ଷ୍ଟାର୍ଟଅପ୍ରେ ଆମେରିକା ସହ ଯୋଡ଼ିହେବାକୁ ଚାହୁଛି ଓଡ଼ିଶା – Utkal Mail
ଭୁବନେଶ୍ବର: ରାଜ୍ୟର ଷ୍ଟାର୍ଟଅପ୍ ବ୍ୟବସ୍ଥାର ବିକାଶ ଲାଗି ଆମେରିକା ସହ ସହଯୋଗିତା ସ୍ଥାପନ କରିବାକୁ ଓଡ଼ିଶା ଆଗ୍ରହ ପ୍ରକାଶ କରିଛି। ବିଶେଷ କରି ଓଡ଼ିଶାରେ ପ୍ରତିରକ୍ଷା ଓ ସେମିକଣ୍ଡକ୍ଟର କ୍ଷେତ୍ରରେ କାର୍ଯ୍ୟ କରୁଥିବା ଷ୍ଟାର୍ଟଅପ୍ଗୁଡ଼ିକୁ ଆମେରିକା କିଭଳି ସହଯୋଗ କରିପାରିବ ସେନେଇ ଏକ ବୈଠକରେ ଆଲୋଚନା ହୋଇଥିଲା। ଆମେରିକା କନସୁଲେଟ୍ ଜେନେରାଲ୍-ହାଇଦ୍ରାବାଦର ପ୍ରମୁଖ ବାଣିଜ୍ୟିକ ଅଧିକାରୀ ରାଘବନ ଶ୍ରୀନିବାସନ, ଆମେରିକା ବାଣିଜ୍ୟିକ ସେବାର ବରିଷ୍ଠ ବାଣିଜ୍ୟିକ ବିଶେଷଜ୍ଞ ଥିଓଡାରେ ଇମାନୁଏଲ ଆଜି ଓ-ହବ୍ ପରିଦର୍ଶନ କରିଥିଲେ। ସେହି ଅବସରରେ ଆୟୋଜିତ ବୈଠକରେ ଷ୍ଟାର୍ଟଅପ୍ ବ୍ୟବସ୍ଥା ଲାଗି ମିଳିତ ସହଯୋଗିତା ପାଇଁ ରହିଥିବା ସମ୍ଭାବନାର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା। ଷ୍ଟାର୍ଟଅପ୍ ମଧ୍ୟରେ ବିନିମୟ କାର୍ଯ୍ୟକ୍ରମ ଆରମ୍ଭ କରିବା ଏବଂ ଆମେରିକାର ଭେଞ୍ଚର କ୍ୟାପିଟାଲିଷ୍ଟ୍, ନିବେଶକ ଓ କଂପାନିଗୁଡ଼ିକ ସହିତ କିଭଳି ଓଡ଼ିଶାର ଷ୍ଟାର୍ଟଅପ୍ଗୁଡ଼ିକ ଯୋଡ଼ିହୋଇପାରିବେ ସେ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା।



