ବ୍ୟବସାୟ

ସରକାରଙ୍କୁ ପିଆଜ ଚିନ୍ତା: ୪୦% ରପ୍ତାନି ଶୁଳ୍କ ଲାଗିଲା – Utkal Mail


ନୂଆଦିଲ୍ଲୀ/ଭୁବନେଶ୍ବର: ଦେଶରେ ପିଆଜ ମୂଲ୍ୟ ଗତ କିଛିଦିନ ହେଲା ବୃଦ୍ଧି ପାଉଛି। ସରକାରଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଛି। ମୂଲ୍ୟକୁ ‌ନିୟନ୍ତ୍ରଣ କରିବା ପାଇଁ ସରକାର ଆଜି ପିଆଜ ରପ୍ତାନି ଉପରେ ୪୦ ପ୍ରତିଶତ ଶୁଳ୍କ ଲାଗୁ ଘୋଷଣା କରିଛନ୍ତି। ଉକ୍ତ ଶୁଳ୍କ ଲାଗୁକୁ ତତ୍କାଳ କାର୍ଯ୍ୟକାରୀ କରାଯାଇଛି। ଆସନ୍ତା ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହି ଶୁଳ୍କ ଜାରି ରହିବ। ଦେଶରେ ପିଆଜ ଉପଲବ୍ଧତା ବୃଦ୍ଧି କରିବା ପାଇଁ ୪୦ ପ୍ରତିଶତ ରପ୍ତାନି ଶୁଳ୍କ ଲାଗୁ କରାଯାଇଛି ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। କିଛିଦିନ ତଳେ କ୍ରିସିଲ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଥିଲା ଯେଉଁଥିରେ ଅଗଷ୍ଟ ଏବଂ ସେପ୍ଟେମ୍ବର ମାସରେ ପିଆଜ ଦର ବୃଦ୍ଧି ପାଇବ ବୋଲି କୁହାଯାଇଥିଲା। ଏପରିକି ସେପ୍ଟେମ୍ବରରେ ପିଆଜ ଦର ୭୦ରୁ ୮୦ ଟଙ୍କା ଭଳି ସ୍ତର ଛୁଇଁପାରେ ବୋଲି ରିପୋର୍ଟରେ ଦର୍ଶାଯାଇଥିଲା।

ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ସରକାର କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବଫର ଷ୍ଟକରୁ ପିଆଜ କାଢ଼ିବା ପାଇଁ ଘୋଷଣା କରିଥିଲେ। ଅକ୍ଟୋବରରେ ନୂଆ ପିଆଜ ଆସିବା ପର୍ଯ୍ୟନ୍ତ ଦରକୁ ନିୟନ୍ତ୍ରଣରେ ରଖିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଥିଲେ। ଇ-କମର୍ସ ଠାରୁ ଆରମ୍ଭ କରି ଇ-ନିଲାମ, ରାଜ୍ୟ ସରକାରଙ୍କ ସହ ସହଯୋଗିତା ଆଦି ମାଧ୍ୟମରେ ଗ୍ରାହକଙ୍କୁ ସୁଲଭ ମୂଲ୍ୟରେ ପିଆଜ ଯୋଗାଇ ଦେବା ପାଇଁ ସରକାର ଚିନ୍ତା କରୁଛନ୍ତି। ମୂଲ୍ୟ ସ୍ଥିରୀକରଣ ପାଣ୍ଠି (ପିଏସଏଫ) ଯୋଜନାରେ ସରକାରଙ୍କ ନିକଟରେ ୩ ଲକ୍ଷ ଟନର ପିଆଜ ଗଚ୍ଛିତ ରହିଛି।

