ବିଜେପି ଛାଡିଲେ ରମାରଞ୍ଜନ ବଳିୟାରସିଂହ, ଟିକେଟ ନ ମିଳିବାରୁ…
ବିଜେପି ଛାଡିଲେ ରମାରଞ୍ଜନ ବଳିୟାରସିଂହ। ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାର ସିଂହ ଆଜି ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଛନ୍ତି। ପୂର୍ବରୁ ସେ ବିଜେପି ମୁଖପାତ୍ର ମଧ୍ୟ ରହିଥିଲେ।
ସେ ତାଙ୍କ ଇସ୍ତଫା ପତ୍ରରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ, ଦୀର୍ଘ ଦିନ ଧରି ସେ ସତ୍ୟବାଦୀରେ ବିଜେପି ପାଇଁ କାମ କରୁଥିଲେ। ଯେତେବେଳେ ଦଳ ତାଙ୍କୁ ଯେଉଁ ଦାୟିତ୍ଵ ଦେଇଛି , ତାହା ସେ ସମ୍ପନ୍ନ କରିଛନ୍ତି। କିନ୍ତୁ ଦଳ ତାଙ୍କୁ ପ୍ରତାରିତ କରିଛି। ଦଳ ତାଙ୍କୁ ଅଣଦେଖା କରିଛି।ଯେଉଁଥିପାଇଁ ସେ ଇସ୍ତଫା ଦେଇଛନ୍ତି।
ସୂଚନା ମୁତାବକ ସତ୍ୟବାଦୀରୁ ସେ ବିଧାୟକ ଭାବେ ଲଢିବାକୁ ଆଶାୟୀ ଥିଲେ। କିନ୍ତୁ ଯେହେତୁ ଦଳ ଓମପ୍ରକାଶ ମିଶ୍ରଙ୍କ ଉପରେ ଭରସା କରିଲା ଯିଏକି ପୂର୍ବଧର ପ୍ରାର୍ଥୀ ହୋଇଥିଲେ ସେଥି ପାଇଁ ସେ ଦଳ ଉପରେ ଅସନ୍ତୋଷ ଥିଲେ ।
ଟିକେଟ୍ ଆଶାରେ ଥିବା ରମାରଞ୍ଜନ ଏହାକୁ ନେଇ ଅସନ୍ତୁଷ୍ଟ ଥିଲେ। ଏପରିକି କିଛି ଦିନ ହେବ ଦଳର କୌଣସି କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳୁନଥିଲେ। ତାକୁ ନେଇ ସେ ଦଳ ଛାଡିଥିବା କୁହାଯାଉଛି। ୨୫ ତାରିଖରେ ସତ୍ୟବାଦୀରେ ଭୋଟ୍ ଗ୍ରହଣ ହେବାକୁ ଥିବାବେଳେ ତାର କିଛି ଦିନ ପୂର୍ବରୁ ଦଳ ଛାଡିବା ବିଜେପି ପାଇଁ ବହୁ ବିପଦ ହୋଇପାରେ।