ଚତୁର୍ଥର ଚକ୍ରବ୍ୟୂହ: ଅଳ୍ପକେ ହାତଛଡ଼ା ୮ ପଦକ

ଅଲିମ୍ପିକ୍ ଭଳି କ୍ରୀଡ଼ା ପ୍ରତିଯୋଗିତା ଶେଷ ହେବାବେଳକୁ କେବଳ ପଦକ ବିଜେତାଙ୍କ ବିଷୟରେ ଚର୍ଚ୍ଚା ହୁଏ। ସେମାନେ ପଦକ ସହ ପାଆନ୍ତି ଅମାପ ଅର୍ଥ, ଯଶ, ଉଚ୍ଛ୍ବସିତ ସମ୍ବର୍ଧନା ଓ ଦେଶବାସୀଙ୍କଠାରୁ ପ୍ରଚୁର ସମ୍ମାନ ଓ ଭଲ ପାଇବା। ହେଲେ ଅଳ୍ପକେ ପଦକ ହାତଛଡ଼ା କରି ଚତୁର୍ଥ ସ୍ଥାନରେ ରହୁଥିବା ଅନାଲୋଚିତ ନାୟକ, ନାୟିକାମାନେ କିନ୍ତୁ ଅଲିମ୍ପିକ୍ ପରେ ପରେ ଏକପ୍ରକାର ଉପେକ୍ଷିତ ହୋଇଯାଆନ୍ତି।
ନା’ ତାଙ୍କୁ ପଦକ ମିଳେ ନା’ ଅର୍ଥ। ଏପରିକି ସେମାନଙ୍କ କଠିନ ପରିଶ୍ରମ ବଦଳରେ ଯଥାଯୋଗ୍ୟ ସମ୍ମାନ କି ସମ୍ବର୍ଦ୍ଧନା ବି ପାଆନ୍ତି ନାହିଁ ଏହି ପ୍ରତିଭାବାନ ଖେଳାଳିମାନେ। ଚତୁର୍ଥ ସ୍ଥାନରେ ନିଜ ଅଲିମ୍ପିକ୍ ଯାତ୍ରା ଶେଷ କରିଥିବା ହତଭାଗା ଭାରତୀୟଙ୍କ ତାଲିକା ବେଶ୍ ଲମ୍ବା। ୧୯୮୪ ଲସ୍ ଏଞ୍ଜେଲ୍ସ ଅଲିମ୍ପିକ୍ରେ ଦୌଡ଼ରାଣୀ ପିଟି ଉଷାଙ୍କ ଫଟୋ ଫିନିସ୍ ଚତୁର୍ଥ ସ୍ଥାନରୁ ଆରମ୍ଭ କରି ଟୋକିଓରେ ମହିଳା ବ୍ୟକ୍ତିଗତ ଷ୍ଟ୍ରୋକ୍ପ୍ଲେ’ରେ ଚତୁର୍ଥ ସ୍ଥାନରେ ରହିଥିବା ଗଲ୍ଫର୍ ଅଦିତି ଅଶୋକଙ୍କ ପର୍ଯ୍ୟନ୍ତ ଅନେକେ ଚମତ୍କାର ପ୍ରଦର୍ଶନ କରିଥିଲେ ବି ଅଳ୍ପକେ ଦେଶ ପାଇଁ ପଦକ ଆଣିପାରି ନାହାନ୍ତି। ତେବେ ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ରେ ଏହି ତାଲିକା ସବୁଠୁ ଅଧିକ ଲମ୍ବିଯାଇଛି। ଚତୁର୍ଥ ସ୍ଥାନର ଚକ୍ରବ୍ୟୂହ ଭେଦ କରିପାରି ନାହାନ୍ତି ବହୁ ଭାରତୀୟ ଖେଳାଳି। ଯଦି ସେମାନେ ଆଉ ଗୋଟିଏ ସ୍ଥାନ ଆଗକୁ ବଢ଼ିପାରି ଥାଆନ୍ତେ ତାହେଲେ ଭାରତର ପଦକ ସଂଖ୍ୟା ଦୁଇ ଅଙ୍କ ପାରି କରି ଯାଇଥାନ୍ତା। ଏହାଛଡ଼ା ସେମିଫାଇନାଲ୍ ଯିବା ମାତ୍ରେ ଅତି କମ୍ରେ କାଂସ୍ୟ ପଦକ ନିଶ୍ଚିତ ହେଉଥିବା ବକ୍ସିଂରେ ବି ଏଥର ଏକାଧିକ ଭାରତୀୟ ମୁଷ୍ଟିଯୋଦ୍ଧା ନିଜର କ୍ବାର୍ଟର୍ ଫାଇନାଲ୍ ଲଢ଼େଇ ହାରି ପଦକରୁ ବଞ୍ଚିତ ହୋଇଛନ୍ତି। ପଦକରୁ ଅଳ୍ପକେ ବଞ୍ଚିତ ଅଲିମ୍ପିକ୍ ଯୋଦ୍ଧାଙ୍କୁ ନେଇ ଏହି ସ୍ବତନ୍ତ୍ର ଉପସ୍ଥାପନା।
ଅର୍ଜୁନ୍ ବବୁଟା:ବନ୍ଧୁକଚାଳନାରେ ମନୁ ଭାକର ୨ଟି ପଦକ ପାଇବା ପରେ ଏହି ଖେଳରୁ ଭାରତୀୟଙ୍କ ପଦକ ଆଶା ବହୁତ ବଢ଼ି ଯାଇଥିଲା। ହେଲେ ପୁରୁଷ ୧୦ ମିଟର୍ ଏୟାର୍ ରାଇଫଲ୍ ଫାଇନାଲ୍ରେ ଅର୍ଜୁନ୍ ବବୁଟା ୨୦୮.୪ ପଏଣ୍ଟରେ ଶେଷ କରି ଚତୁର୍ଥ ସ୍ଥାନରେ ରହିଥିଲେ। ୯.୫ ନମ୍ବର ବିଶିଷ୍ଟ ନିଜ ଶେଷ ସଟ୍ରେ ହିଁ ସେ ପୋଡିୟମ୍ ଚଢ଼ିବାରୁ ବଞ୍ଚିତ ହୋଇଥିଲେ। ମନୁ ଭାକର: ଗୋଟିଏ ଅଲିମ୍ପିକ୍ରେ ୨ଟି ପଦକ ଜିତିବାରେ ପ୍ରଥମ ଭାରତୀୟ ହୋଇଥିବା ମନୁ ଭାକର ତୃତୀୟ ପଦକ ପାଇ ବିରଳ ରେକର୍ଡ ହାସଲରୁ ଅଳ୍ପକେ ବଞ୍ଚିତ ହୋଇଥିଲେ। ମହିଳା ୨୫ ମିଟର୍ ପିସ୍ତଲ୍ ଇଭେଣ୍ଟର ଫାଇନାଲ୍ରେ ସେ ହଙ୍ଗେରିର ଭେରୋନିକା ମେଜର୍ଙ୍କ ସହ ସମାନ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। କିନ୍ତୁ ଟାଇବ୍ରେକର୍ ପାଇଁ ହୋଇଥିବା ସୁଟ୍ଅଫ୍ରେ ମନୁ ଅଳ୍ପକେ ହାରି ଚତୁର୍ଥରେ ରହିଥିଲେ।
ଧୀରଜ-ଅଙ୍କିତା:ତୀରନ୍ଦାଜୀରେ ସର୍ବପ୍ରଥମ ଅଲିମ୍ପିକ୍ ପଦକ ଜିତିବା ପାଇଁ ପ୍ୟାରିସ୍ରେ ସୁବର୍ଣ୍ଣ ସୁଯୋଗ ସୃଷ୍ଟି ହୋଇଥିଲା। ମିଶ୍ରିତ ଯୁଗଳ ଦଳଗତ ପ୍ରତିଯୋଗିତାରେ ଯୁବ ତୀରନ୍ଦାଜ ଧୀରଜ ବୋମଦେବରା ଏବଂ ଅଙ୍କିତା ଭକତଙ୍କ ଯୋଡ଼ି କାଂସ୍ୟ ପଦକ ପାଇଁ ଲଢ଼ିଥିଲେ। ତେବେ ଆମେରିକୀୟ ଯୋଡ଼ିଙ୍କଠାରୁ ପରାସ୍ତ ହୋଇଥିଲେ।
