ବିଭାଜିତ ବିଶ୍ବରେ ଜି-୨୦ର ଅଖଣ୍ଡତା ବଜାୟ ରଖିବା ଜରୁରି: ଭାରତ ସହ ସ୍ୱର ମିଳାଇଲା ଚୀନ୍

ନୂଆଦିଲ୍ଲୀ: ବ୍ରିକ୍ସ ସଙ୍ଗଠନକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ‘ବେପରୁଆ ବୟାନ’ ବ୍ରିକ୍ସର ଶକ୍ତିକୁ ଗୌଣ କରି ଦେଖାଇବା ନିମନ୍ତେ ଏକ ପ୍ରୟାସ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏବେ ଭାରତ ଓ ଚୀନ୍ ଜି-୨୦ର ଅଖଣ୍ଡତା ବଜାୟ ରଖିବା ଉପରେ ଗୁରୁତ୍ବାରୋପ କରିଛନ୍ତି। ଜି-୨୦କୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଭାରତର ଡାକରାକୁ ଚୀନ୍ ସମର୍ଥନ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ବିଶ୍ୱ ସ୍ତରରେ ଏକ ଧ୍ରୁବୀକରଣ ପରିସ୍ଥିତି ମଧ୍ୟରେ ଜି-୨୦ ଗୋଷ୍ଠୀର ଅଖଣ୍ଡତା ବଜାୟ ରଖିବା ପାଇଁ ଭାରତ ଏବଂ ଚୀନ୍ର ମିଳିତ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଜି-୨୦ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଏ ବାବଦ ଆଲୋଚନା ହୋଇଛି।
ଆନ୍ତର୍ଜାତିକ ଅର୍ଥନୈତିକ ସହଯୋଗ ପାଇଁ ଏକ ପ୍ରମୁଖ ମଞ୍ଚ ଭାବରେ ଜି-୨୦ ବିଶ୍ୱ ଅର୍ଥନୀତି ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡ଼ିକୁ ଅତିକ୍ରମ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ଉଭୟ ଭାରତ ଓ ଚୀନ୍ ବିଦେଶ ମନ୍ତ୍ରୀ ବୟାନ ଦେଇଛନ୍ତି। ଭାରତ-ଚୀନ୍ ଦ୍ବିପାକ୍ଷିକ ସଂପର୍କରେ ମଧ୍ୟ ଉନ୍ନତି ଆଣିବାକୁ ଚୀନ୍ ଗୁରୁତ୍ବାରୋପ କରିଛି। ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ୱାଙ୍ଗ୍ ଦର୍ଶାଇଛନ୍ତି ଯେ ଗତବର୍ଷ ରୁଷ୍ର କାଜାନରେ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ସଫଳ ବୈଠକ ପରେ ଉଭୟ ଦେଶ ମଧ୍ୟରେ ସମସ୍ତ ସ୍ତରରେ ବିନିମୟ ଯୋଜନାବଦ୍ଧ ଭାବେ ଆରମ୍ଭ ହୋଇଛି।
ୱାଙ୍ଗ୍ କହିଛନ୍ତି ଯେ ଭାରତ ସହ ସୀମା ପ୍ରସଙ୍ଗରେ ସ୍ୱତନ୍ତ୍ର ପ୍ରତିନିଧି ବୈଠକରେ ନିର୍ଦ୍ଦିଷ୍ଟ ମତଭେଦ ଦୂର କରିବା ଓ ସୀମାରେ ସୁପରିଚାଳନା କରିବା ପାଇଁ ସହମତି ହୋଇଛି। ପାରସ୍ପରିକ ବିଶ୍ୱାସ ଫେରାଇ ଆଣିବା ପାଇଁ ଦୁଇ ଦେଶର ଜନସାଧାରଣଙ୍କ ସାଧାରଣ ଆଶା ଅନୁଯାୟୀ ଏହା କରାଯାଇଛି ବୋଲି ୱାଙ୍ଗ କହିଛନ୍ତି। ଜୟଶଙ୍କର କହିଛନ୍ତି ଯେ ଜି-୨୦ ଭଳି ଫୋରମ୍ ଭାରତ ଓ ଚୀନ୍କୁ ସେମାନଙ୍କ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଁ ସୁଯୋଗ ପ୍ରଦାନ କରିଛି।