ବ୍ୟବସାୟ

ନିଶା ହେଲା ପେସା: ହାତବୁଣା ଖେଳନାରୁ ୬୬ ଲକ୍ଷ ଆୟ କରୁଛନ୍ତି ଗେନ୍ନା – Utkal Mail


ଜଣେ ମହିଳା ହାତବୁଣା ଖେଳନା ବିକି ବର୍ଷକରେ ଅଧକୋଟିରୁ ଅଧିକ ଟଙ୍କା ରୋଜଗାର କରିଛନ୍ତି। ଆମେରିକାର ମିସିସିପିରେ ରହୁଥିବା ଗେନ୍ନା ଟାଟୁ ନାମ୍ନୀ ୨୬ ବର୍ଷୀୟା ଯୁବତୀ ନିଜ ହାତରେ ଏପରି ଦାମୀ ଖେଳନା ବୁଣି ସେଗୁଡ଼ିକୁ ବିକ୍ରି କରୁଛନ୍ତି। ତେବେ ଏଥିରୁ ସେ ବାର୍ଷିକ ୬୬ ଲକ୍ଷ ଟଙ୍କା ଆୟ କରୁଛନ୍ତି ବୋଲି ସେ ଦାବି କରିଛନ୍ତି। ତାଙ୍କର ଏହି ସୃଜନଶୀଳ ଯାତ୍ରା ମାତ୍ର ଦୁଇ ବର୍ଷ ତଳେ ଆରମ୍ଭ ହୋଇଥିଲା। ତାଙ୍କ ୭୫ ବର୍ଷୀୟା ମାଆ ତାଙ୍କୁ ବଡ଼ଦିନ ଉପହାର ସ୍ବରୂପ ଏକ ହାତବୁଣା ସରଞ୍ଜାମ (କ୍ରୋସେ କିଟ୍‌) ଦେଇଥିଲେ। ପୂର୍ବରୁ ଆଦୌ ବୁଣାବୁଣି ଶିଖିନଥିବା ଗେନ୍ନା ସେଥିରେ ସପ୍ତାହକୁ ୨୦ ଘଣ୍ଟା ମନୋନିବେଶ କରି ବୁଣାବୁଣି କଳାରେ ନିପୁଣା ହୋଇଯାଇଥିଲେ।

ସେ ରଙ୍ଗବେରଙ୍ଗ ସୂତା ଓ ଉଲ୍‌ ବୁଣି ଫୁଲଫଳଠାରୁ ଆରମ୍ଭ କରି ଜୀବଜନ୍ତୁ ଯାଏ ବିଭିନ୍ନ ଆକୃତିର ଖେଳନା ଗଢ଼ିଲେ। ତେବେ ତାଙ୍କର ଏହି ନିଶାକୁ ସେ ପେସାରେ ପରିଣତ କରିବାକୁ ମନସ୍ଥ କରି ନୂଆ ନୂଆ ଶୈଳୀର ଖେଳନାମାନ ବୁଣିଥିଲେ। ଲୋକପ୍ରିୟତା ଅନୁସାରେ ସେ ଉକ୍ତ ଖେଳନାଗୁଡ଼ିକର ମୂଲ୍ୟ ୧୦ ଡଲାରରୁ ଆରମ୍ଭ କରି ୨୦୦ ଡଲାର ଯାଏ ଧାର୍ଯ୍ୟ କରିଥିଲେ। ତେବେ ତାଙ୍କ ଖେଳନାଗୁଡ଼ିକର ଚାହିଦାକୁ ଲକ୍ଷ୍ୟ କରି ସେ ନିଜେ ତାହାର ବ୍ୟବସାୟ କରିବାକୁ ନିଷ୍ପତ୍ତି ନେଇଥିଲେ। ତେଣୁ ସେ ‘କ୍ରୋସେ ବାଇ ଗେନ୍ନା’ ନାମରେ ଏକ କମ୍ପାନି ଖୋଲି ବିଭିନ୍ନ ସ୍ଥାନରୁ ବରାଦ ମଧ୍ୟ ନେଲେ। ଏବେ ସେ ଆଉ ନିଜ ଇଚ୍ଛାରେ କୌଣସି ଖେଳନା ପ୍ରସ୍ତୁତ ନକରି ବରାଦ ମୁତାବକ ଖେଳନା ବୁଣିବାରେ ସଂପୂର୍ଣ୍ଣ ସମୟ ଦେଉଛନ୍ତି। ନିଜର ଏହି ଦକ୍ଷତା ବଳରେ ସେ ଆଜି ଆତ୍ମନିର୍ଭରଶୀଳ ହେବା ସହ ଆଶାତୀତ ରୋଜଗାର ମଧ୍ୟ କରୁଛନ୍ତି।




Related Articles

Leave a Reply

Your email address will not be published. Required fields are marked *

Back to top button