ଅପରାଧ ନିୟନ୍ତ୍ରଣ ପାଇଁ ନୂଆ ନକ୍ସା: ଅପରାଧୀ ଚିହ୍ନଟ ପାଇଁ ପ୍ରତିଥାନାରେ ଫିଙ୍ଗରପ୍ରିଣ୍ଟ ଡିଭାଇସ୍ – Utkal Mail
ସିସିଟିଭିରେ ଯୋଡ଼ିହେବ ସାରା ସହର
ଭୁବନେଶ୍ବର: କେତେବେଳେ ଘରେ ପଶି କଳାକନା ବୁଲାଇଲେଣି ତ କାହାକୁ ରାସ୍ତାରେ ଆକ୍ରମଣ କରି ସୁନାଗହଣା ଛଡ଼ାଇନେଲେଣି। କେଉଁଠି ଏଟିଏମ୍ ତାଡ଼ି ଟଙ୍କା ନେଇଗଲେଣି ତ କେଉଁଠି ଦାଦାବଟି ମାଗି ଆତଙ୍କ ଖେଳାଇଲେଣି। କିଛିଦିନ ହେବ ରାଜଧାନୀରେ ଅପରାଧୀଙ୍କ ଏଭଳି ଉପଦ୍ରବ କମିସନରେଟ୍ ପୁଲିସର ନିଦ ହଜାଇଦେଇଛି। ଏହାଭିତରେ ପୁଲିସ ଏକାଧିକ ଲୁଟେରା ଗ୍ୟାଙ୍ଗ ଓ କୁଖ୍ୟାତ ଅପରାଧୀଙ୍କୁ ବାନ୍ଧି ଜେଲ୍ ପଠାଇଲାଣି। ତା’ପରେ ମଧ୍ୟ ଅପରାଧୀଙ୍କ ପ୍ରାଦୁର୍ଭାବ କମୁନାହିଁ। ପୁଣି ଆଗକୁ ନୂଆବର୍ଷ ପାଇଁ ସହର ଉତ୍ସବମୁଖର ରହିବ। ପର୍ଯ୍ୟଟସ୍ଥଳିରେ ପର୍ଯ୍ୟଟକଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ଭିଡ଼ ହେବ। ତେଣୁ ଏହି ସମୟରେ ଅପରାଧୀ ସୁଯୋଗ ନେଇ ଆହୁରି ଅଧିକ କାଣ୍ଡ ଘଟାଇବା ଆଶଙ୍କା ରହିଛି। ତେଣୁ ସେମାନଙ୍କୁ ସାବାଡ଼୍ କରିବାଲାଗି କମିସନରେଟ୍ ପୁଲିସ ପ୍ଲାନ-ବି ପ୍ରସ୍ତୁତ କରିଛି। ଡିସିପି ପ୍ରତୀକ ସିଂହ ଏହି ନୂଆ ନକ୍ସା ପ୍ରସ୍ତୁତ କରି ଥାନା ଅଧିକାରୀଙ୍କଠାରୁ ଜୋନ୍ ଏସିପିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ହାଇ ଆଲର୍ଟ ରହିବାକୁ ସତର୍କ କରିଛନ୍ତି।
ଏଥିପାଇଁ ପ୍ରତିଥାନାକୁ ଏକ ସ୍ବତନ୍ତ୍ର ଡିଭାଇସ୍ ଦିଆଯାଇଛି। ଯେଉଁଥିରେ ଫିଙ୍ଗରପ୍ରିଣ୍ଟ, ଆଖିଡ଼ୋଳା, ମୁହଁ ଓ ପାପୁଲିରୁ ଅପରାଧୀଙ୍କୁ ଚିହ୍ନଟ କରିହେବ। କ୍ଷଣିକରେ ସେମାନଙ୍କ ଅପରାଧିକ ଇତିହାସ ଦର୍ଶାଇବ। ଫଳରେ ଆଉ ସନ୍ଦିଗ୍ଧ ଖସିପାରିବେ ନାହିଁ। ଏହାଛଡ଼ା ସହରର ବିଭିନ୍ନ ସ୍ଥାନରେ ଥିବା ବିଏସ୍ସିଏଲ୍, ଟ୍ରାଫିକ୍ ସିସିଟିଭି ସହ ଘରୋଇ ଅନୁଷ୍ଠାନ ଓ ଆବାସିକ ସିସିଟିଭିରୁ ମଧ୍ୟ ସନ୍ଦିଗ୍ଧଙ୍କ ଉପରେ ନଜର ରଖାଯିବ। ଏଥିପାଇଁ ୟୁନିଫାଏଡ୍ ଇଣ୍ଟିଗ୍ରେଟେଡ୍ କମାଣ୍ଡ କଣ୍ଟ୍ରୋଲ୍(ୟୁଆଇସିସି) ବ୍ୟବସ୍ଥା ଲାଗୁ କରାଯାଇଛି। ଜଣେ ଅତିରିକ୍ତ ଡିସିପିଙ୍କ ନେତୃତ୍ବରେ ଏସିପି ଓ ଆଇଆଇସି ସ୍ତରର ଅଧିକାରୀ ତା’ଦାୟିତ୍ବରେ ରହିବେ। ପୁଲିସ ମୁଖ୍ୟାଳୟରେ ଥିବା ଏହାର କାର୍ଯ୍ୟାଳୟରୁ ସହର ଉପରେ ନଜର ରଖାଯିବ। ସେହିପରି ଅଭ୍ୟାସଗତ ଅପରାଧୀ ଓ ଏନ୍ବିଡବ୍ଲୁଙ୍କ ତାଲିକା ମଧ୍ୟ କରାଯାଉଛି।