ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି: ପାକିସ୍ତାନକୁ ୪-୦ରେ ବିଦା କଲା ଭାରତ – Utkal Mail
ଭାରତ-ଜାପାନ, ମାଲେସିଆ-କୋରିଆ ସେମି ଲଢ଼େଇ
ଚେନ୍ନାଇ : ଚଳିତ ଏସୀୟ ଚାମ୍ପିଅନ୍ସ ଟ୍ରଫି ହକିରୁ ଚିରପ୍ରତିନ୍ଦ୍ବନ୍ଦ୍ବୀ ପାକିସ୍ତାନକୁ ବିଦାୟ ରାସ୍ତା ଦେଖାଇଛି ଭାରତ। ବୁଧବାର ଏଠାରେ ଖେଳାଯାଇଥିବା ଶେଷ ଲିଗ୍ ମ୍ୟାଚ୍ରେ ପୂର୍ବରୁ ସେମିଫାଇନାଲ୍ ସ୍ଥାନ ନିଶ୍ଚିତ କରିଥିବା ଭାରତ ଘରୋଇ ପରିବେଶର ପୂରା ଫାଇଦା ଉଠାଇ ୪-୦ ଗୋଲ୍ରେ ପାକିସ୍ତାନକୁ ମାତ୍ ଦେଇଛି। ଏହି ବିଜୟ ସହ ଭାରତ (୧୩ ପଏଣ୍ଟ) ଲିଗ୍ ପର୍ଯ୍ୟାୟରେ ଅପରାଜେୟ ରହିବା ସହ ଟେବୁଲର ଶୀର୍ଷ ସ୍ଥାନ ଦଖଲ କରିଛି। ଶୁକ୍ରବାର ସେମିଫାଇନାଲ୍ରେ ଭାରତ ଟେବୁଲର ଚତୁର୍ଥ ସ୍ଥାନରେ ଥିବା ଜାପାନ (୫ ପଏଣ୍ଟ)କୁ ଭେଟିବ। ଅନ୍ୟ ଏକ ସେମିଫାଇନାଲ୍ରେ ଦ୍ବିତୀୟ ସ୍ଥାନରେ ଥିବା ମାଲେସିଆ (୧୨ ପଏଣ୍ଟ) ଓ କୋରିଆ (୫ ପଏଣ୍ଟ) ମୁହାଁମୁହିଁ ହେବେ। ବୁଧବାର ଖେଳାଯାଇଥିବା ଅନ୍ୟ ଦୁଇ ମ୍ୟାଚ୍ରେ ଜାପାନ ୨-୧ ଗୋଲ୍ରେ ଚୀନ୍କୁ ଏବଂ ମାଲେସିଆ ୧-୦ ଗୋଲ୍ରେ କୋରିଆକୁ ପରାସ୍ତ କରିଥିଲା। ଜାପାନ, କୋରିଆ ଓ ପାକିସ୍ତାନ ସମାନ ୫ ପଏଣ୍ଟ ଲେଖାଏଁ ପାଇଥିଲେ ମଧ୍ୟ ଗୋଲ୍ ବ୍ୟବଧାନରେ ପାକିସ୍ତାନ ପଛରେ ପଡ଼ି ସେମିଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିଥିଲା। କୋରିଆ ଓ ଜାପାନ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନ ସହ ସେମିଫାଇନାଲ୍ ସ୍ଥାନ ପକ୍କା କରିଥିଲେ। ଏବେ ପାକିସ୍ତାନ ପଞ୍ଚମ ସ୍ଥାନ ପାଇଁ ଚୀନ୍ ସହ ଲଢ଼େଇ କରିବ।
ବୁଧବାର ପାକିସ୍ତାନ ବିପକ୍ଷ ଶେଷ ଲିଗ୍ ମ୍ୟାଚ୍ରେ ଭାରତ ଆରମ୍ଭରୁ ଆଧିପତ୍ୟ ବିସ୍ତାର କରିଥିଲା। ପ୍ରଥମ କ୍ବାର୍ଟରର ଶେଷ ମିନିଟ୍ରେ ଦଳକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ପରିଣତ କରି ଅଧିନାୟକ ହର୍ମନପ୍ରୀତ ସିଂହ (୧୫ ମିନିଟ୍) ଅଭିଯାନ ଆରମ୍ଭ କରିଥିଲେ। ୨୩ତମ ମିନିଟ୍ରେ ଆଉ ଏକ ପେନାଲ୍ଟି କର୍ଣ୍ଣରକୁ ସଫଳତାର ସହ ପାକିସ୍ତାନ ଗୋଲ୍ ପୋଷ୍ଟ୍କୁ ବଲ୍ ପଠାଇ ଭାରତକୁ ଦ୍ବିତୀୟ ସଫଳତା ଦେଇଥିଲେ ଭାରତୀୟ ଅଧିନାୟକ। ପ୍ରଥମାର୍ଦ୍ଧରେ ୨-୦ରେ ଆଗୁଆ ଥିବା ତୃତୀୟ କ୍ବାର୍ଟରରେ ଭାରତକୁ ମିଳିଥିବା ଆଉ ଏକ ପେନାଲ୍ଟି କର୍ଣ୍ଣରକୁ ଯୁଗରାଜ ସିଂହ (୩୬ ମିନିଟ୍) ଗୋଲ୍ରେ ପରିଣତ କରିଦେଇଥିଲେ। ଶେଷ କ୍ବାର୍ଟରରେ ଆକାଶଦୀପ ସିଂହ (୫୫ ମିନିଟ୍) ଫିଲ୍ଡ ଗୋଲ୍ ଦେଇ ଭାରତକୁ ୪-୦ ବିଜୟ ଭେଟି ଦେଇଥିଲେ।