ଢେଙ୍କାନାଳରେ ବସିବ ପେଣ୍ଟ୍ସ କାରଖାନା: ସିଙ୍ଗଲ ୱିଣ୍ଡୋରେ ୪,୮୦୦ କୋଟିର ୧୯ ପ୍ରକଳ୍ପ ମଞ୍ଜୁର – Utkal Mail
କେନ୍ଦ୍ରାପଡ଼ାରେ ହେବ ବୟନ ଶିଳ୍ପ, ଯାଜପୁରରେ ଇମ୍ଫାର ଫେରୋକ୍ରୋମ୍ କାରଖାନା
ଭୁବନେଶ୍ବର: ରୁଙ୍ଗ୍ଟା ପେଣ୍ଟସ୍ ୯୯୧ କୋଟି ଟଙ୍କା ବିନିଯୋଗରେ ଢେଙ୍କାନାଳରେ ଏକ ପେଣ୍ଟ୍ସ କାରଖାନା ସ୍ଥାପନ କରିବ। ଆଜି ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ ବୈଠକରେ ମଞ୍ଜୁର କରାଯାଇଥିବା ପ୍ରକଳ୍ପ ମଧ୍ୟରୁ ଏହା ଅନ୍ୟତମ। ଆଜିର ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଟାଟା ଷ୍ଟିଲ୍, ୱେଲ୍ସ୍ପନ୍, ଇମ୍ଫା, ଜିନ୍ଦଲ ଷ୍ଟେନ୍ଲେସ୍ ଭଳି କଂପାନିର ନିବେଶ ପ୍ରସ୍ତାବକୁ ମଞ୍ଜୁର କରାଯାଇଛି। ବୈଠକରେ ମୋଟ ୪,୮୦୪.୩୫ କୋଟି ଟଙ୍କାର ୧୯ଟି ପ୍ରକଳ୍ପ ମଞ୍ଜୁର କରାଯାଇଛି। ରାଜ୍ୟର ୧୦ଟି ଜିଲ୍ଲାରେ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେବ। ଏହା ଦ୍ବାରା ରାଜ୍ୟରେ ୧୭,୫୫୩ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସୂଚନା ଅନୁସାରେ, ଯାଜପୁରରେ ୯୭୭.୪୩ କୋଟି ଟଙ୍କା ବିନିଯୋଗରେ ଇମ୍ଫା ପକ୍ଷରୁ ଏକ ଫେରୋକ୍ରୋମ୍ ଓ ୨୦ ମେଗାୱାଟ୍ ବିଦ୍ୟୁତ ପ୍ରକଳ୍ପ ସ୍ଥାପନ କରାଯିବ। ଟାଟା ଷ୍ଟିଲ୍ ଯାଜପୁରର କଳିଙ୍ଗନଗରରେ ୭୩୫ କୋଟି ଟଙ୍କା ବିନିଯୋଗ କରି ଏକ ଇସ୍ପାତ ସେବା କେନ୍ଦ୍ର ସ୍ଥାପନ କରିବ। ୱେଲ୍ସ୍ପନ୍ ଲିଭିଙ୍ଗ୍ ୨୦୦ କୋଟି ଟଙ୍କା ନିବେଶରେ କେନ୍ଦ୍ରାପଡ଼ାରେ ଏକ ବୟନ ଶିଳ୍ପ ସ୍ଥାପନ କରିବ। ଜିନ୍ଦଲ ଷ୍ଟେନ୍ଲେସ୍ ପକ୍ଷରୁ ଯାଜପୁର ସ୍ଥିତ ଜେଏସ୍ଏଲ୍ ଷ୍ଟେନ୍ଲେସ୍ ଷ୍ଟିଲ୍ ପାର୍କରେ ୧୫୦ କୋଟି ଟଙ୍କା ନିବେଶ କରାଯିବ। କ୍ରାକର୍ସ ଇଣ୍ଡିଆ ଆଲଏଜ୍ ପକ୍ଷରୁ କେନ୍ଦୁଝରର ବଡ଼ବିଲରେ ୧୦୧.୫୦ କୋଟି ଟଙ୍କା ନିବେଶରେ ଏକ ଷ୍ଟିଲ୍ କାଷ୍ଟିଂ ଓ ରୋଲିଂ ମିଲ୍ ସ୍ଥାପନ କରାଯିବ।
ସିଙ୍ଗଲ ୱିଣ୍ଡୋରେ ୪,୮୦୦ କୋଟିର ୧୯ ପ୍ରକଳ୍ପ ମଞ୍ଜୁର
