କ୍ରୀଡା

ଆଉ ୮ ଦିନ; ଭାରତ ବିଶ୍ବକପ୍‌ ଜିତିବ: ଅନୱର – Utkal Mail


ଅଶ୍ବିନଙ୍କ ଆଶା ବଢ଼ିଲା

ନୂଆଦିଲ୍ଲୀ: ଦିନିକିଆ ବିଶ୍ବକପ୍‌ ପୂର୍ବରୁ ଭାରତୀୟ ଦଳ ଶ୍ରେଷ୍ଠ ଲୟ ଦେଇ ଗତି କରୁଛି। ବ୍ୟାଟିଂକ୍ରମ ଆକ୍ରମଣାତ୍ମକ ଖେଳି ବଡ଼ ରନ୍‌ ସଂଗ୍ରହ କରୁଥିଲା ବେଳେ ବୋଲରମାନେ ୱିକେଟ୍‌ ବାହାର କରିବାରେ ସଫଳ ହେଉଛନ୍ତି। ନିକଟରେ ଏସିଆ କପ୍‌ ଓ ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳାରେ ଦଳର ଦମ୍‌ଦାର ପ୍ରଦର୍ଶନ ପରେ ବିଶ୍ବକପ୍‌ରେ ଦଳଠୁ ଆଶା ବଢ଼ିଯାଇଛି। ଯେଉଁଥିପାଇଁ ପାକିସ୍ତାନର ପୂର୍ବତନ ବ୍ୟାଟର ସଇଦ ଅନୱର ଭାରତୀୟ ପ୍ରତି ସମସ୍ତଙ୍କୁ ସତର୍କ କରିଦେଇଛନ୍ତି। ଭାରତରେ ହେବାକୁ ଯାଉଥିବା ଏହି ବିଶ୍ବକପ୍‌ରେ ଛୋଟ ବାଉଣ୍ଡରି ଓ ଡେଥ୍‌ ଓଭର (୪୧-୫୦ ଓଭର) ବୋଲିଂ ହିଁ ଭାରତକୁ ପଛକୁ ଠେଲିପାରିବ ବୋଲି ଅନୱର କହିଛନ୍ତି।

ଏକ ସାମାଜିକ ଗଣମାଧ୍ୟମରେ ହୋଇଥିବା ସାକ୍ଷାତକାର ଅବସରରେ ସେ ସିନ୍‌ ଆବୋଟ୍‌ଙ୍କ ‌ବ୍ୟାଟିଂକୁ ପ୍ରଶଂସା କରିଥିଲେ ଏବଂ ଭାରତରେ ସେ ବହୁତ ଭଲ ପ୍ରଦର୍ଶନ ଦେବେ ବୋଲି ଆଶା ରଖିଥିଲେ। କିନ୍ତୁ ସବୁ ଦଳମାନଙ୍କ ମଧ୍ୟରୁ ଭାରତ ହିଁ ବିଶ୍ବକପ୍‌ ଟ୍ରଫି ଜିତିବ ବୋଲି ସେ କହିଥିଲେ। ଚଳିତ ବର୍ଷ ଭାରତ ଖେଳିଥିବା ୨୦ଟି ଦିନିକିଆରେ ଡେଥ୍‌ ଓଭର ଇକୋନୋମି ରେଟ୍‌ ୭.୮୨ ରହିଛି। ବିଶ୍ବକପ୍‌ରେ ଭାରତର ବଡ଼ ପ୍ରତିଦ୍ବନ୍ଦୀ କୁହାଯାଉଥିବା ନ୍ୟୁଜିଲାଣ୍ଡ (୭.୯୧) ଓ ଦକ୍ଷିଣ ଆଫ୍ରିକା (୭.୮୯)ଙ୍କର ଡେଥ୍‌ ଓଭର ଇକୋନୋମି ବହୁତ ଖରାପ ରହିଛି। କିନ୍ତୁ ଇଂଲଣ୍ଡ ସବୁଠୁ ଶ୍ରେଷ୍ଠ ଇକୋନୋମି (୬.୭୪) ରଖିଛି। ଚଳିତ ଭାରତ-ଅଷ୍ଟ୍ରେଲିଆ ଶୃଙ୍ଖଳାରେ ମଧ୍ୟ ବୋଲରମାନେ ମହତ୍ବପୂର୍ଣ୍ଣ ଭୂମିକା ନେଇଛନ୍ତି। ପ୍ରଥମ ଦିନିକିଆରେ ମହମ୍ମଦ ସାମିଙ୍କ ନେତୃତ୍ବାଧିନ ଦ୍ରୁତ ବୋଲିଂ ବିଭାଗ ଅଷ୍ଟ୍ରେଲିଆକୁ ୨୭୬ ରନ୍‌ରେ ରୋକିଥିଲା ବେଳେ ଦ୍ବିତୀୟ ଦିନିକିଆରେ ରବିଚନ୍ଦ୍ରନ ଅଶ୍ବିନ ଓ ରବୀନ୍ଦ୍ର ଜାଦେଜା ଅଷ୍ଟ୍ରେଲୀୟ ବ୍ୟାଟରଙ୍କୁ ଆଗକୁ ବଢ଼ିବାକୁ ଦେଇନଥିଲେ। ଯେଉଁଥିପାଇଁ ଭାରତ ଉଭୟ ମ୍ୟାଚ୍‌ ଜିତି ଆଗୁଆ ଶୃଙ୍ଖଳା ଜିତିସାରିଛି।

