ଓଡିଶା

ଜବରଦଖଲ କରିବାକୁ ନେଇ ସିଭିଲ୍ ସୋସାଇଟି ପକ୍ଷରୁ ଅଭିଯୋଗ

ବାଲେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ବାଲେଶ୍ୱର ସହରକୁ ଏକ ମୁଖ୍ୟ ପ୍ରବେଶ ଓଟି ରୋଡ଼କୁ ତାମୁଳିଆ ଠାରୁ ଷ୍ଟେସନ ଛକ ପର୍ଯ୍ୟନ୍ତ ସଂପ୍ରସାରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ୯କୋଟି ୯୭ ଲକ୍ଷ ଟଙ୍କାର ଅଟକଳ ଧାର୍ଯ୍ୟ କରାଯାଇ ପ୍ରାୟ ଗତ ସାତମାସ ତଳେ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି । ଏତତ୍‌ଭିନ୍ନ ରାସ୍ତା ପାଶ୍ୱର୍ରୁ ଗଛ କାଟିବା ଓ ବିଦ୍ୟୁତ୍‌ଖୁଣ୍ଟ ସ୍ଥାନାନ୍ତରୀକରଣ ବାବଦକୁ ୧କୋଟି ୭୦ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି । ଏଥିପାଇଁ ଠିକାଦାରଙ୍କୁ କାର୍ଯ୍ୟାଦେଶ ଦିଆଯାଇଛି । ସେହିପରି ତାମୁଳିଆ ଫ୍ଲାୟ ଓଭରବ୍ରିଜ୍‌ଠାରୁ ସେହି ଓ.ଟି. ରୋଡ଼୍ କୁରୁଡ଼ା ପର୍ଯ୍ୟନ୍ତ ସଂପ୍ରସାରଣ କାର୍ଯ୍ୟପାଇଁ ୩ କୋଟି ୮୦ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ଠିକାଦାରଙ୍କୁ ଦିଆଯାଇଛି । ଏହି ସଂପ୍ରସାରଣ ଓ ଉନ୍ନତିକରଣ ମଧ୍ୟରେ ଉଭୟ ପଟକୁ ପ୍ରାୟ ୧୧ଫୁଟ ରାସ୍ତା ସଂପ୍ରସାରଣ ସହ ପାଦଚଲାରାସ୍ତା, ସର୍ଭିସ୍ ରୋଡ଼୍‌, ଡ୍ରେନ୍ ଓ ବ୍ୟବସାୟୀଙ୍କ ପାଇଁ ଭେଣ୍ଡିଂଜୋନ୍ ନିର୍ମାଣ ପାଇଁ ଯୋଜନା ଓ ଅଟକଳ କରାଯାଇଛି । କିନ୍ତୁ ରାସ୍ତାପାଶ୍ୱର୍ରେ ଜବରଦଖଲ କରିଥିବା କେତେକ ପ୍ରଭାବଶାଳୀ ବ୍ୟକ୍ତି ଏହି କାର୍ଯ୍ୟକୁ ଅଟକାଉଥିବାର ସିଭିଲ୍ ସୋସାଇଟି ପକ୍ଷରୁ ଅଭିଯୋଗ କରାଯାଇଛି । ବୁଧବାରଦିନ ଅପରାହ୍ନରେ ପଢ଼ୁଆଁପଦାସ୍ଥିତ ଉଠା ଜଳସେଚନ କର୍ମଚାରୀ ଭବନରେ ସିଭିଲ୍ ସୋସାଇଟିର ଏକ ବୈଠକ ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ରାସ୍ତା ସଂପ୍ରସାରଣ କାର୍ଯ୍ୟର ମନ୍ଥରତା ଓ ନିମ୍ନମାନର କାର୍ଯ୍ୟ ସଂପର୍କରେ ଗୁରୁତର ଅଭିଯୋଗ କରାଯାଇଛି । ପ୍ରଭାବଶାଳୀ ବ୍ୟକ୍ତିଙ୍କ ଜବରଦଖଲକୁ ସୁରକ୍ଷା ଦେଇ ସଂପ୍ରସାରଣ କାର୍ଯ୍ୟ କରାଇନେବାକୁ ସରକାରୀସ୍ତରରେ ଏକ ଚକ୍ରାନ୍ତ କରାଯାଉଥିବାର ଅଭିଯୋଗ ହୋଇଛି । ଧାର୍ଯ୍ୟ କାର୍ଯ୍ୟ ଓ ଅଟକଳ ଅର୍ଥକୁ ସଠିକ୍ ବିନିଯୋଗ ନିମିତ୍ତ ସିଭିଲ୍ ସୋସାଇଟିର ବୈଠକରେ ଦାବି କରାଯାଇଛି । ଏହି ଅଭିଯୋଗକୁ ଲିଖିତଭାବେ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଜଣାଇବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସରକାରୀ ଅର୍ଥ ସଠିକ୍ ବିନିଯୋଗ ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯିବ । ବିଭାଗୀୟ ଇଂଜିନିୟର ଓ ଅଧିକାରୀମାନଙ୍କୁ ନୂତନ ଜିଲ୍ଲାପାଳ ଆବଶ୍ୟକୀୟ ନିର୍ଦ୍ଦେଶ ଦେଲେ ସଠିକ୍ ମାନର କାର୍ଯ୍ୟ ସଂପାଦନ ହେବ ବୋଲି କମିଟି ଆଶା ପୋଷଣ କରିଛି । ଏହି ବୈଠକରେ ସୋସାଇଟିର ସଂପାଦକ ତଥା ଆଇନଜୀବୀ ମନୋଜ ନାୟକ, ସେକ୍ ଅବଦୁଲ୍ ରଫିକ୍‌, ଗୌରାଙ୍ଗ ପାଣିଗ୍ରାହୀ, ସୀତାରାମ ପ୍ରଧାନ, ସଂଜିତ୍ ପତି, ବିଜୟ କୁମାର ବେହେରା, ଜ୍ଞାନାନନ୍ଦ ମିଶ୍ର, ଶ୍ୟାମସୁନ୍ଦର ଜେନା, ଭରତ ଚନ୍ଦ୍ର ସେଠୀ, ଶରତ ଚନ୍ଦ୍ର ଦଳାଇ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପୂର୍ଣ୍ଣଚନ୍ଦ୍ର ପାତ୍ର ଧନ୍ୟବାଦ ଦେଇଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button