କେନ୍ଦ୍ରାପଡ଼ାରେ ହେବ ବୟନ ଶିଳ୍ପ
ଯାଜପୁରରେ ଇମ୍ଫାର ଫେରୋକ୍ରୋମ୍ କାରଖାନା
ନୂଆପଡ଼ାରେ ହେବ ଇଥାନଲ୍ ପ୍ଲାଣ୍ଟ
ସେହିପରି, ଏନ୍ଭିରୋ କେୟାର ଇନ୍ଫ୍ରା ସଲ୍ୟୁସନ୍ସ ସୁନ୍ଦରଗଡ଼ରେ ୧୦୦ କୋଟି ଟଙ୍କା ନିବେଶ କରି ମାଇଲ୍ଡ ଷ୍ଟିଲ୍ ଷ୍ଟ୍ରିପ୍ସ ଓ ପାଇପ୍ କାରଖାନା ବସାଇବ। ମୋଡୁଲସ୍ ଓଲେଓକେମ୍ ଆଣ୍ଡ୍ ସର୍ଫାକ୍ଟାଣ୍ଟ୍ସ ବାଲେଶ୍ବରର ବାଲିଆପାଳରେ ୩୧୩.୫୧ କୋଟି ଟଙ୍କା ଖଟାଇ ରାସାୟନିକ କାରଖାନା ସ୍ଥାପନ କରିବ। ଟ୍ରାନ୍ସନୋଭା ଏକ୍ସପ୍ରେସ୍ ଇଣ୍ଡିଆ ୧୨୦.୩୯ କୋଟି ଟଙ୍କା ବିନିଯୋଗରେ ଖୋର୍ଦ୍ଧାରେ ଏକ କେମିକାଲ୍ ହବ୍ ସ୍ଥାପନ କରିବ। ପେଣ୍ଟ୍ସ ଜଗତର ଚର୍ଚ୍ଚିତ ନାମ ବର୍ଜର୍ର ଦୁଇ ସହାୟକ କଂପାନି ଗ୍ରୋ ମ୍ୟାକ୍ସ ଇଣ୍ଡିଆ ଓ ଅନୁପମ ପ୍ରଡକ୍ଟସ ଖୋର୍ଦ୍ଧାରେ ଯଥାକ୍ରମେ ୫୪.୫୫ କୋଟି ଟଙ୍କା ଓ ୫୧ କୋଟି ଟଙ୍କା ନିବେଶ କରିବେ। ପ୍ଲାଷ୍ଟିକ୍ ଉତ୍ପାଦ ଲାଗି ରାଜଶ୍ରୀ ପଲିପ୍ୟାକ୍ ଖୋର୍ଦ୍ଧାରେ ଓ କେଶବ ପ୍ଲାଷ୍ଟଟେକ୍ ସମ୍ବଲପୁରର ରେଙ୍ଗାଳିରେ ମିଳିତ ଭାବେ ୧୦୨.୨୫ କୋଟି ଟଙ୍କା ନିବେଶ କରିବେ। ଧନସାର ଗ୍ରୁପ୍ ସୁନ୍ଦରଗଡ଼ରେ ଏକ ପ୍ରାଇଭେଟ୍ ଫ୍ରେଟ୍ ଟର୍ମିନାଲ୍ ସ୍ଥାପନ କରିବାରେ ୧୯୦ କୋଟି ଟଙ୍କା ନିବେଶ କରିବ। କୈବଲ୍ୟ ଲଜିଷ୍ଟିକ୍ସ କେନ୍ଦ୍ରାପଡ଼ାର ମହାକାଳପଡ଼ାରେ ୧୧୦ କୋଟି ଟଙ୍କା ନିବେଶ କରି ଏକ କଣ୍ଟେନର ଡିପୋ ସ୍ଥାପନ କରିବ। ଆଶୀର୍ବାଦ ଫୁଡ୍ ପ୍ରୋସେସିଂ ଯାଜପୁରରେ ୫୬.୩୫ କୋଟି ଟଙ୍କା ନିବେଶରେ ଏକ ଅଟା ମିଲ୍ ବସାଇବ। ସୁମା ରିଅଲ ମିଡିଆ ୨୨୬.୫୭ କୋଟି ଟଙ୍କା ନିବେଶରେ ଖୋର୍ଦ୍ଧାରେ ଏକ ଆଇଟି ଭିତ୍ତିଭୂମି କମ୍ପ୍ଲେକ୍ସ ବସାଇବ। ଭାସ୍ୱାନି ଷ୍ଟିଲ୍ ୨୩୭.୮୦ କୋଟି ଟଙ୍କା ବିନିଯୋଗରେ ନୂଆପଡ଼ାରେ ଏକ ଶସ୍ୟ ଭିତ୍ତିକ ଇଥାନଲ୍ କାରଖାନା ବସାଇବ। ଜିଏଆଇଏ ନିଓ ଏନର୍ଜି ୮୭ କୋଟି ଟଙ୍କା ନିବେଶରେ କଟକର ଡମପଡ଼ାରେ ଏକ କମ୍ପ୍ରେସଡ୍ ବାୟୋଗ୍ୟାସ୍ କାରଖାନା ସ୍ଥାପନ କରିବ।