ଦେଶ ବିଦେଶ

ଆଇଟିରେ ଫେରିଲା ନିଯୁକ୍ତି ଯୁଗ: ୩ମାସରେ ୧୭,୫୦୦ ନୂଆ ନିଯୁକ୍ତି

ନୂଆଦିଲ୍ଲୀ: ମାନ୍ଦାବସ୍ଥା ଦେଇ ଗତି କରୁଥିବା ସୂଚନା ପ୍ରଯୁକ୍ତି (ଆଇଟି) ଶିଳ୍ପରେ ପୁଣି ଥରେ ନିଯୁକ୍ତି ଧାରା ଆରମ୍ଭ ହୋଇଛି। ପାଖାପାଖି ଦୁଇ ବର୍ଷ ପର୍ଯ୍ୟନ୍ତ ନିଯୁକ୍ତିକୁ ଏଡ଼ାଉଥିବା ପ୍ରମୁଖ ଭାରତୀୟ ଆଇଟି କମ୍ପାନିରେ କର୍ମଚାରୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସେମାନେ ପୁଣି ଥରେ ନୂଆ କର୍ମଚାରୀ ନିଯୁକ୍ତି ପ୍ରକ୍ରିୟା ତ୍ବରାନ୍ବିତ କରିଛନ୍ତି।

ଟାଟା କନ୍ସଲ୍ଟାନ୍ସି ସର୍ଭିସେସ୍ (ଟିସିଏସ୍), ଇନ୍ଫୋସିସ୍, ୱିପ୍ରୋ, ଟେକ୍ ମହିନ୍ଦ୍ରା ଓ ଏଲ୍ଆଣ୍ଡ୍ଟିମାଇଣ୍ଡଟ୍ରି ପକ୍ଷରୁ ଚଳିତ ବର୍ଷ ଜୁଲାଇରୁ ସେପ୍ଟେମ୍ବର ଭିତରେ ୧୭,୫୦୦ ନୂଆ କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି।

ଭାରତୀୟ ଆଇଟି ଶିଳ୍ପର ସିଂହ ଭାଗ ରାଜସ୍ବ ପାଶ୍ଚାତ୍ୟ ଦେଶରୁ ଆସୁଥିବା ବେଳେ ସେଠାରେ ମାନ୍ଦାବସ୍ଥା ଦେଖାଦେବା କାରଣରୁ ଭାରତୀୟ ଆଇଟି କମ୍ପାନିଗୁଡ଼ିକ ନୂଆ କର୍ମଚାରୀ ନିଯୁକ୍ତିକୁ ଟାଳି ଦେଇଥିଲେ। କ୍ୟାମ୍ପସ୍ରୁ ଚୟନ କରାଯାଇଥିବା ଛାତ୍ରଛାତ୍ରୀଙ୍କୁ ଅଫର ଲେଟର୍ ଦେବା ପରେ ମଧ୍ୟ ସେମାନଙ୍କୁ କାର୍ଯ୍ୟରେ ଯୋଗଦେବା ଲାଗି ଦୀର୍ଘଦିନ ଅପେକ୍ଷା କରିବାକୁ ପଡ଼ିଥିଲା। କିନ୍ତୁ ଆଇଟି ଶିଳ୍ପରେ ଦେଖାଦେଇଥିବା ଅସ୍ଥିରତା ଦୂର ହେବା ପରେ କମ୍ପାନିଗୁଡ଼ିକ ପୁଣି ଥରେ ନିଜ ମାନବ ସମ୍ବଳକୁ ଦୃଢ଼ କରିବା ଉପରେ ମନୋନିବେଶ କରିଛନ୍ତି।

