ଷ୍ଟକ୍ବଜାରରେ ଉତ୍ସବ: ରେକର୍ଡ ସ୍ତରରେ ସେନ୍ସେକ୍ସ, ନିଫ୍ଟି – Utkal Mail
ମୁମ୍ବାଇ: ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ବିଜେପିର ବିପୁଳ ବିଜୟ ଉତ୍ସବକୁ ନିବେଶକମାନେ ଆଜି ଷ୍ଟକ ବଜାରରେ ପାଳନ କରିଛନ୍ତି। ଦେଶର ଦୁଇ ପ୍ରମୁଖ ଷ୍ଟକ ବଜାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ୍ରେ ନିବେଶକମାନେ ମନଖୋଲା କାରବାର କରିବାରୁ ଉଭୟ ବଜାରର ସୂଚୀ ରେକର୍ଡ ଉଚ୍ଚ ସ୍ତରରେ ପହଞ୍ଚିଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍ର ସେନ୍ସେକ୍ସ ଆଜି ୧୩୮୩.୯୩ ପଏଣ୍ଟ୍ ବୃଦ୍ଧି ପାଇ ୬୮,୮୬୫ ପଏଣ୍ଟ୍ରେ ବନ୍ଦ ହୋଇଛି। ପ୍ରଥମ ଥର ଲାଗି ସେନ୍ସେକ୍ସ ୬୮ ହଜାର ପଏଣ୍ଟ ସ୍ତର ଅତିକ୍ରମ କରିଛି। ସେହିପରି, ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ଆଜି ୪୧୮.୯୦ ପଏଣ୍ଟ ବୃଦ୍ଧି ପାଇ ୨୦,୬୮୬.୮୦ ପଏଣ୍ଟରେ ବନ୍ଦ ହୋଇଛି।
ବିଶେଷଜ୍ଞଙ୍କ ମତରେ ତିନିଟି କାରଣ ଲାଗି ଆଜି ଷ୍ଟକ୍ ବଜାରରେ ଉତ୍ସାହଜନକ କାରବାର ରହିଥିଲା। ଗୋଟିଏ ପଟେ ଦେଶ ଭିତରେ ବିଜେପି ତିନି ରାଜ୍ୟର ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିବା ବେଳେ ଆନ୍ତର୍ଜାତିକ ସ୍ତରରେ ସୁଧ ହାର କମିବା ଓ ଅଶୋଧିତ ତୈଳ ଦରରେ ହ୍ରାସ ଭଳି ଖବର ଆଗକୁ ଭଲ ଦିନ ଆସୁଥିବାର ସଙ୍କେତ ଦେଇଛି। ସେଥିପାଇଁ ନିବେଶକମାନେ ଉତ୍ସାହିତ ହୋଇ ବିଭିନ୍ନ କଂପାନିର ସେୟାର କିଣିଛନ୍ତି। ସେନ୍ସେକ୍ସରେ ଆଜି ଘଟିଥିବା ବୃଦ୍ଧି ପ୍ରଭାବରେ ନିବେଶକମାନଙ୍କ ସମ୍ପତ୍ତିରେ ୫.୮ ଲକ୍ଷ କୋଟି ଟଙ୍କାର ବୃଦ୍ଧି ହୋଇଛି। ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ ସେନ୍ସେକ୍ସରେ ଆରମ୍ଭ ହୋଇଥିବା ବୃଦ୍ଧିର ଧାରା ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଜାରି ରହିବ। ପ୍ରତିରକ୍ଷା ଓ ରେଳବାଇ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥାଗୁଡ଼ିକ ଅଧିକ ଉପକୃତ ହେବେ।
ଆଜିର କାରବାର ବେଳେ ଫାର୍ମା ଓ ଗଣମାଧ୍ୟମ କ୍ଷେତ୍ରର କଂପାନିଗୁଡ଼ିକୁ ବାଦ ଦେଲେ ଅନ୍ୟ ସବୁ କ୍ଷେତ୍ରର କଂପାନିଗୁଡ଼ିକର ସେୟାର ମୂଲ୍ୟ ବଢ଼ିଥିଲା। ବ୍ୟାଙ୍କ ଓ ଆର୍ଥିକ ସେବା, ତୈଳ ଓ ଗ୍ୟାସ କ୍ଷେତ୍ରର କଂପାନିଗୁଡ଼ିକର ପ୍ରଦର୍ଶନ ଭଲ ରହିଥିଲା। କଂପାନିଗୁଡ଼ିକ ମଧ୍ୟରେ ଆଇସର୍ ମୋଟର୍ସ, ଆଦାନି ପୋର୍ଟସ, ବିପିସିଏଲ, ଆଇସିଆଇସିଆଇ ବ୍ୟାଙ୍କର ସେୟାର ମୂଲ୍ୟ ବଢ଼ିଥିବା ବେଳେ ଏଚଡିଏଫସି ଲାଇଫ, ବ୍ରିଟାନିଆ, ଏଚସିଏଲ ଟେକ୍, ସନ ଫାର୍ମା ଓ ୱିପ୍ରୋର ସେୟାର ମୂଲ୍ୟ କମ୍ ହୋଇଛି।