ଅସୁରକ୍ଷିତ କୋଠାରେ ଯାତ୍ରୀନିବାସ: ଛାତ ପଲସ୍ତରା ଖସୁଛି, ଦୁର୍ଗନ୍ଧରେ ନାକ ଫାଟୁଛି

ଭୁବନେଶ୍ବର: ଅନ୍ଲାଇନ୍ରେ ବୁକ୍ ହେଉଛି। ହେଲେ ବାସ୍ତବ ସ୍ଥିତି ଦେଖି ଆଶ୍ଚର୍ଯ୍ୟ ଚକିତ ହେଉଛନ୍ତି ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକ। ଭୁବନେଶ୍ବର ସହରରେ ଲକ୍ଷ୍ମୀସାଗର ଭଳି ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଥିବା ବିଏମ୍ସି ‘ଯାତ୍ରୀ ନିବାସ’ ଯେ ଏତେ ଜରାଜୀର୍ଣ୍ଣ ଓ ରହିବା ଅନୁପଯୁକ୍ତ, ଏହାକୁ ଯାତ୍ରୀ ସହଜରେ ବିଶ୍ବାସ କରି ପାରୁନାହାନ୍ତି।
ବିଏମ୍ସିର ଏଭଳି ବେପରୁଆ ସେବା ପାଇଁ ରାଜ୍ୟ ବାହାରେ ଓଡ଼ିଶା ବଦନାମ ବି ହେଉଛି। ବ୍ୟୟବହୁଳ ରାଜଧାନୀରେ ସ୍ବଳ୍ପ ଖର୍ଚ୍ଚରେ ରହିବାର ସୁବିଧା ଯୋଗାଇ ଦେବା ପାଇଁ ୧୯୮୮ ମସିହା ସ୍ବାୟତ୍ତ ଶାସନ ଦିନ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏହି ଯାତ୍ରୀ ନିବାସକୁ ଉଦ୍ଘାଟନ କରିଥିଲେ। ତିନି ମହଲା ବିଶିଷ୍ଠ ଯାତ୍ରୀ ନିବାସରେ ୩ଟି ଡର୍ମିଟୋରି, ୪୨ଟି ତିନିଶଯ୍ୟା, ୨ଟି ୫ ଶଯ୍ୟା ଓ ୪ଟି ୨ ଶଯ୍ୟା ବିଶିଷ୍ଟ ପ୍ରକୋଷ୍ଠ ରହିଥିଲା। ଡର୍ମିଟୋରି ବେଡ୍ ୯ଶହ ଲେଖାଏଁ ଭଡ଼ା ଲାଗୁଥିବା ବେଳେ ରୁମ୍ଗୁଡ଼ିକରେ ଖଟ ପିଛା ୧୫୦ରୁ ୩୦୦ ଟଙ୍କା ଭଡ଼ା ରହିଥିଲା। ଏଥିସହ ଏହାର ଗୋଟିଏ ପାର୍ଶ୍ବକୁ ବିବାହ, ବ୍ରତଘର ପାଇଁ ଭଡ଼ା ଦିଆଯାଉଥିଲା। ଏବେ କିନ୍ତୁ ମାତ୍ର ୨୪ଟି କୋଠରିକୁ ଭଡ଼ା ଦିଆଯାଉଛି।
