ବ୍ରାଣ୍ଡ୍ସ ଅଫ୍ ଓଡ଼ିଶା, ପ୍ରାଇଡ୍ ଅଫ୍ ଇଣ୍ଡିଆ: ଆବେଦନ ପ୍ରକ୍ରିୟା ଆରମ୍ଭ – Utkal Mail
ସପ୍ତମ ସଂସ୍କରଣ ଲୋଗୋ ଉନ୍ମୋଚିତ
ଭୁବନେଶ୍ବର: ରାଜ୍ୟର ଏକ ନମ୍ବର ସମ୍ବାଦପତ୍ର ‘ସମ୍ବାଦ’ ପକ୍ଷରୁ ‘ବ୍ରାଣ୍ଡ୍ସ ଅଫ୍ ଓଡ଼ିଶା, ପ୍ରାଇଡ୍ ଅଫ୍ ଇଣ୍ଡିଆ, ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍ ୨୦୨୪’ର ସପ୍ତମ ସଂସ୍କରଣ ଘୋଷଣା କରାଯାଇଛି। ଆଜି ସମ୍ବାଦ ଭବନରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହାର ଲୋଗୋ ଉନ୍ମୋଚନ କରାଯାଇଛି। ‘ସମ୍ବାଦ’ର ସମ୍ପାଦକ ତନୟା ପଟ୍ଟନାୟକ ଓ ସମ୍ବାଦ ଗ୍ରୁପ୍ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ ନୂଆ ଲୋଗୋକୁ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ‘ସମ୍ବାଦ’ର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଓଡ଼ିଶାରୁ ଜନ୍ମ ହୋଇ ଦେଶବିଦେଶରେ ସୁନାମ ଅର୍ଜନ କରିଥିବା ବ୍ରାଣ୍ଡ୍ଗୁଡ଼ିକୁ ସମ୍ବର୍ଦ୍ଧିତ କରିବା ହେଉଛି ଏହି ପୁରସ୍କାରର ମୂଳ ଲକ୍ଷ୍ୟ। ଆଜି ଲୋଗୋ ଉନ୍ମୋଚନ ସହ ଏହି ସମ୍ମାନଜନକ ପୁରସ୍କାର ଲାଗି ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ପାଞ୍ଚଟି ବର୍ଗ-କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (ସିଏସ୍ଆର୍), ବୃହତ୍ (ଲାର୍ଜ), ମଧ୍ୟମ (ମିଡିଅମ୍), କ୍ଷୁଦ୍ର (ସ୍ମଲ୍) ଏବଂ ଇମର୍ଜିଂ/ ଷ୍ଟାର୍ଟଅପ୍ରେ ଆବେଦନ ଆହ୍ବାନ କରାଯାଇଛି। ପ୍ରତି ବର୍ଗରେ ପ୍ଲାଟିନମ୍, ଗୋଲ୍ଡ ଓ ସିଲ୍ଭର୍ ଭଳି ତିନିଟି ପୁରସ୍କାର ପ୍ରଦାନ କରାଯିବ। ଆଗ୍ରହୀ ସଂସ୍ଥାଗୁଡ଼ିକ www.sambadawards.comରେ ଅନଲାଇନ୍ରେ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ହେଉଛି ୨୦୨୪ ଜାନୁଆରି ୯ । ଆବେଦନଗୁଡ଼ିକୁ ଏକ ସ୍ବାଧୀନ ଓ ନିରପେକ୍ଷ ବିଚାରକ ମଣ୍ଡଳୀ ତର୍ଜମା କରି ବିଜେତା ଚୟନ କରିବେ। ବିଚାରକ ମଣ୍ଡଳୀଙ୍କ ନିଷ୍ପତ୍ତି ହେଉଛି ଚୂଡ଼ାନ୍ତ। ୨୦୨୪ ଜାନୁଆରି ୨୪ରେ ଭୁବନେଶ୍ବରରେ ଏକ ଭବ୍ୟ ସମାରୋହରେ ବିଜେତାମାନଙ୍କୁ ପୁରସ୍କୃତ କରାଯିବ।
ଆବେଦନକାରୀ ସଂସ୍ଥା ଓ କଂପାନିଗୁଡ଼ିକ ନିଜ ପସନ୍ଦର ବର୍ଗ ଚୟନ କରି ଯୋଗ୍ୟତାର ମାନଦଣ୍ଡ ଆଧାରରେ ଏହି ପୁରସ୍କାର ଲାଗି ଆବେଦନ କରିପାରିବେ। ଏହି ପୁରସ୍କାର ଲାଗି ଆବେଦନ କରିବା ପାଇଁ କଂପାନିର ମୁଖ୍ୟ କାର୍ଯ୍ୟାଳୟ ଓଡ଼ିଶାରେ ରହିଥିବା ଦରକାର। କଂପାନିର ଉତ୍ପାଦ କିମ୍ବା ସେବା ଓଡ଼ିଶା ବାହାରେ ମଧ୍ୟ ଉପଲବ୍ଧ ହେଉଥିବ। କଂପାନି ଅତିକମ୍ରେ ତିନି ବର୍ଷ କାର୍ଯ୍ୟ କରିଥିବ। ଯେଉଁ ସଂସ୍ଥା ଏହି ଯୋଗ୍ୟତା ମାନଦଣ୍ଡଗୁଡ଼ିକୁ ପୂରଣ କରୁଛନ୍ତି ସେମାନେ ପୁରସ୍କାର ଲାଗି ଆବେଦନ କରିପାରିବେ।
ପୁରସ୍କାର ବିଷୟରେ ଅଧିକ ଜାଣିବା ଲାଗି [email protected]କୁ ଇ-ମେଲ୍ କରାଯାଇପାରିବ କିମ୍ବା ୯୪୩୭୦୯୭୫୧୪ରେ ପ୍ରଭାସ ସାହୁଙ୍କୁ ଯୋଗାଯୋଗ କରାଯାଇପାରିବ।
ପାଞ୍ଚଟି ବର୍ଗରେ ପୁରସ୍କାର
୧-ସିଏସ୍ଆର୍
୨-ବୃହତ୍
୩-ମଧ୍ୟମ
୪-କ୍ଷୁଦ୍ର
୫-ଇମର୍ଜିଂ/ ଷ୍ଟାର୍ଟଅପ୍
(ପ୍ରତି ବର୍ଗରେ ପ୍ଲାଟିନମ୍, ଗୋଲ୍ଡ ଓ ସିଲ୍ଭର ପୁରସ୍କାର ଦିଆଯିବ)