ବ୍ୟବସାୟ

ହସ୍ପିଟାଲ୍ ଓ ଶିକ୍ଷାନୁଷ୍ଠାନ: ୟୁପିଆଇରେ ୫ ଲକ୍ଷ ଟଙ୍କା ପେମେଣ୍ଟ୍ ସମ୍ଭବ – Utkal Mail


ମୁମ୍ବାଇ: ହସ୍ପିଟାଲ୍ ଓ ଶିକ୍ଷାନୁଷ୍ଠାନଗୁଡ଼ିକୁ ୟୁପିଆଇ‌ରେ କରାଯାଉଥିବା ପେମେଣ୍ଟ୍‌ ସୀମାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ୧ ଲକ୍ଷ ଟଙ୍କାରୁ ବଢ଼ାଇ ୫ ଲକ୍ଷ ଟଙ୍କା କରିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦା‌ସ ଆଜି ଏହି ଘୋଷଣା କରିଛନ୍ତି। ଏହା ଦ୍ବାରା ଲୋକମାନେ ହସ୍ପିଟାଲ୍‌ରେ ଚିକିତ୍ସା ବେଳେ ଏବଂ ଶିକ୍ଷାନୁଷ୍ଠାନ ଫି’ ପଇଠ କରିବା ବେଳେ ୟୁପିଆଇରେ ଅଧିକ ଟଙ୍କା ପଠାଇପାରିବେ।

ବାରମ୍ବାର କରାଯାଉଥିବା ପେମେଣ୍ଟ ଲାଗି ଇ-ମ୍ୟାଣ୍ଡେଟ୍‌ ସୀମାକୁ ମଧ୍ୟ ୧୫ ହଜାର ଟଙ୍କାରୁ ବଢ଼ାଇ ୧ ଲକ୍ଷ ଟଙ୍କା କରାଯାଇଛି। ବିଶେଷ କରି ମ୍ୟୁଚୁଆଲ୍ ଫଣ୍ଡ୍, ବୀମା ପ୍ରିମିୟମ, କ୍ରେଡିଟ୍ କାର୍ଡ ରାଶି ପଇଠ କରିବା ଆଦି କାର୍ଯ୍ୟ ବର୍ଷକୁ ଏକାଧିକ ଥର କରାଯାଇଥିଲା। ଇ-ମ୍ୟାଣ୍ଡେଟ୍ ସୀମା ବୃଦ୍ଧି କରାଯାଇଥିବାରୁ ଏଭଳି ଧରଣର ପେମେଣ୍ଟ୍ କରୁଥିବା ଲୋକମାନେ ଉପକୃତ ହେବେ। ଶକ୍ତିକାନ୍ତ ଏହା‌ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଏଭଳି ମାମଲାର ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ୍‌ ଲାଗି କୌଣସି ୱାନ୍ ଟାଇମ୍ ପାସ୍‌ୱାର୍ଡ (ଓଟିପି) ଦରକାର ପଡ଼ିବନି।

ଶକ୍ତିକାନ୍ତ କହିଛନ୍ତି ଯେ ଆର୍ଥିକ କ୍ଷେତ୍ର ଲାଗି ଏକ କ୍ଲାଉଡ୍‌ ବ୍ୟବସ୍ଥା ବିକାଶ କରାଯିବ ଯାହାକୁ ରିଜର୍ଭ ବ୍ୟାଙ୍କର ଏକ ସହାୟକ ସଂସ୍ଥା ଇଣ୍ଡିଆନ ଫାଇନାନ୍ସିଆଲ୍ ଟେକ୍ନୋଲୋଜି ଆଣ୍ଡ୍ ଆଲାଏଡ୍ ସର୍ଭିସେସ୍‌ (ଆଇଏଫ୍‌ଟିଏଏସ୍‌) ପରିଚାଳନା କରିବ। ସେହିପରି ଫିନ୍‌ଟେକ୍‌ କ୍ଷେତ୍ରର ଗୁରୁତ୍ବପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବା ଲାଗି ଏକ ରିପୋଜିଟୋରି ଗଠନ କରାଯିବ। ଫିନ୍‌ଟେକ୍‌ଗୁଡ଼ିକ ସ୍ବେଚ୍ଛାକୃତ ଭାବେ ରିପୋଜିଟୋରିକୁ ତଥ୍ୟ ଦେବେ। ସେହି ତଥ୍ୟ ଆଧାରରେ ‌ସେମାନଙ୍କ ଲାଗି ନୀତି ପ୍ରସ୍ତୁତ କରାଯିବ। ୨୦୨୪ ଏପ୍ରିଲ୍ ସୁଦ୍ଧା ଏହି ରିପୋଜିଟୋରି କାର୍ଯ୍ୟକ୍ଷମ ହେବ ବୋଲି ସେ କହିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button