ସେଥିରେ ପୁଣି ଯାବତୀୟ ସମସ୍ୟା। ଅଧିକାଂଶ ଘର ଓ ବାରଣ୍ଡା ଛାତ ଫାଳ ଫାଳ ହୋଇ ଖସୁଛି। ସାମାନ୍ୟ ବର୍ଷା ହେଲେ ବି ଛାତରୁ ପାଣି ଗଳୁଛି। କାନ୍ଥ ଫାଟି ଆଁ କରିଛି। ଶୈଚାଳୟ ଓ ଅଗଣା ସଫା ହେଉନଥିବାରୁ ଦୁର୍ଗନ୍ଧରେ ନାକ ଫାଟୁଛି। ସବାଉପର ମହଲାର ସମସ୍ତ କୋଠରି ଅଧିକ ବିପଦସଙ୍କୁଳ। ପ୍ରଥମ ମହଲାରେ ୧୩ଟି ପ୍ରକୋଷ୍ଠ ଭଡ଼ା ଦିଆଯାଉଛି। ଏଠି ପ୍ରକୋଷ୍ଠ ସହ ଶୌଚାଳୟ ନାହିଁ। ତଳତାଲାରେ ୧୧ଟି କୋଠରିରେ କମନ୍ ଶୌଚାଳୟ। ଏ ସମସ୍ତ କୋଠରି ଦୁର୍ଗନ୍ଧରେ ଫାଟୁଛି। ପୁଣି ଶୌଚାଳୟରେ ଅନେକ ସମୟରେ ପାଣି ଓ ମଳ ନିଷ୍କାସନଜନିତ ସମସ୍ୟା ଉପୁଜୁଛି। କୋଠରିର କବାଟ ଝରକା ଭାଙ୍ଗି ଯାଇଛି। ଭିତର ପାଖରୁ କବାଟ ବନ୍ଦ କରି ହେଉନଥିବାରୁ ଯାତ୍ରୀ ଅସୁରକ୍ଷିତ ଭାବେ ରାତି କାଟୁଛନ୍ତି। ଏଥିସହ ମଶାଙ୍କ ପାର୍ଦୁଭାବ ଯାତ୍ରୀଙ୍କୁ କଲବଲ କରୁଛି। ପ୍ରବେଶ ଘର କବାଟ ଦଉଡ଼ିରେ ବନ୍ଧା ହୋଇଛି। ମଝି ଖୋଲାସ୍ଥାନରେ ବିଏମ୍ସି ବିଭିନ୍ନ ସାମଗ୍ରୀ ମାଲ୍ଖାନା ଭଳି ଗଦା କରିଛି। କୋଭିଡ ସମୟରେ ଏହା ସେଣ୍ଟର ହୋଇଥିବାରୁ ଏବେ ବି କୋଭିଡ୍ ସାମଗ୍ରୀ ଗଦା ହୋଇରହିଛି। ତଳ ମହଲାରେ ୩ଟି ୱାର୍ଡ ଅଫିସ୍ ଚାଲିଛି। ତେବେ ଯାତ୍ରୀଙ୍କୁ ଆବଶ୍ୟକୀୟ ସେବା ଯୋଗାଇ ପାରୁନଥିବା ବିଏମ୍ସି କୋଭିଡ ପରେ କୋଠରିଗୁଡ଼ିକର ଭଡ଼ା ୨ ଗୁଣା ସହ ୧୮ % ଜିଏସ୍ଟି ନେଉଛି।
ବଡ଼ କଥା ହେଉଛି, ଭୁବନେଶ୍ୱର ମହାନଗର ନିଗମ ଗତ ମାର୍ଚ୍ଚ ମାସରୁ ଅନ୍ଲାଇନ୍ ବୁକିଂ ଆରମ୍ଭ କରିଛି। ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକ ଅନ୍ଲାଇନ୍ରେ ଦିଆଯାଇଥିବା ଫଟୋ ଦେଖି ବୁକିଂ କରି ଆସୁଛନ୍ତି। ହେଲେ ଏଠାରେ ଏଭଳି ପରିସ୍ଥିତି ଦେଖି ନରହି ଚାଲି ଯାଉଛନ୍ତି। ଉଦାରଣ ସ୍ବରୂପ, ଅଫିସ୍ କାମରେ ଝାଡ଼ଖଣ୍ଡରୁ ଭୁବନେଶ୍ବର ଆସିଥିବା ରାଜଦୀପ୍ଙ୍କ ପାଇଁ ତାଙ୍କର ଜଣେ ବନ୍ଧୁ ଯାତ୍ରୀ ନିବାସ ବୁକ୍ କରିଥିଲେ। ଅଗଷ୍ଟ ୧ରେ ରାଜଦୀପ୍ ଯାତ୍ରୀନିବାସରେ ପହଞ୍ଚି ହତବାକ୍ ହୋଇଥିଲେ। ବିକଳ୍ପ ନଥିବାରୁ ସେ ଉକ୍ତ ଦିନ ସେଠାରେ ରହିଥିଲେ। ହେଲେ ୩ ଦିନ ପାଇଁ ବୁକିଂ ହୋଇଥିଲେ ହେଁ ଗୋଟିଏ ରାତି ରହି ଚାଲି ଯାଇଥିଲେ। ହେଲେ ବାକି ୨ ଦିନର ଟଙ୍କା ସେ ଫେରସ୍ତ ପାଇ ପାରିନଥିଲେ। ସେହିପରି କୋଲକାତାର ଏକ ପରିବାରର ୧୨ ଜଣ ପୁରୀ ବୁଲାବୁଲି କରିବା ପରେ ଭୁବନେଶ୍ବରରେ ରହିବା ପାଇଁ ଅପରାହ୍ନରେ ଯାତ୍ରୀ ନିବାସକୁ ଯାଇଥିଲେ। ପୂର୍ବରୁ ତାଙ୍କର ଜଣେ ସମ୍ପର୍କୀୟ ୨ ଦିନ ପାଇଁ ୨ଟି କୋଠରି ବୁକିଂ କରିଥିଲେ। ହେଲେ ୧୨ ଜଣଙ୍କ ମଧ୍ୟରୁ କେବଳ ୬ ଜଣଙ୍କୁ ରହିବାକୁ ଅନୁମତି ମିଳିଥିଲା।
ବୁକିଂ ବେଳେ କୋଠରିରେ କେତେ ଜଣ ରହିବେ, କିଛି ନିର୍ଦ୍ଦିଷ୍ଟ ନିୟମ ନଥିବାରୁ ଏହି ପରିବାର ହଟହଟା ହୋଇଥିଲେ। ସେହିପରି ବୁକିଂ ରସିଦ୍ରେ କୋଠରି ନମ୍ବର, ରହିବାର ସମୟସୀମା ମଧ୍ୟ ଉଲ୍ଲେଖ ହେଉନାହିଁ। ଯାହା ଫଳରେ ଯାତ୍ରୀ ସମସ୍ୟାରେ ପଡ଼ୁଛନ୍ତି। ଏନେଇ ଯାତ୍ରୀ ବସନ୍ତ ମଣ୍ଡଳ କ୍ଷୋଭ ପ୍ରକାଶ କରିବା ସହ ଏଭଳି ବ୍ୟବସ୍ଥାକୁ ନିନ୍ଦା କରିଛନ୍ତି। ଅନ୍ୟପଟେ ଯାତ୍ରୀ ନିବାସ ପରିଚାଳକ ବିଜୟ କୁମାର ପ୍ରଧାନ କହିଛନ୍ତି, ”ଯାତ୍ରୀ ନିବାସ ଧୀରେ ଧୀରେ ଅସୁରକ୍ଷିତ ହୋଇ ଯାଉଥିବାରୁ ଏହାକୁ ଭାଙ୍ଗି ଘରୋଇ ସହଭାଗିତାରେ ନିର୍ମାଣ ହେବ ବୋଲି ନିର୍ବାଚନ ପୂର୍ବରୁ ଯୋଜନା ହୋଇଥିଲା। କିନ୍ତୁ ତାହା ହୋଇନାହିଁ। ଏବେ ବିଏମ୍ସି ନିଷ୍ପତ୍ତି ଅନୁସାରେ ଆମେ କାମ କରୁଛୁ।”