ବ୍ୟବସାୟ

୯ ମାସରେ ଆସିଛନ୍ତି ୩୦ ହଜାର ବିଦେଶୀ ପର୍ଯ୍ୟଟକ, ୨୦୨୨ରେ ଆସିଥିଲେ ୧୦୩୪୬ – Utkal Mail


ଭୁବନେଶ୍ବର: ଓଡ଼ିଶାରେ ପର୍ଯ୍ୟଟକଙ୍କ ପାଇଁ ଅନେକ ଆକର୍ଷଣୀୟ ସ୍ଥାନ ରହିଛି। ପୁରୀର ସ୍ବର୍ଣ୍ଣିମ ବେଳାଭୂମି ଠାରୁ ଆରମ୍ଭ କରି କୋଣାର୍କ ମନ୍ଦିର, ‌ଖଣ୍ଡଗିରି, ଉଦୟଗିରି, ରତ୍ନଗିରି, ଧଉଳି ଭଳି ବୌଦ୍ଧ ସ୍ଥଳୀ, ଚିଲିକା ଏବଂ ଅଂଶୁପା ଭଳି ହ୍ରଦ, ହୀରାକୁଦ ଭଳି ବିଶାଳ ଡ୍ୟାମ ଆଦି ପର୍ଯ୍ୟଟକକୁ ଅନେକ ଦିନରୁ ଆକୃଷ୍ଟ କରିଆସୁଛି। କିନ୍ତୁ କରୋନା ମହାମାରୀ ଯୋଗୁ ପର୍ଯ୍ୟଟନ ଶିଳ୍ପ ଗଭୀର ଭାବେ ବାଧାପ୍ରାପ୍ତ ହୋଇଥିଲା। ଏଥିରେ ଏବେ ସୁଧାର ଆସିଛି।

ରାଜ୍ୟ ପର୍ଯ୍ୟଟନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କରୋନା ପାଇଁ ୨୦୨୧ ମସିହାର ଜାନୁଆରିରୁ ସେପ୍ଟେମ୍ବର ମଧ୍ୟରେ ମାତ୍ର ୭୮୮ ଜଣ ବିଦେଶୀ ପର୍ଯ୍ୟଟକ ଆସିଥିଲେ। କିନ୍ତୁ ୨୦୨୨ର ଉପରୋକ୍ତ ସମୟ ମଧ୍ୟରେ ଏମାନଙ୍କ ସଂଖ୍ୟା ୧୦୩୪୬ ଥିବାବେଳେ ଚଳିତବର୍ଷ ସେପ୍ଟେମ୍ବର ସୁଦ୍ଧା ଉକ୍ତ ସଂଖ୍ୟା ପ୍ରାୟ ୩୦ ହଜାର ( ୨୯୯୮୬)ରେ ପହଞ୍ଚିଛି। ୨୦୨୨ର ପ୍ରଥମ ୯ ମାସ ତୁଳନାରେ ୨୦୨୩ରେ ବିଦେଶୀ ପର୍ଯ୍ୟଟକଙ୍କ ଆଗମନରେ ୧୯୦ ପ୍ରତିଶତ ବୃଦ୍ଧି ଘଟିଛି। ଘରୋଇ ପର୍ଯ୍ୟଟକଙ୍କ ସଂଖ୍ୟା ଉପରେ ନଜର ପକାଇଲେ ଜଣାଯାଏ ଯେ ୨୦୨୧ର ପ୍ରଥମ ୯ ମାସରେ ରାଜ୍ୟକୁ ୨୦,୯୯,୧୪୭ ଜଣ ପର୍ଯ୍ୟଟକ ଆସିଥିଲେ। ୨୦୨୨ର ପ୍ରଥମ ୯ ମାସରେ ଏମାନଙ୍କ ସଂଖ୍ୟା ୫୫,୪୭,୩୨୮ ଏବଂ ୨୦୨୩ର ପ୍ରଥମ ୯ ମାସରେ ଉକ୍ତ ସଂଖ୍ୟା ୭୧,୦୦,୯୪୫ ପହଞ୍ଚିଛି। ୨୦୨୦ ତୁଳନାରେ ୨୦୨୧ରେ ଘରୋଇ ପର୍ଯ୍ୟଟକଙ୍କ ସଂଖ୍ୟା ୪୫ ପ୍ରତିଶତ ହ୍ରାସ ପାଇଥିବାବେଳେ ୨୦୨୨ରେ ଏହା ୧୬୪ ପ୍ରତିଶତ ଏବଂ ୨୦୨୩ରେ ୨୮ ପ୍ରତିଶତ ବୃଦ୍ଧି ଘଟିଛି।
ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ଉପରେ ଦୃଷ୍ଟି ପକାଇଲେ ଜଣାଯାଇଛି ଯେ ରାଜ୍ୟକୁ ମୁଖ୍ୟତଃ ବ୍ରିଟେନ, ଯୁକ୍ତରାଷ୍ଟ୍ର ଆମେରିକା, ଫ୍ରାନ୍ସ, ଇଟାଲୀ, ଜାପାନ, ଜର୍ମାନୀ, ଅଷ୍ଟ୍ରେଲିଆ, ନେଦରଲାଣ୍ଡ୍‌ସ, ସ୍ବିଜରଲାଣ୍ଡ୍‌ ଓ ଦକ୍ଷିଣ କୋରିଆରୁ ଅଧିକ ପର୍ଯ୍ୟଟକ ଆସିଛନ୍ତି। ସରକାରଙ୍କ ତଥ୍ୟ ଅନୁଯାୟୀ, ୨୦୨୩ର ଜାନୁଆରିରୁ ସେପ୍ଟେମ୍ବର ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକାରୁ ସର୍ବାଧିକ ୪୧୦୬ ଜଣ ପର୍ଯ୍ୟଟକ ଆସିଛନ୍ତି। ଏହା ପଛକୁ ଜାପାନରୁ ୨୭୧୫ ଜଣ, ଫ୍ରାନ୍ସରୁ ୨୩୩୫ ଜଣ, ଜର୍ମାନୀରୁ ୨୧୫୫ ଜଣ, ବ୍ରିଟେନରୁ ୧୯୬୩ ଜଣ, ଅଷ୍ଟ୍ରେଲିଆରୁ ୧୩୯୯ ଜଣ, ନେଦରଲାଣ୍ଡ୍‌ସରୁ ୧୧୦୯ ଜଣ, ଦକ୍ଷିଣ କୋରିଆରୁ ୮୬୧ ଜଣ ଏବଂ ସ୍ବିଜରଲାଣ୍ଡ୍‌ରୁ ୩୫୩ ଜଣ ପର୍ଯ୍ୟଟକ ଆସିଛନ୍ତି। ତେବେ ୨୦୨୧ ସେପ୍ଟେମ୍ବରରେ ଓଡ଼ିଶାକୁ ମାତ୍ର ୧୨୮ ଜଣ ବିଦେଶୀ ପର୍ଯ୍ୟଟକ ଆସିଥିବାବେଳେ ୨୦୨୨ ସେପ୍ଟେମ୍ବରରେ ୨୦୬୬ ଜଣ ଏବଂ ୨୦୨୩ ସେପ୍ଟେମ୍ବରରେ ୨୫୩୨ ଜଣ ବିଦେଶୀ ପର୍ଯ୍ୟଟକ ଆସିଛନ୍ତି।