ଅଶ୍ବିନଙ୍କ ଆଶା ବଢ଼ିଲା

ରାଜକୋଟ: ଦିନିକିଆ ବିଶ୍ବକପ୍‌ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଘୋଷଣା ହୋଇଥିବା ଭାରତୀୟ ଦଳରୁ ରବିଚନ୍ଦ୍ରନ ଅଶ୍ବିନ ବାଦ୍‌ ପଡ଼ିଥିଲେ। ଯାହାକୁ ନେଇ ଅନେକ ତର୍କ ବିତର୍କ ଲାଗି ରହିଥିଲା। ହେଲେ ଏସିଆ କପ୍‌ ସମୟରେ ଅକ୍ଷର ପଟେଲ୍‌ ଆହତ ହେବାରୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଏପର୍ଯ୍ୟନ୍ତ ତାଙ୍କୁ ସୁଯୋଗ ମିଳିପାରିନାହିଁ। ହେଲେ ଅକ୍ଷରଙ୍କ ଅନୁପସ୍ଥିତିରେ ଗତ ଦୁଇଟି ମ୍ୟାଚ୍‌ରେ ରବିଚନ୍ଦ୍ରନ ଅଶ୍ବିନ ନିଜ ଦାବି ଉପସ୍ଥାପନ କରିସାରିଲେଣି। ମୋହାଲିରେ ୧ ଓ ଇନ୍ଦୋରରେ ୩ ୱିକେଟ୍‌ ନେଇ ଭାରତୀୟ ଦଳର ବିଜୟରେ ବଡ଼ ଭୂମିକା ନେଇଥିଲେ। ଏବେ ରାଜକୋଟରେ ଅକ୍ଷର ଖେଳୁନଥିବାରୁ ଅଶ୍ବିନଙ୍କ ଆଉ ଏକ ଦମ୍‌ଦାର ପ୍ରଦର୍ଶନ ତାଙ୍କ ମନୋନୟନ ବିତର୍କକୁ ଅଧିକ ବଳ ଯୋଗାଇବ।

ଅକ୍ଷର ବର୍ତ୍ତମାନ ଜାତୀୟ କ୍ରିକେଟ୍‌ ଏକାଡେମିରେ ପୁନଃଥଇଥାନରେ ରହିଛନ୍ତି। ତୃତୀୟ ଦିନିକିଆରେ ଅକ୍ଷର ଖେଳୁନଥିବାରୁ ଏହା ଅଶ୍ବିନଙ୍କ ପାଇଁ ବିଶ୍ବକପ୍‌ ‌ଦ୍ବାର ଖୋଲିଦେଇଥିବା କୁହାଯାଇପାରେ। ବିଶ୍ବକପ୍‌ ୱାର୍ମ ଅପ୍‌ ମ୍ୟାଚ୍‌ ବେଳକୁ ଅକ୍ଷର ଫିଟ୍‌ ହୋଇଯାଇଥିବେ ବୋଲି କୁହାଯାଉଛି। ଏପରିସ୍ଥଳେ ଯଦି ଅଶ୍ବିନ ତୃତୀୟ ଦିନିକିଆରେ ଭଲ ପ୍ରଦର୍ଶନ ଦିଅନ୍ତି, ତାହେଲେ ଅଜିତ ଅଗରକର ଏବଂ ତାଙ୍କ ଟିମ୍‌ଙ୍କୁ ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ିପାରେ। କେବଳ ଅକ୍ଷର ନୁହଁନ୍ତି ତୃତୀୟ ଦିନିକିଆରୁ ଶୁବମନ ଗିଲ୍‌ ଓ ଶାର୍ଦ୍ଦୁଳ ଠାକୁରଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି। ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ୍‌ ବୁମ୍‌ରା, ହାର୍ଦ୍ଦିକ ପାଣ୍ଡ୍ୟା ଏହି ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନ କରିବେ। ବିଶ୍ବକପ୍‌ ପୂର୍ବରୁ ଏହା ଶେଷ ଆନ୍ତର୍ଜାତିକ ମ୍ୟାଚ୍‌ ହେବାକୁ ଯାଉଥିବାରୁ ପ୍ରତ୍ୟେକ ଖେଳାଳି ଯେପରି ମ୍ୟାଚ୍‌ ଅଭ୍ୟାସ ପାଇପାରିବେ ତାହା ଉପରେ ଧ୍ୟାନ ଦିଆଯାଉଥିବା ଦଳ ପକ୍ଷରୁ କୁହାଯାଇଛି।




Related Articles

Leave a Reply

Your email address will not be published. Required fields are marked *

Back to top button