୨୦୨୩-୨୪ ଆର୍ଥିକ ବର୍ଷରେ ଭାରତୀୟ ଆଇଟି କମ୍ପାନିଗୁଡ଼ିକରେ କର୍ମଚାରୀ ସଂଖ୍ୟା ୭୦,୦୦୦ ହ୍ରାସ ପାଇଥିଲା। ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ କର୍ମଚାରୀ ସଂଖ୍ୟାରେ ମାତ୍ର ୧୭୫୦ ହ୍ରାସ ଘଟିଥିଲା। କିନ୍ତୁ ଦ୍ବିତୀୟ ତ୍ରୈମାସିକ ସୁଦ୍ଧା ସେଥିରେ ସମ୍ପୂର୍ଣ୍ଣ ସୁଧାର ହେବା ସହ ୧୭ ହଜାରରୁ ଅଧିକ ନୂଆ କର୍ମଚାରୀଙ୍କୁ ନିଯୁକ୍ତି ମିଳିଛି। ଏହା ଇଞ୍ଜିନିୟରିଂ ଗ୍ରାଜୁଏଟ୍, ବିଶେଷ କରି କମ୍ପ୍ୟୁଟର ସାଇନ୍ସ ପାଠପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ଲାଗି ନିଶ୍ଚିତ ରୂପେ ଉତ୍ସାହଜନକ ଖବର। ଚଳିତ ବର୍ଷର ଜୁଲାଇ-ସେପ୍ଟେମ୍ବର (ଦ୍ବିତୀୟ ତ୍ରୈମାସିକ)ରେ ଟେକ୍ ମହିନ୍ଦ୍ରା ସର୍ବାଧିକ ୬୬୫୩ ନୂଆ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିଲା। ସେହି ସମୟରେ ଦେଶର ଏକ ନମ୍ବର ଆଇଟି କମ୍ପାନି ଟିସିଏସ୍ ୫୭୨୬ ନୂଆ କର୍ମଚାରୀ ଯୋଡ଼ିଛି। ଫଳରେ କମ୍ପାନିର ମୋଟ୍ କର୍ମଚାରୀ ସଂଖ୍ୟା ୬ ଲକ୍ଷରୁ ଅଧିକ ହୋଇପାରିଛି। ଆଲୋଚ୍ୟ ତିନି ମାସରେ ଇନ୍ଫୋସିସ୍ ୨୪୫୬ ଓ ୱିପ୍ରୋ ୯୭୮ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛି। ୨୦୨୨ ଓ ୨୦୨୩ରେ କ୍ୟାମ୍ପସ୍ରୁ ଚୟନ କରାଯାଇଥିବା ପିଲାମାନଙ୍କୁ କାର୍ଯ୍ୟକ୍ଷେତ୍ରରେ ସାମିଲ କରିବାକୁ ଇନ୍ଫୋସିସ୍ ଓ ୱିପ୍ରୋ କର୍ତ୍ତୃପକ୍ଷ ଯୋଜନା ରଖିଛନ୍ତି।

ଦେଶର ପ୍ରମୁଖ ଚାରି ଆଇଟି କମ୍ପାନି ଚଳିତ ଆର୍ଥିକ ବର୍ଷରେ ୮୨ ହଜାର ନୂଆ କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ଯୋଜନା ରଖିଛନ୍ତି। କେବଳ ଟିସିଏସ୍ ୪୦ ହଜାର ନୂଆ କର୍ମଚାରୀ ଚୟନ କରିବ। ଚଳିତ ଆର୍ଥିକ ବର୍ଷ ସାରାରେ ଭାରତୀୟ ଆଇଟି ଶିଳ୍ପରେ ନୂଆ ନିଯୁକ୍ତି ସଂଖ୍ୟା ଦେଢ଼ ଲକ୍ଷ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି। ଗତ ଆର୍ଥିକ ବର୍ଷରେ ନିଯୁକ୍ତି ସ୍ଥିତି ଅତ୍ୟନ୍ତ ନିରୁତ୍ସାହଜନକ ଥିଲା ଯାହା ୨୦୦୦ ମସିହା ପରେ ସବୁଠୁ ଖରାପ ଭାବେ ବିଚାର କରାଯାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button