଓଡ଼ିଶା, ତାମିଲନାଡୁ, ଛତିଶଗଡ଼ ଓ ଜମ୍ମୁ-କଶ୍ମୀରରେ ଏହି ୨୦ଟି ଖଣି ରହିଛି। ସେଥିମଧ୍ୟରୁ ୧୬ଟି ଖଣି ପାଇଁ କମ୍ପୋଜିଟ୍ ଲାଇସେନ୍ସ ପ୍ରଦାନ କରାଯିବ। ଅବଶିଷ୍ଟ ୪ଟି ଖଣି ପାଇଁ ଖଣି ଲାଇସେନ୍ସ ପ୍ରଦାନ କରାଯିବ। କମ୍ପୋଜିଟ୍ ଲାଇସେନ୍ସ ଅଧୀନରେ ଅନୁସନ୍ଧାନକୁ ଅନୁମତି ଦିଆଯାଇଛି।
ସର୍ବାଧିକ ରୟାଲ୍ଟି ହାର ଆଧାରରେ ବିଜେତା ସଂସ୍ଥା ଚୟନ କରାଯିବ। ଆଜିଠାରୁ ଟେଣ୍ଡର କାଗଜପତ୍ର ବିକ୍ରି ଆରମ୍ଭ ହୋଇଛି। ଆବେଦନ କରିବା ଲାଗି ଆଗ୍ରହୀ ସଂସ୍ଥାଗୁଡ଼ିକୁ ମନ୍ତ୍ରୀ ଶ୍ରୀ ଯୋଶୀ ଆହ୍ବାନ ଦେଇଛନ୍ତି। ଦେଶର ଅର୍ଥନୈତିକ ପ୍ରଗତି ଓ ଜାତୀୟ ସୁରକ୍ଷା ଦୃଷ୍ଟିରୁ ଏହି ଖଣିଜ ପଦାର୍ଥଗୁଡ଼ିକ ବେଶ ଗୁରୁତ୍ବପୂର୍ଣ୍ଣ। ଇଲେକ୍ଟ୍ରିକ୍ ଯାନରେ ବ୍ୟବହାର ହେଉଥିବା ଲିଥିଅମ-ଆୟନ ବ୍ୟାଟେରିରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ହେଉଛି ଲିଥିଅମ୍। କେବଳ ଇଭି ନୁହେଁ ମୋବାଇଲ୍ ଫୋନ୍ ଓ ବିଭିନ୍ନ ଉପକରଣରେ ମଧ୍ୟ ତାହା ବ୍ୟବହାର ହେଉଛି। ସୌରଶକ୍ତିକୁ ସଂରକ୍ଷିତ ରଖିବାରେ ମଧ୍ୟ ବ୍ୟାଟେରିର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି।