ଓଡିଶା

ଆଜି ଉତ୍କଳ ଦିବସ: ଆସନ୍ତୁ ଜାଣିବା କ’ଣ ଏହାର ଇତିହାସ

ଉତ୍କଳ ଦିବସ ଓଡ଼ିଶା ରାଜ୍ୟର ପ୍ରତିଷ୍ଠା ଦିବସ । ପୁରା ରାଜ୍ୟରେ ୧ ଅପ୍ରେଲକୁ ଉତ୍କଳ ଦିବସ ରୂପେ ପାଳନ କରାଯାଇଥାଏ । ଉତ୍କଳ ଦିବସ ପାଳନ କରିବାର ମୂଳ ଉଦ୍ଦେଶ୍ୟ ହେଲା ଓଡ଼ିଆ ଭାଷା ଏବଂ ସଂସ୍କୃତିର ପ୍ରତିଷ୍ଠାକୁ ମନେପକେଇବା । ସ୍ୱତନ୍ତ୍ର ହୋଇଥିବା ଓଡ଼ିଶା ରାଜ୍ୟ ଏବଂ ତା’ର ସଂଘର୍ଷର କାହାଣୀକୁ ଆମେ ଏହି ଦିନ ମନେପକାଉ । ଉତ୍କଳ ଦିବସ ପାଳନ କଲାବେଳେ ଆମେ ଓଡ଼ିଆ ଜାତିର ବୀର ଗାଥାକୁ ରୋମନ୍ଥନ କରୁ । ୧ ଏପ୍ରେଲ ୨୦୨୧ ଗୁରବାର ଦିନ ପୁରା ଦେଶ ଏବଂ ବିଦେଶରେ ଓଡ଼ିଆ ଲୋକଙ୍କ ଦ୍ୱାରା ଉତ୍କଳ ଦିବସ ମହାସମାରୋହରେ
ପାଳନ କରାଯାଇଥିଲା ।

ଏହି ଦିନ “ଓଡ଼ିଶା ଓ ଓଡ଼ିଆ”କୁ କେନ୍ଦ୍ର ସରକାରଙ୍କ ଦ୍ୱାରା ମାନ୍ୟତା ଦିଆଗଲା । ୧ ଅପ୍ରେଲ ୧୯୩୬ ଓଡ଼ିଶା ରାଜ୍ୟକୁ ଅଲଗା ରାଜ୍ୟ ରୂପେ ଘୋଷଣା କରାଯାଇଥିଲା । ଏଥିପାଇଁ ଅନେକ ଓଡ଼ିଆପ୍ରେମୀଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା । ଓଡ଼ିଶା ରାଜ୍ୟର ନିର୍ମାଣ ପାଇଁ ଉତ୍କଳଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେବ ଏହିପରି ଅନେକ ଲୋକଙ୍କ ମହତ୍ୱପୂର୍ଣ୍ଣ ଯୋଗଦାନ ଅଛି । ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଓଡ଼ିଶା ଦେଶ ପ୍ରୀତି ଦେଖିଲେ ଆଖିରେ ଲୁହ ଜମିଯାଏ । “ମିଶୁ ମୋର ଦେହ ଏ ଦେଶ ମାଟିରେ….ଦେଶବାସୀ ଚାଲିଯାଆନ୍ତୁ ପିଠିରେ । ଦେଶର ସ୍ୱରାଜ୍ୟ ପଥେ ଯେତେ ଗାଡ଼ ପୁରୁ ତହିଁ ପଡି ମୋର ମାଂସ ହାଡ଼ ।”

