‘ମହାଦେବ ଅନ୍ଲାଇନ୍ ବେଟିଂ ଆପ୍’କୁ ଯାଞ୍ଚ କରୁଥିବା ଇଡିର ନଜର ବଲିଉଡ ସେଲିବ୍ରିଟିଙ୍କ ଉପରେ – Utkal Mail
ମୁମ୍ବାଇ: ‘ମହାଦେବ ଅନ୍ଲାଇନ୍ ବେଟିଂ ଆପ୍’କୁ ଯାଞ୍ଚ କରୁଥିବା କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି ଇଡିର ନଜର ଏବେ ବଲିଉଡ ସେଲିବ୍ରିଟିଙ୍କ ଉପରେ। ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ଆପ୍କୁ ନେଇ ତଦନ୍ତ କରି ଏବେ ସେଲିବ୍ରିଟିମାନଙ୍କ ଉପରେ କଟକଣା ଲଗାଇବା ପାଇଁ ଉଦ୍ୟମ ଆରମ୍ଭ କରିଛି।
ଇଡି ନିକଟରେ ଦିଲ୍ଲୀ ଓ ମୁମ୍ବାଇରେ ଇଭେଣ୍ଟ ମ୍ୟାନେଜର ଏବଂ ସେଲିବ୍ରିଟି ମ୍ୟାନେଜରଙ୍କ ଘରେ ଚଢ଼ଉ କରି ୨.୫୦ କୋଟି ଟଙ୍କା ମୂଲ୍ୟର ଜିନିଷ ଓ ଟଙ୍କା ଜବତ କରିଛି। ଇଡି ଅନୁଯାୟୀ, ମହାଦେବ ଅନ୍ଲାଇନ୍ ବେଟିଂ ଆପର ପ୍ରମୋଟରଙ୍କ ବାହାଘରରରେ ବଲିଉଡ୍ର ପ୍ରାୟ ୧୪ ଜଣ ସେଲିବ୍ରିଟିଙ୍କୁ ନୃତ୍ୟ ପରିବେଷଣ କରିବାର ଦେଖିବାକୁ ମିଳିଥିଲା।
ଖବର ଅନୁଯାୟୀ, ସୌରଭ ଚନ୍ଦ୍ରକରଙ୍କ ବିବାହରେ ଉପସ୍ଥିତ ଥିବା ବଲିଉଡ ତାରକାଙ୍କୁ ଇଡି ଖୁବ୍ ଶୀଘ୍ର ପଚରାଉଚରା କରିପାରେ। ୨୦୨୩ ମସିହା ଫେବ୍ରୁଆରିରେ ଆୟୋଜିତ ହୋଇଥିବା ଏହି ବିବାହ ଉତ୍ସବରେ ସୌରଭ ଚନ୍ଦ୍ରକର ୨୦୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଏହି ସମୟରେ ‘ମହାଦେବ ଅନଲାଇନ୍ ବେଟିଂ ଆପ’ର ପ୍ରମୋଟରଙ୍କର ପାକିସ୍ତାନ ସଂଯୋଗ ମଧ୍ୟ ସାମ୍ନାକୁ ଆସିଛି। ଅର୍ଥ ହେରଫେର ଘଟଣାର ଅନୁସନ୍ଧାନ କରୁଥିବା ଇଡି ସୂତ୍ର ଅନୁଯାୟୀ, ପଳାତକ ଅଭିଯୁକ୍ତ ସୌରଭ ଚନ୍ଦ୍ରକର ଏବଂ ତାଙ୍କ ସହଯୋଗୀ ରବି ଅପ୍ପାଲ କେବଳ ଭାରତରେ ନୁହେଁ ପାକିସ୍ତାନରେ ମଧ୍ୟ ବ୍ୟବସାୟ ଆରମ୍ଭ କରିଛନ୍ତି। ସେମାନେ ଏହାର ନାମ ଉର୍ଦ୍ଦୁରେ ରଖିଛନ୍ତି। ବିଶେଷ କଥା ହେଉଛି ଏଥିପାଇଁ ତାଙ୍କୁ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଡ୍ ଇବ୍ରାହିମର ସୁରକ୍ଷା ମିଳିଛି।