ଓଡିଶା

ମ୍ୟାଲେରିଆରେ ଛାତ୍ରୀ ମୃତ: ଉପଜିଲ୍ଲାପାଳ ଓ ଡିଡବ୍ଲୁଓଙ୍କ ତଦନ୍ତ

ନାରାୟଣପାଟଣା: କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍‌ ଢେପାଗୁଡ଼‌ାସ୍ଥିତ ଏସ୍‌ଏସ୍‌ଡି ହାଇସ୍କୁଲର ସପ୍ତମ ଶ୍ରେଣୀ ଛାତ୍ରୀ ସଙ୍ଗୀତା ତାଡ଼ିଙ୍ଗି ମ୍ୟାଲେରିଆ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ଉପଜିଲ୍ଲାପାଳ ଓ ଡିଡବ୍ଲୁଓ ହଷ୍ଟେଲରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ସୂଚନା ଅନୁଯାୟୀ, ଚଳିତ ମାସ ୨ ତାରିଖରେ ସଙ୍ଗୀତା ଅସୁସ୍ଥ ଅନୁଭବ କରିଥିଲେ।

ଜ୍ବର ହେବାରୁ ହଷ୍ଟେଲରେ ନିୟୋଜିତ ଏଏନ୍‌ଏମ୍ ଔଷଧ ଦେଇଥିଲେ। ପରେ ସଙ୍ଗୀତାଙ୍କୁ ନାରାୟଣପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ରକ୍ତ ପରୀକ୍ଷା ପରେ ତାଙ୍କ ରିପୋର୍ଟ ମ୍ୟାଲେରିଆ ପଜିଟିଭ୍‌ ଆସିଥିଲା। ତେଣୁ ଡାକ୍ତର ତାଙ୍କୁ ମ୍ୟାଲେରିଆ ଔଷଧ ଦେଇଥିଲେ। ଔଷଧ ଖାଇବା ପରେ ସଙ୍ଗୀତା ହଷ୍ଟେଲରେ ନିଜ ସହପାଠୀଙ୍କ ସହିତ ରହିଥିଲେ। ରବିବାର ଦିନ ବାପା ରମେଶ ତାଡ଼ିଙ୍ଗି ଝିଅକୁ ଦେଖା କରିବାକୁ ଆସିଥିଲେ। ଝିଅର ଜ୍ବର କମି ନଥିବା ଦେଖି ତୁରନ୍ତ ନାରାୟଣପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ।

ସ୍ବାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ ପରେ ୪ ତାରିଖରେ ସଙ୍ଗୀତାଙ୍କୁ କୋରାପୁଟ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଦୁଇ ଦିନ ଚିକିତ୍ସିତ ହେବା ପରେ ମଧ୍ୟ ସଙ୍ଗୀତା ସୁସ୍ଥ ନ ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ସଙ୍ଗୀତାଙ୍କ ମୃତ୍ୟୁ ହୋଇଯାଇଥିଲା। ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସରେ ସଙ୍ଗୀତାଙ୍କ ଶବ ଧରି ପରିବାର ଲୋକେ ଘରକୁ ଫେରିବା ପରେ ତଳଗୁମାଣ୍ଡି ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଅନ୍ୟପଟେ ଏହା ଜାଣିବା ପରେ କୋରାପୁଟ ଉପଜିଲ୍ଲାପାଳ ବେଣୁଧର ଶବର ଓ ଜିଲ୍ଲା ମଙ୍ଗଳ ଅଧିକାରୀ ସୁନିଲ କୁମାର ତାଣ୍ଡି ହଷ୍ଟେଲରେ ପହଞ୍ଚି ତଦନ୍ତ କରିଛନ୍ତି। ସଙ୍ଗୀତାଙ୍କ ମୃତ୍ୟୁକୁ ନେଇ ଗ୍ରାମବାସୀ ଓ ପରିବାର ଲୋକେ ବିଦ୍ୟାଳୟରେ ପହଞ୍ଚି ହୋହଲ୍ଲା କରିଥିଲେ। ବହୁ ବୁଝାସୁଝା କରିବା ପରେ ସମସ୍ତେ ନିଜ ଗାଁକୁ ଫେରିଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button