ହାରୋ ଅଧ୍ୟକ୍ଷ ଜେକେ ମହାନ୍ତିଙ୍କ କହିବାନୁଯାୟୀ, କରୋନା ପରେ ରାଜ୍ୟକୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସାଧାରଣତଃ ‌ଜଣେ ବିଦେଶୀ ପର୍ଯ୍ୟଟକ ଦିନକରେ ୫୦୦ ଡଲାର ଖର୍ଚ୍ଚ କରନ୍ତି। ତେଣୁ ଯେତେ ଅଧିକ ବିଦେଶୀ ପର୍ଯ୍ୟଟକ ଆସିବେ ରାଜ୍ୟକୁ ସେତେ ଅଧିକ ବିଦେଶୀ ମୁଦ୍ରା ଆସିବ। ଏଥିସହିତ ଚଳିତ ଶୀତଦିନେ ପୂର୍ବାପେକ୍ଷା ଅଧିକ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ଆସିବା ନେଇ ଆଶା କରାଯାଉଛି ବୋଲି ସେ ମତ ଦେଇଛନ୍ତି।
ପର୍ଯ୍ୟଟନ ଅର୍ଥନୀତିର ବିକାଶରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏହି କ୍ଷେତ୍ର ଦ୍ବାରା ଅଧିକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ରହିଥାଏ। ତେଣୁ ଅଧିକାଂଶ ରାଜ୍ୟ ଏବଂ ଦେଶ ପର୍ଯ୍ୟଟନର ବିକାଶ ଉପରେ ଗୁରୁତ୍ବ ଦେଇଥାନ୍ତି। ବିଶେଷକରି ବିଦେଶୀ ପର୍ଯ୍ୟଟକ ଆସିଲେ ଦେଶ ବା ରାଜ୍ୟକୁ ବିଦେଶୀ ମୁଦ୍ରା ଆସିଥାଏ। ଏଥିପାଇଁ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ପର୍ଯ୍ୟଟନ ଶିଳ୍ପ ଉଦ୍ୟମ କରିଥାଏ। ହୋଟେଲ ଠାରୁ ଆରମ୍ଭ କରି ବିମାନସେବା ପ୍ରଦାନକାରୀ କମ୍ପାନି, ଟୁର୍ ଅପରେଟର, ସ୍ଥାନୀୟ ବ୍ୟବସାୟୀ ଆଦି ଲାଭବାନ ହୋଇଥାନ୍ତି। ତେଣୁ ଘରୋଇ ପର୍ଯ୍ୟଟକଙ୍କ ସମେତ ବିଦେଶୀ ପର୍ଯ୍ୟଟକମାନେ ଯେଭଳି ଅଧିକରୁ ଅଧିକ ସଂଖ୍ୟାରେ ରାଜ୍ୟକୁ ଆସିବେ ତାହା ଉପରେ ସରକାର ଧ୍ୟାନ ଦେବା ଉଚିତ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।




Related Articles

Leave a Reply

Your email address will not be published. Required fields are marked *

Back to top button