୨୦୧୧ରେ ଓରିଶା ରାଜ୍ୟର ନାମ ସମ୍ବିଧାନରେ ସଂଶୋଧନ କରି ଓଡ଼ିଶା ରାଜ୍ୟ ରୂପେ ନାମକରଣ କରାଯାଇଥିଲା । ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ, ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି, ଫକିର ମୋହନ ସେନାପତି ଏବଂ ଗଙ୍ଗାଧର ମେହେର, ଗୌରୀଶଙ୍କର ରାୟଙ୍କ ଅଗ୍ରଣୀ ପ୍ରୟାସ ଯୋଗୁ ଓଡ଼ିଶା ଏକ ଅଲଗା ସୁନ୍ଦର ଭାଷା ଓ ପାରମ୍ପରିକ ରାଜ୍ୟ ହୋଇଗଲା । ଆଜି ବିଶ୍ୱ ଆଗରେ ଓଡ଼ିଆ ଜାତି ମୁଣ୍ଡ ଉଠାଇ ଠିଆ ହୋଇଛି । ଓଡ଼ିଆ ସଂସ୍କୃତି, ଓଡ଼ିଆର ଗୌରବମୟ ଇତିହାସ ସମୟର ଝଡ଼ରେ ହଜିଯାଇନି ।
ଉତ୍କଳର ଆଉ ଗୋଟିଏ ନାମ କଳିଙ୍ଗ । ଅନେକ ସ୍ଥାନରେ ଏହି ନାମ ଦେଖିବାକୁ ମିଳିଛି । ଅଶୋକଙ୍କ କଳିଙ୍ଗ ଯୁଦ୍ଧ ତା’ ସହିତ ଅନେକ ଶିଳାଲିପି ଓଡ଼ିଶାର ପ୍ରତିଷ୍ଠା ଓ ସ୍ଥିତିକୁ ଦର୍ଶାଇଛି । ଖାରାବେଳଙ୍କର ଶିଳାଲିପି ମଧ୍ୟ ଓଡ଼ିଶାର ଗୌରବମୟ ଇତିହାସର ଏକ ଉଦାହାରଣ ।

ଦିନଥିଲା ଓଡିଆ ବୀରମାନେ ଗଙ୍ଗା ଠାରୁ ଗୋଦାବରୀ ଯାଏଁ ଭୂମଣ୍ଡଳ ଉପରେ ବିଜୟର ପତାକା ଉଡାଇଥିଲେ । ମହାଭାରତର ପୃଷ୍ଠାରେ କଳିଙ୍ଗର ନାମ ମଧ୍ୟ ଉଲ୍ଲେଖ କରାଯାଇଛି । ଦୁର୍ଯ୍ୟୋଧନର ନିମନ୍ତ୍ରଣ ପାଇ କଲିଙ୍ଗ ରାଜା ମହାଭାରତର ଯୁଦ୍ଧରେ ଯୋଗ ଦେଇଥିଲେ ଏବଂ ଯୁଦ୍ଧ
କରି ମୃତ୍ୟୁବରଣ କରିଥିଲେ । ଉତ୍କଳ ଦିବସ କେବଳ ଭାରତରେ ନୁହେଁ ବରଂ ଅନ୍ୟ ଦେଶରେ ମଧ୍ୟ ପାଳନ କରାଯାଏ । ଉତ୍କଳ ଦିବସ ଅନ୍ୟ ଦେଶରେ ବାସ କରୁଥିବା ଓଡ଼ିଆ ଲୋକଙ୍କ ଦ୍ୱାରା ପାଳନ କରାଯାଇଥାଏ । ଏହି ଦିବସର ମହତ୍ୱ ଦର୍ଶାଇବା ପାଇଁ ରାଜ୍ୟର ଛୋଟବଡ଼ ଅନେକ
ସହରରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ । ଉତ୍କଳ ଦିବସକୁ ଓଡ଼ିଶା ସରକାରଙ୍କ ଦ୍ୱାରା ରାଜ୍ୟ ବ୍ୟାପୀ ଛୁଟି ଘୋଷଣା କରାଯାଇଥାଏ । ସ୍କୁଲ, କଲେଜ, ଅଫିସ୍ ଓ ବ୍ୟାଙ୍କଗୁଡିକ ବନ୍ଦ ହୋଇଥାଏ ।

ଉତ୍କଳ ଦିବସରେ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥାଏ । ଉତ୍କଳ ଦିବସ ଅବସରରେ ଚିତ୍ରାଙ୍କନ, କବିତା ପାଠ, ବକୃତା ପ୍ରତିଯୋଗୀତା ଆଦି ଅନେକ ସ୍ଥାନରେ ଅନୁଷ୍ଠିତ ହୋଇଥାଏ । ଏହାର ମୂଳ ଉଦ୍ଦେଶ୍ୟ ହେଲା ନୂଆ ପିଢ଼ିଙ୍କୁ ଓଡ଼ିଆ ଭାଷା ଓ ଓଡ଼ିଶାର ସଂସ୍କୃତି ସହିତ ପରିଚୟ କରାଇବା । ନିଜକୁ ଓଡ଼ିଆ ଭାବି ଗୌରବାନ୍ୱିତ ହେବା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button