ସରକାରୀ ତଥ୍ୟ ଅନୁଯାୟୀ, ପିଆଜ ମୂଲ୍ୟ ଗତ କିଛିଦିନ ହେଲା ବଢ଼ିବାରେ ଲାଗିଛି। ଅଗଷ୍ଟ ୧୦ରେ ଏହାର ମୂଲ୍ୟ କିଲୋଗ୍ରାମ ପିଛା ସର୍ବଭାରତୀୟ ସ୍ତରରେ ହାରାହାରି ୨୭ ଟଙ୍କା ୯୦ ପଇସା ଥିଲା। ଗତବର୍ଷ ଏହି ସମୟ ତୁଳନାରେ ମୂଲ୍ୟରେ ପ୍ରାୟ ୨ ଟଙ୍କା ବୃଦ୍ଧି ଘଟିଥିଲା। ପୂର୍ବରୁ ଭାରତୀୟ ଜାତୀୟ ସମବାୟ ଖାଉଟି ମହାସଂଘ (ଏନସିସିଏଫ) ଏବଂ ଭାରତର ଜାତୀୟ କୃଷି ସମବାୟ ବିପଣନ ମହାସଂଘ (ନାଫେଡ) ଜରିଆରେ ସରକାର ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରୁ ଦେଢ଼ ଲକ୍ଷ ଟନ ଲେଖାଏଁ ପିଆଜ ସଂଗ୍ରହ କରିଥିଲେ। ଏଥିସହିତ ପିଆଜକୁ କିଭଳି ଅଧିକ ଦିନ ଧରି ସାଇତି ରଖାଯାଇ ପାରିବ ସେଥିପାଇଁ ସରକାର ଭାବା ଆଟମିକ ରିସର୍ଚ୍ଚ ସେଣ୍ଟର (ବାର୍କ) ସହଯୋଗରେ ଏକ ପାଇଲଟ ପରୀକ୍ଷଣ କରିଥିଲେ। ଖାଉଟି ବ୍ୟାପାର ମନ୍ତ୍ରାଳୟର ସୂଚନା ଅନୁଯାୟୀ, ପିଆଜର ବାର୍ଷିକ ବଫର ଷ୍ଟକ ୨୦୨୦-୨୧ରେ ୧ ଲକ୍ଷ ଟନ ଥିବାବେଳେ ୨୦୨୩-୨୪ରେ ଏହା ୩ ଲକ୍ଷ ଟନକୁ ବୃଦ୍ଧି ପାଇଛି। ଲୋକଙ୍କ ନିକଟରେ ପିଆଜ ପହଞ୍ଚାଇବାରେ ଏବଂ ମୂଲ୍ୟକୁ ସ୍ଥିର ରଖିବାରେ ବଫର ଷ୍ଟକ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ଖାଉଟି ବ୍ୟାପାର ମନ୍ତ୍ରାଳୟ କହିଛି। ରବି ଋତୁରେ ଭାରତ ପାଖାପାଖି ୬୫ ପ୍ରତିଶତ ପିଆଜ ଅମଳ କରିଥାଏ। ଏପ୍ରିଲରୁ ଜୁନ ମଧ୍ୟରେ ଏହି ଅମଳ ହୋଇଥାଏ। ଅକ୍ଟୋବରୁ ନଭେମ୍ବରରେ ଖରିଫ ପିଆଜ ଆସିବା ପର୍ଯ୍ୟନ୍ତ ଏହା ଖାଉଟିଙ୍କ ଚାହିଦା ମେଣ୍ଟାଇଥାଏ।

ଭୁବନେଶ୍ବରର ଜଣେ ବ୍ୟବସାୟୀଙ୍କ କହିବାନୁଯାୟୀ, ଗତ ୧୨ ଦିନ ମଧ୍ୟରେ ପିଆଜ ଦର କିଲୋଗ୍ରାମ ପିଛା ୧୦ ଟଙ୍କା ବଢ଼ିଯାଇଛି। ତେବେ ତାଙ୍କ ମତରେ ପିଆଜ ଦର ସାଧାରଣତଃ ଅଗଷ୍ଟରୁ ନଭେମ୍ବର ପର୍ଯ୍ୟନ୍ତ ଉଚ୍ଚା ରହିଥାଏ। ଏହି ସମୟରେ ପୁରୁଣା ପିଆଜ ବଜାରରେ ବିକ୍ରି ହୋଇଥାଏ। ତେଣୁ ଡିସେମ୍ବର ବେଳକୁ ପିଆଜ ମୂଲ୍ୟ ହ୍ରାସ ପାଇଥାଏ। ଆଗାମୀ ଦିନରେ ପିଆଜ ଦର ହ୍ରାସ ପାଇବ କି ନାହିଁ ତାହା ଆନ୍ଧ୍ର ପ୍ରଦେଶର ରାଜମଣ୍ଡ୍ରିରେ ହେଉଥିବା ଉତ୍ପାଦନ ଉପରେ ନିର୍ଭର କରେ। ଯଦି ସେଠାରେ ଉତ୍ପାଦନ ସ୍ବାଭାବିକ ରହେ ତାହେଲେ ମୂଲ୍ୟ ନିୟନ୍ତ୍ରଣ ହୋଇପାରିବ ବୋଲି ସେ ମତ ଦେଇଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button