ଓଡିଶା

ଆସନ୍ତା ୫ ସୁଦ୍ଧା ଓଟିଏମ୍‌ ଅକ୍ତିଆରକୁ ନେବାକୁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ରାଜ୍ୟ ସରକାର ଓଟିଏମ ସମ୍ପତ୍ତି ଦଖଲକୁ ନେଉନାହାନ୍ତି । ଓଟିଏମ ସମ୍ପର୍କିତ ମାମଲାର ଶୁଣାଣି ସମୟରେ ଅଫିସିଆଲ ଲିକ୍ବି‌ଡେଟର ଶୁକ୍ରବାର ଏପରି ରିପୋର୍ଟ ହାଇକୋର୍ଟରେ ଉପସ୍ଥାପନ କରିଥିଲେ । ହାଇକୋର୍ଟ ଏହି ପ୍ରସଙ୍ଗକୁ ଗୁରୁତ୍ବର ସହିତ ଗ୍ରହଣ କରି ଡିସେମ୍ବର ୫ ତାରିଖ ଅପରାହ୍ନ ୪ଟା ସୁଦ୍ଧା ରାଜ୍ୟ ସରକାର ଓଟିଏମ୍ ଦଖଲକୁ ନେବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ବିଶ୍ବନାଥ ରଥଙ୍କୁ ‌ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି ।

ଓଟିଏମ୍‌ ସମ୍ପତ୍ତି ହସ୍ତାନ୍ତର ଓ ଦଖଲ ନେବା ପ୍ରସଙ୍ଗରେ ନିର୍ଦ୍ଦେଶ କାର୍ଯ୍ୟକାରୀ ନେଇ ଡିସେମ୍ବର ୬ ସୁଦ୍ଧା ସତ୍ୟପାଠ ଉଭୟ ପକ୍ଷ ଦାଖଲ କରିବେ । ଯଦି ଧାର୍ଯ୍ୟ ତାରିଖ ସୁଦ୍ଧା ଓଟିଏମ ହସ୍ତାନ୍ତର ଓ ଦଖଲ ନେବା ପ୍ରକ୍ରିୟା ‌ସଂପୂର୍ଣ୍ଣ ନ ‌ହୁଏ ତେବେ ଏ ବାବଦରେ ରାଜ୍ୟ ସରକାର ମାସିକ ୬ ଲକ୍ଷ ଟଙ୍କା ଖର୍ଚ୍ଚ ଦେବେ । ପ୍ରଥମେ ୬ ଲକ୍ଷ ଟଙ୍କା ଖର୍ଚ୍ଚ ଡିସେମ୍ବର ୬ ତାରିଖ ସୁଦ୍ଧା ରାଜ୍ୟ ସରକାର ହାଇକୋର୍ଟରେ ଜମା କରିବେ । ହାଇକୋର୍ଟ ଏପରି ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି ।

ଶୁକ୍ରବାର ମାମଲାର ଶୁଣାଣି ସମୟରେ ଅଫିସିଆଲ ଲିକ୍ବିଡେଟରଙ୍କ ପକ୍ଷରୁ ଦାଖଲ ରିପୋର୍ଟରେ ଦର୍ଶାଯାଇଥିଲା ଯେ, ନଭେମ୍ବର ୧୫ରେ ହାଇକୋର୍ଟ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ଓଟିଏମ୍ ବିକ୍ରୟ ପ୍ରସଙ୍ଗକୁ ଅନୁମୋଦନ କରିଥିଲେ । ରାଜ୍ୟ କର୍ତ୍ତୃପକ୍ଷଙ୍କ ଉପଯୁକ୍ତ ପ୍ରତିନିଧି ଓଟିଏମ ସମ୍ପତ୍ତି ଅଫିସିଆଲ ଲିକ୍ବିଡେଟରଙ୍କ ଠାରୁ ଦଖଲକୁ ନେବେ ବୋଲି ହାଇକୋର୍ଟ କହିଥିଲେ । ଓଟିଏମ ଦଖଲକୁ ନେବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିନିଧି ଯାଇଥିଲେ । କିନ୍ତୁ ରାଜ୍ୟ ସରକାରଙ୍କ ପ୍ରତିନିଧି ବିଭିନ୍ନ କାରଣ ଦର୍ଶାଇ ଓଟିଏମ୍ ହାତକୁ ନେଉନାହାନ୍ତି । ଓଟିଏମ ସମ୍ପତ୍ତିର ତାଲିକା ପ୍ରସ୍ତୁତ କରାଯିବା ପରେ ସମ୍ପତ୍ତି ଦଖଲକୁ ନିଆଯିବ ବୋଲି ରାଜ୍ୟ ସରକାରଙ୍କ ପ୍ରତିନିଧି କହିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button