୬୦୦ ବର୍ଷ ପୂର୍ବରୁ ସମସ୍ତେ କାଶ୍ମିରୀ ପଣ୍ଡିତ ଥିଲେ, ଏବେ ମୁସଲମାନ ହୋଇଯାଇଛନ୍ତି: ଗୁଲାମ ନବୀ ଆଜାଦ – Utkal Mail
ଶ୍ରୀନଗର: କଂଗ୍ରେସ ଛାଡି ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ ଆଜାଦ ପାର୍ଟି (ଡିପିଏପି) ଗଠନ କରିଥିବା ଜମ୍ମୁକଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସୋସିଆଲ ମିଡିଆରେ ଆଜାଦଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ସେ କହିଛନ୍ତି ଯେ ହିନ୍ଦୁ ଧର୍ମ ଇସଲାମଠାରୁ ପୁରାତନ। ସମସ୍ତ ମୁସଲମାନ ପୂର୍ବରୁ ହିନ୍ଦୁ ଥିଲେ। ଆମ ଦେଶର ମୁସଲମାନମାନେ ପୂର୍ବରୁ ହିନ୍ଦୁ ଥିଲେ ଓ ଏବେ ଧର୍ମ ପରିବର୍ତ୍ତନ କରିଛନ୍ତି | କାଶ୍ମୀରର ସମସ୍ତ ମୁସଲମାନ ଦିନେ କାଶ୍ମୀର ପଣ୍ଡିତ ଥିଲେ ଓ ଏବେ ଧର୍ମ ବଦଳାଇଦେଇଛନ୍ତି | ସମସ୍ତେ କେବଳ ହିନ୍ଦୁ ଧର୍ମରେ ଜନ୍ମ ହୋଇଥିଲେ। ଗୁଲାମ ନବୀ ଆଜାଦଙ୍କ ଏହି ଭିଡିଓ ଜମ୍ମୁକଶ୍ମୀରର ଡୋଡା ଜିଲ୍ଲାର ଏକ ସଭା ସମୟର ବୋଲି କୁହାଯାଉଛି। ଅଗଷ୍ଟ ୯ରେ ଡୋଡାର ଚିରାଲା ଗାଁର ଏକ ସରକାରୀ ବିଦ୍ୟାଳୟରେ ଏକ ସମାବେଶକୁ ସମ୍ବୋଧିତ କରିବା ସମୟରେ ଗୁଲାମ ନବୀ ଆଜାଦ କହିଛନ୍ତି ଯେ କାଶ୍ମୀର ପଣ୍ଡିତମାନଙ୍କ ମଧ୍ୟରୁ କିଛି ଇସଲାମ ଧର୍ମ ଗ୍ରହଣ କରିଥିଲେ ଓ କାଶ୍ମୀରୀ ମୁସଲମାନ ଭାବରେ ପରିବର୍ତ୍ତିତ ହୋଇଥିଲେ |
ଇସଲାମ ପୂର୍ବରୁ ହିନ୍ଦୁ ଧର୍ମ ଥିଲା। ଗୁଲାମ ନବୀ ଆଜାଦ କହିଛନ୍ତି ଯେ ୧୫୦୦ ବର୍ଷ ପୂର୍ବେ ଭାରତରେ ଇସଲାମ ଧର୍ମ ଅସ୍ତିତ୍ବକୁ ଆସିଥିବାବେଳେ ହିନ୍ଦୁ ଧର୍ମ ଇସଲାମଠାରୁ ପୁରାତନ। ୬୦୦ ବର୍ଷ ପୂର୍ବେ କଶ୍ମୀରରେ କୌଣସି ମୁସଲମାନ ନଥିଲେ ଏବଂ ସମସ୍ତ କାଶ୍ମୀରୀ ପଣ୍ଡିତ ଥିଲେ। ଆଜାଦ କହିଛନ୍ତି ଯେ ଭାରତରେ କେହି ବାହାର ଲୋକ ନୁହଁନ୍ତି। ଆମେ ସମସ୍ତେ ଏହି ଦେଶର ହୋଇଥିବାବେଳେ ଭାରତର ମୁସଲମାନମାନେ ମୂଳତଃ ହିନ୍ଦୁ ଥିଲେ, ଯେଉଁମାନେ ପରେ ଧର୍ମ ପରିବର୍ତ୍ତନ କରିଥିଲେ। ଆଜାଦ କହିଛନ୍ତି ଯେ ଯଦି କେହି ଧର୍ମ ନାମରେ ଭୋଟ୍ ନିଅନ୍ତି, ତେବେ ଏହା ଦେଶର ପ୍ରଗତିରେ ବାଧା ସୃଷ୍ଟି କରେ ଏବଂ ଘୃଣା ବିସ୍ତାର କରେ। ଆମ ଦଳରେ ଧର୍ମର ସ୍ଥାନ ନାହିଁ। ଆମ ରାଜ୍ୟର ବିକାଶ ପାଇଁ ଆମେ ଏକାଠି ହେବା ଉଚିତ ବୋଲି ଆଜାଦ ଲୋକଙ୍କୁ ନିବେଦନ କରିଛନ୍ତି।