ସର୍ବଭାରତୀୟ କନିଷ୍ଠ ବ୍ୟାଡ୍ମିଣ୍ଟନ୍: ୮ ଓଡ଼ିଆଙ୍କୁ ୱାଇଲ୍ଡ କାର୍ଡ ପ୍ରବେଶ

ଭୁବନେଶ୍ୱର: କିଟ୍ ବିଶ୍ବବିଦ୍ୟାଳୟ ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିୟମ୍ଠାରେ ଚାଲିଥିବା ସର୍ବଭାରତୀୟ ଜୁନିୟର (୧୯ ବର୍ଷରୁ କମ୍) ବ୍ୟାଡମିଣ୍ଟନ୍ ପ୍ରତିଯୋଗିତାର ମୁଖ୍ୟ ଡ୍ର’ ରବିବାରଠାରୁ ଆରମ୍ଭ ହୋଇଯିବ। ଏଥିପାଇଁ ଚାଲିଥିବା ୩ ଦିନିଆ ଯୋଗ୍ୟତା ପର୍ଯ୍ୟାୟ ଶନିବାର ଶେଷ ହୋଇଛି। ବାଳକ ଓ ବାଳିକା ଏକକରେ ୩୨ ଜଣ ଲେଖାଏଁ ଖେଳାଳି ଏବଂ ବାଳକ, ବାଳିକା, ମିଶ୍ରିତ ଯୁଗଳରେ ମଧ୍ୟ ସମାନ ୧୬ଟି ଲେଖାଏଁ ଦଳ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି।
ଯୋଗ୍ୟତା ପର୍ଯ୍ୟାୟରେ ୧୩ ଜଣ ଓଡ଼ିଆ ଖେଳାଳି ଅଂଶଗ୍ରହଣ କରିଥିଲେ ମଧ୍ୟ ଜଣେ ହେଲେ ମୁଖ୍ୟ ଡ୍ର’ ପାଇଁ ଯୋଗ୍ୟତା ଅର୍ଜନ କରିପାରି ନାହାନ୍ତି। ତଥାପି ଏହି ଜାତୀୟସ୍ତରର ପ୍ରତିଯୋଗିତା ଓଡ଼ିଶାରେ ହେଉଥିବାରୁ ୮ ଜଣ ଓଡ଼ିଆ ଖେଳାଳିଙ୍କୁ ୫ଟି ଯାକ ବର୍ଗରେ ଖେଳିବାକୁ ୱାଇଲ୍ଡ କାର୍ଡ ପ୍ରବେଶ ଦିଆଯାଇଛି। ସେମାନେ ହେଲେ ମୟଙ୍କ ଭରଦ୍ବାଜ, ଶ୍ରେୟସ ପରିଡ଼ା (ବାଳକ ଏକକ), ଶୁଭ୍ରକେତନ ମଲ୍ଲିକ-ଶ୍ରେୟାଂଶ ଜେନା (ବାଳକ ଯୁଗଳ), ଗୀତାଶ୍ରୀ ଦେ, ଅଶ୍ବିକା ମିଶ୍ର (ବାଳିକା ଏକକ), ଆଦ୍ୟା ପାଢ଼ୀ-ସ୍ବିଟି ପ୍ରିୟା ପ୍ରଧାନ (ବାଳିକା ଯୁଗଳ), ଶୁଭ୍ରକେତନ ମଲ୍ଲିକ-ସ୍ବିଟି ପ୍ରିୟା ପ୍ରଧାନ (ମିଶ୍ରିତ ଯୁଗଳ)। ବାଳିକା ବର୍ଗର ମୁଖ୍ୟ ଡ୍ର’ ପାଇଁ ଜଣେ ମାତ୍ର ଓଡ଼ିଆ ତନଭୀ ପତ୍ରୀ ଯୋଗ୍ୟତା ଅର୍ଜନ କରିଥିଲେ ମଧ୍ୟ ବ୍ୟକ୍ତିଗତ କାରଣରୁ ଓହରିଯାଇଛନ୍ତି। ଚଳିତ ବର୍ଷ ତନଭୀ ଜାତୀୟ ଉପକନିଷ୍ଠ (୧୫ ଓ ୧୭ ବର୍ଷରୁ କମ୍) ବର୍ଗରେ ବିଜୟିନୀ ହୋଇଥିଲେ।
ଏହି ସର୍ବଭାରତୀୟ ପ୍ରତିଯୋଗିତାରୁ ଚୀନରେ ହେବାକୁ ଥିବା ବିଶ୍ୱ କନିଷ୍ଠ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତାର ଟ୍ରାଏଲ ପାଇଁ ଖେଳାଳି ଚୟନ କରାଯିବ। ସେଥିପାଇଁ ଏହି ପ୍ରତିଯୋଗିତାରେ ଭାଗନେଇଥିବା ଖେଳାଳିଙ୍କ ଭିତରେ ଉତ୍ତମ ଖେଳ ପ୍ରଦର୍ଶନ ପାଇଁ ପ୍ରବଳ ଉତ୍ସାହ ପରିଲକ୍ଷିତ ହେଉଛି। ପରବର୍ତ୍ତୀ ୪ ଦିନ ଜାତୀୟ ସ୍ତରର ମାନ୍ୟତାପ୍ରାପ୍ତ ଖେଳାଳିମାନେ ଭୁବନେଶ୍ବରରେ ସେମାନଙ୍କ କମାଲ କରିବେ ବୋଲି ଓଡ଼ିଶା ବ୍ୟାଡମିଣ୍ଟନ୍ ସଂଘ ସମ୍ପାଦକ ନିଲୀନ କୁମାର ପ୍ରକାଶ କରିଛନ୍ତି। ଶନିବାର ଯୋଗ୍ୟତା ପର୍ଯ୍ୟାୟର ଅନ୍ତିମ ଦିନରେ ବେଦାନ୍ତ ଆଲୁମିନାର କର୍ପୋରେଟ ଆଫାୟର୍ସ ଏବଂ ଷ୍ଟ୍ରାଟେଜି ବିଭାଗ ମୁଖ୍ୟ ଅମିତ ସିଂହ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିବା ସହ ରାଜ୍ୟ ବ୍ୟାଡମିଣ୍ଟନ୍ର ବୈଷୟିକ ଅଧିକାରୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।