ଭାରତର ଦ୍ବିତୀୟ ବିଜୟ: ରୋହିତଙ୍କ ବିସ୍ଫୋରକ ଶତକ, ଆଫଗାନିସ୍ତାନ ୮ ୱିକେଟ୍ରେ ପରାସ୍ତ – Utkal Mail
ନୂଆଦିଲ୍ଲୀ: ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ପରେ ରୋହିତ ଶର୍ମା, ଈଶାନ କିଶନ, ବିରାଟ କୋହଲି, ଶ୍ରେୟସ ଆୟରଙ୍କ ବଢ଼ିଆ ବ୍ୟାଟିଂ ବଳରେ ଭାରତ ବୁଧବାର ଚଳିତ ବିଶ୍ବକପ୍ରେ ଆଫଗାନିସ୍ତାନକୁ ଅତି ସହଜରେ ୮ ୱିକେଟ୍ରେ ପରାସ୍ତ କରିଛି। ଏଥି ସହ ଭାରତ କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିଛି। ରୋହିତ ଶର୍ମା ମାତ୍ର ୮୪ ବଲ୍ରୁ ୧୩୧ ରନ୍ର ପାଳି ଖେଳି ଏକାଧିକ କୀର୍ତ୍ତିମାନ କରିଥିବା ବେଳେ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ଗତ ରବିବାର ଅଷ୍ଟ୍ରେଲିଆ ବିପକ୍ଷରେ ଶୂନରେ ଆଉଟ୍ ହୋଇଥିବା ରୋହିତ, କିଶନ ଓ ଶ୍ରେୟସ ବୁଧବାର ଭଲ ବ୍ୟାଟିଂ କରି ଆତ୍ମବିଶ୍ବାସକୁ ଫେରିଛନ୍ତି। ଭାରତ ନିଜର ପରବର୍ତ୍ତୀ ମ୍ୟାଚ୍ ଶନିବାର ଅହମଦାବାଦରେ ପାକିସ୍ତାନ ସହ ଖେଳିବ।
ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍ରେ ଭାରତ ସମ୍ମୁଖରେ ୨୭୩ ରନ୍ର ବିଜୟ ଲକ୍ଷ୍ୟ ରଖିଥିଲା ଆଫଗାନିସ୍ତାନ। କୋଟଲା ପିଚ୍ରେ ଏହା ସାଧାରଣ ବିଜୟ ଲକ୍ଷ୍ୟ ଭଳି ଥିଲା। ଗତ ମ୍ୟାଚ୍ର ବିଫଳତା ସତ୍ତ୍ବେ ଚାପରେ ନପଡ଼ି ରୋହିତ ଶର୍ମା ଏବଂ ଈଶାନ କିଶନ ଧୂଆଁଧାର ଆରମ୍ଭ କରିଥିଲେ। ପ୍ରଥମ ୱିକେଟ୍ ପାଇଁ ଏହି ଡାହାଣହାତୀ ଯୋଡ଼ି ମାତ୍ର ୧୮.୪ ଓଭରରେ ୧୫୬ ରନ୍ ସଂଯୋଗ କରି ଦୃଢ଼ ମୂଳଦୁଆ ପକାଇଥିଲେ। ରସିଦ ଖାନ୍ଙ୍କ ଶିକାର ହୋଇ କିଶନ ପ୍ରଥମ ବିଶ୍ବକପ୍ ଅର୍ଦ୍ଧଶତକଠାରୁ ମାତ୍ର ୩ ରନ୍ ଦୂରରେ ରହିଯାଇଥିଲେ। କିଛି ଓଭର ପରେ ରୋହିତ ଶର୍ମାଙ୍କୁ ମଧ୍ୟ ରସିଦ ଦ୍ବିତୀୟ ଶିକାର କରିଥିଲେ। ଏହା ପରେ କିନ୍ତୁ ବିରାଟ କୋହଲି କ୍ରମାଗତ ଅର୍ଦ୍ଧଶତକ (୫୬ ବଲ୍ରୁ ୫୫*) ହାସଲ କରିବା ସହ ଶ୍ରେୟସ ଆୟର (୨୩ ବଲ୍ରୁ ୨୫* ରନ୍)ଙ୍କୁ ସାଥୀ କରି ୬୮* ରନ୍ ଯୋଡ଼ିବା ସହ ୧୫ ଓଭର ପୂର୍ବରୁ ମ୍ୟାଚ୍ ଶେଷ କରିଦେଇଥିଲେ। ରୋହିତ ଶର୍ମା ଏହି ଅବସରରେ ସର୍ବାଧିକ ଦିନିକିଆ ବିଶ୍ବକପ୍ ଶତକ (୭), ଅନ୍ତର୍ଜାତୀୟ କ୍ରିକେଟ୍ରେ ସର୍ବାଧିକ ଛକା (୫୫୬), ବିଶ୍ବକପ୍ରେ ଦ୍ରୁତତମ ୧,୦୦୦ ରନ୍ (୧୯ ପାଳି) ଏବଂ ଭାରତୀୟ ଭାବେ ବିଶ୍ବକପ୍ରେ ଦ୍ରୁତତମ ଶତକ (୬୩ ବଲ୍) ହାସଲ କରି ଚର୍ଚ୍ଚାରେ ରହିଥିଲେ। ବିରାଟ କୋହଲି ମଧ୍ୟ ତାଙ୍କ ପଶ୍ଚାତଧାବନରେ ସର୍ବାଧିକ ଅର୍ଦ୍ଧଶତକ (୪୬) ହାସଲ କରି ସଚିନ ତେନ୍ଦୁଲକର (୪୫) ଙ୍କୁ ପଛରେ ପକାଇଥିଲେ। ବିଶ୍ବକପ୍ ଇତିହାସରେ ମଧ୍ୟ ସେ ଅଗ୍ରଣୀ ରନ୍ ତାଲିକାରେ ସପ୍ତମ ସ୍ଥାନକୁ ଉଠିଛନ୍ତି।
ଘାତକ ବୁମରା
ବୁଧବାର ଆଫଗାନିସ୍ତାନ ବିପକ୍ଷ ମୁକାବିଲାରେ ଯଶପ୍ରୀତ୍ ବୁମରା ପ୍ରଥମରୁ ଶେଷ ଯାଏଁ ଛାଇ ରହିଥିଲେ। ୧୦-୦-୩୯-୪ ବୋଲିଂ ଚିତ୍ର ଅବସରରେ ବୁମରା ଆଫଗାନିସ୍ତାନର ପ୍ରଥମ ଓ ଶେଷ ୱିକେଟ୍ ମଧ୍ୟ ନେଇଥିଲେ। ଇବ୍ରାହିମ ଜଦ୍ରାନଙ୍କୁ ୱିକେଟ୍ରକ୍ଷକ କେଏଲ୍ ରାହୁଲଙ୍କ ଗ୍ଲୋଭ୍ସରେ ଧରାଇବା ପରେ ଭାରତକୁ ସପ୍ତମ ଓଭରରେ ପ୍ରଥମ ୱିକେଟ୍ ମିଳିଥିଲା। ଅନ୍ୟତମ ଓପନର୍ ରହମନୁଲ୍ଲା ଗୁରବାଜଙ୍କୁ ହାର୍ଦିକ ପାଣ୍ଡ୍ୟା ପ୍ୟାଭିଲିଅନ୍ ରାସ୍ତା ଦେଖାଇବା ପରେ ରହମତ ଶାହଙ୍କୁ ଶାର୍ଦୁଳ ଠାକୁର ଏଲ୍ବିଡବ୍ଲ୍ୟୁ କରି ଦେଇଥିଲେ। ଫଳରେ ତ୍ରୟୋଦଶ ଓଭର ବେଳକୁ ଆଫଗାନିସ୍ତାନ ଦଳ ୬୩/୩ରେ ସଂଘର୍ଷ କରିଥିଲା। ଏହି ସମୟରେ ଦୁଇ ଅଭିଜ୍ଞ ଖେଳାଳି ଅଧିନାୟକ ହାସମାତୁଲ୍ଲା ସାହିଦି (୮୮ ବଲ୍ରୁ ୮୦ ରନ୍) ଏବଂ ଅଜମାତୁଲ୍ଲା ଓମରଜାଇ (୬୯ ବଲ୍ ୬୨ ରନ୍) ଚତୁର୍ଥ ୱିକେଟ୍ ପାଇଁ ୧୨୧ ରନ୍ ଯୋଡ଼ି ଭାରତୀୟ ବୋଲରଙ୍କୁ ଢେର ଧମକାଇଥିଲେ। ୩୫ତମ ଓଭରରେ କିନ୍ତୁ ହାର୍ଦିକ ପାଣ୍ଡ୍ୟାଙ୍କୁ ଚୌକା ମାରିବାର ପରବର୍ତ୍ତୀ ବଲରେ ଅଜମାତୁଲ୍ଲା ବୋଲ୍ଡ ହୋଇ ଭାରତକୁ ପୁଣି ପ୍ରତ୍ୟାବର୍ତ୍ତନ କରାଇଥିଲେ। କିଛି ଓଭର ପରେ ହାସମାତୁଲ୍ଲାଙ୍କୁ କୁଲଦୀପ ଯାଦବ ଆଉଟ୍ କରି ଆଫଗାନିସ୍ତାନକୁ ସମ୍ଭାବ୍ୟ ୩୦୦ ରନ୍ ସ୍କୋର୍ଠୁ ଦୂରେଇ ରଖିଥିଲେ। ଏହା ପରେ ମହମ୍ମଦ ନବି ଏବଂ ନଜିବୁଲ୍ଲା ଜଦ୍ରାନଙ୍କୁ ଗୋଟିଏ ଓଭରରେ ଆଉଟ୍ କରି ବୁମରା ମଧ୍ୟ ଆଫଗାନ୍ଙ୍କ ଅଣ୍ଟା ମୋଡ଼ି ଦେଇଥିଲେ।
କୁଲଦୀପଙ୍କ କଂଜୁସ୍ ବୋଲିଂ
ଆଫଗାନିସ୍ତାନ ଟସ୍ ଜିତି ବ୍ୟାଟିଂ କରିଥିଲା। କିନ୍ତୁ ପ୍ରଥମ ରନ୍ ପାଇଁ ଦଳକୁ ୧୦ ବଲ୍ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା। ବୁମରାଙ୍କ ବିସ୍ଫୋରଣ ପାଇଁ ଆଫଗାନିସ୍ତାନ ପାଳି ବିଳମ୍ବରେ ବିଗିଡ଼ିଯାଇଥିଲା। ଉଭୟ ଥିଲେ ଭାରତର ସବୁଠାରୁ ମିତବ୍ୟୟୀ ବୋଲର। ଏହି ଦୁଇ ଜଣ ମଧ୍ୟ ସେମାନଙ୍କ ସମ୍ପୂର୍ଣ୍ଣ କୋଟା ପୂର୍ଣ୍ଣ (୧୦ ଓଭର) ବୋଲିଂ କରିଥିଲେ। ବୁମରା ୩୯ ରନ୍ ଦେଇଥିବାବେଳେ କୁଲଦୀପ ୪୦ ରନ୍ ବ୍ୟୟ କରିଥିଲେ। ବୁମରା ସୁଇଂ ବୋଲିଂରେ ସଂଗତି ରଖିବାରେ ସଫଳ ହୋଇଥିଲେ। କୁଲଦୀପ ମାତ୍ର ଗୋଟିଏ ୱିକେଟ୍ ସଫଳତା ପାଇଥିଲେ ମଧ୍ୟ ଡେଥ୍ ଓଭର ବେଳକୁ ଚମତ୍କାର ବୋଲିଂ କରି ମଙ୍ଗଳବାର ଅଧିକ ଚର୍ଚ୍ଚାରେ ରହିଥିଲେ। ନିଜର ଶେଷ ୩ ଓଭର (୩୯, ୪୧, ୪୩)ରେ କୁଲଦୀପ ମାତ୍ର ୫ ରନ୍ ବ୍ୟୟ କରିବା ସବୁଠାରୁ ଉଲ୍ଲେଖନୀୟ ଛାପ ଛାଡ଼ିଥିଲା। ସଠିକ୍ ଲାଇନ୍ରେ ବୋଲିଂ କରି କୁଲଦୀପ ଏହି ୩ ଓଭରରେ ୧୩ଟି ଡଟ୍ ବଲ୍ ପକାଇଥିଲେ। ଆଫାଗାନିସ୍ତାନ ଅଧିନାୟକ ତଥା ପାଳିର ସର୍ବାଧିକ ରନ୍ ସ୍କୋରର୍ ହାସମାତୁଲ୍ଲା ସାହିଦିଙ୍କୁ ଏତେ ବାନ୍ଧି ରଖିଥିଲେ ଯେ ସେ ରିଭର୍ସ ଖେଳିବାକୁ ଯାଇ ଏଲ୍ବିଡବ୍ଲ୍ୟୁ ଶିକାର ହୋଇଥିଲେ।