ଦେଶ ବିଦେଶ

ଇଲେକ୍ଟୋରାଲ ବଣ୍ଡ୍‌ ତଥ୍ୟ ଦେବାକୁ ଆମେ ବାଧ୍ୟ ନୁହେଁ : ଷ୍ଟେଟ୍‌ ବ୍ୟାଙ୍କ

ନୂଆଦିଲ୍ଲୀ: ସୂଚନା ଅଧିକାର ନିୟମ ବା ଆର୍ଟିଆଇ ଅଧୀନରେ ଇଲେକ୍ଟୋରାଲ ବଣ୍ଡ୍ ବାବଦ ତଥ୍ୟ ଦେବାକୁ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍ବିଆଇ) ମନା କରିଛି । ଏହା ବ୍ୟକ୍ତିଗତ ତଥ୍ୟ ଏବଂ ଦାୟିତ୍ୱପୂର୍ଣ୍ଣତାର ସହ ରଖାଯାଇଥିବା ଷ୍ଟେଟବ୍ୟାଙ୍କ କହିଛି। ନିର୍ବାଚନ କମିଶନ(ଇସି)ଙ୍କ ୱେବସାଇଟ୍ ରେ  ଇଲେକ୍ଟୋରାଲ ବଣ୍ଡ୍ ବାବଦ ତଥ୍ୟ ଉପଲବ୍ଧ ଅଛି ।

ଗତ ଫେବ୍ରୁଆରୀ ୧୫ରେ ସୁପ୍ରିମକୋର୍ଟ ନିର୍ବାଚନୀ ବଣ୍ଡ୍ ଯୋଜନାକୁ ଅସାମ୍ବିଧାନିକ ଏବଂ ମନମୁଖୀ ବୋଲି କହିବା ସହ ଏ ବାବଦ ସମସ୍ତ ତଥ୍ୟ ନିର୍ବାଚନ କମିଶନଙ୍କୁ ପ୍ରଦାନ କରିବାକୁ ଷ୍ଟେଟ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଥିଲେ। ଗତ ମାର୍ଚ୍ଚ ୧୨ରେ ଷ୍ଟେଟ ବ୍ୟାଙ୍କ ଇସିଙ୍କୁ ତଥ୍ୟ ଦେବା ପରେ ତାହା ଇସିଙ୍କ ୱେବସାଇଟରେ ପ୍ରକାଶ ପାଇଥିଲା।

ଆର୍ଟିଆଇ କାର୍ଯ୍ୟକର୍ତ୍ତା (ଅବସରପ୍ରାପ୍ତ) ଲୋକେଶ ବାତ୍ରା ମାର୍ଚ୍ଚ ୧୩ରେ ଷ୍ଟେଟ ବ୍ୟାଙ୍କଠାରୁ ଇଲେକ୍ଟୋରାଲ ବଣ୍ଡ୍ ବାବଦ ତଥ୍ୟ ଡିଜିଟାଲ ଭାବେ ପ୍ରଦାନ କରିବାକୁ ଦାବି କରିଥିଲେ । କିନ୍ତୁ ବ୍ୟାଙ୍କ ଆର୍ଟିଆଇ ଆଇନ ଅନୁସାରେ ଦୁଇଟି ପ୍ରାବଧାନ କଥା ଉଠାଇ ଏହି ତଥ୍ୟ ଦେବାକୁ ମନା କରିଛି । ଏହି ଆଇନର ଧାରା ୮(୧) (ଇ) ଏକ ଦାୟିତ୍ୱସମ୍ପନ୍ନ ହାତରେ ଥିବା ରେକର୍ଡ ସମ୍ବନ୍ଧିତ ଏବଂ ଧାରା ୮(୧)(ଜେ) ବ୍ୟକ୍ତିଗତ ତଥ୍ୟ ପ୍ରଦାନ ନ କରିବାକୁ ଅନୁମତି ଦେଇଥାଏ ।

ଇଲେକ୍ଟୋରାଲ ବଣ୍ଡ ମାମଲାରେ କେସ୍ ଲଢ଼ିଥିବା ବରିଷ୍ଠ ଓକିଲ ହରିଶ ସାଲ୍ଭେଙ୍କୁ କେତେ ଟଙ୍କା ଦିଆଯାଇଛି ତାହାର ତଥ୍ୟ ମଧ୍ୟ ଲୋକେଶ ବାତ୍ରା ମାଗିଥିଲେ । ତେବେ ଷ୍ଟେଟ ବ୍ୟାଙ୍କ ସୂଚନା ଦେବାକୁ ମନା କରିବା ପରେ ବାତ୍ରା କହିଛନ୍ତି, ଏହା ଆଶ୍ଚର୍ଯ୍ୟର କଥା । କାରଣ ପୂର୍ବରୁ ଇଲେକ୍ଟୋରାଲ ବଣ୍ଡ୍ ତଥ୍ୟ ଇସିଙ୍କ ୱେବସାଇଟରେ ଅଛି । ସାଲ୍ଭେଙ୍କୁ ଯେଉଁ ଫି’ ଦିଆଯାଇଛି ତାହା ମଧ୍ୟ କରଦାତାଙ୍କ ଟଙ୍କା । ତେଣୁ ଏ ବାବଦ ତଥ୍ୟ ବ୍ୟାଙ୍କ କାହିଁକି ଦେବାକୁ ମନା କରୁଛି ତାହା ବୁଝାପଡ଼ୁନାହିଁ ବୋଲି ବାତ୍ରା କହିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button