ମାହେଶ୍ବରୀ-ଅନନ୍ତ: ଯଦି ବନ୍ଧୁକଚାଳନାରେ ଚତୁର୍ଥ ସ୍ଥାନରେ ରହିଥିବା ଭାରତୀୟମାନେ ଏହି ଚକ୍ରବ୍ୟୂହକୁ ଭେଦି ପଦକ ହାସଲ କରିବାରେ ସମର୍ଥ ହୋଇଥାଆନ୍ତେ ତା’ହେଲେ କେବଳ ସୁଟିଂରୁ ଭାରତ ୬ଟି ପଦକ ହାସଲ କରିପାରି ଥାଆନ୍ତା। କାରଣ ସ୍କିଟ୍ ମିଶ୍ରିତ ଦଳଗତ ଇଭେଣ୍ଟରେ ଭାରତର ମାହେଶ୍ବରୀ ଚୌହାନ ଏବଂ ଅନନ୍ତଜିତ ସିଂହ ନାରୁକାଙ୍କ ଯୋଡ଼ି ମଧ୍ୟ ଚତୁର୍ଥ ସ୍ଥାନରେ ନିଜ ଅଭିଯାନ ଶେଷ କରିଥିଲେ। କାଂସ୍ୟ ପଦକ ଲଢ଼େଇରେ ସେମାନେ ମିଳିତ ଭାବେ ୪୩ଟି ଲକ୍ଷ୍ୟ ଭେଦି ଚୀନ୍ (୪୪)ଠାରୁ ଅଳ୍ପକେ ହାରିଥିଲେ।
ଲକ୍ଷ୍ୟ ସେନ୍: ୨୨ ବର୍ଷୀୟ ଯୁବ ସଟଲର୍ ଲକ୍ଷ୍ୟ ସେନ୍ ନିଜ ଖେଳ ଦ୍ବାରା ଏଥର ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ଜଣେ ପରେ ଜଣେ ବିଶ୍ବ ମହାରଥୀଙ୍କୁ ହରାଇ ସେ ସେମିଫାଇନାଲ୍ ପର୍ଯ୍ୟନ୍ତ ଯାଇଥିଲେ। ହେଲେ ସେମିଫାଇନାଲ୍ ଓ ତା’ପରେ ତୃତୀୟ ସ୍ଥାନ ପାଇଁ ହୋଇଥିବା ମ୍ୟାଚ୍ ହାରି ସେ ଭାରତୀୟ ସମର୍ଥକଙ୍କୁ ନିରାଶ କରିଥିଲେ। ତାଙ୍କ ପରାଜୟ ପରେ ୨୦୧୨ ଲଣ୍ଡନ୍ ଅଲିମ୍ପିକ୍ରୁ ବ୍ୟାଡ୍ମିଣ୍ଟନ୍ରେ ଲଗାତାର ପଦକ ଜିତି ଆସୁଥିବା ଭାରତର ସଫଳତାର ଧାରାରେ ବ୍ରେକ୍ ଲାଗିଥିଲା।
ମୀରାବାଇ ଚାନୁ:ଭାରତର ଅନ୍ୟତମ ପ୍ରମୁଖ ପଦକ ଆଶାୟୀ ଭାରୋତ୍ତୋଳିକା ମୀରାବାଇ ଚାନୁ ଏଥର ନିଜ ସାମର୍ଥ୍ୟ ଅନୁଯାୟୀ ପ୍ରଦର୍ଶନ କରି ନପାରି ଚତୁର୍ଥରେ ସନ୍ତୁଷ୍ଟ ରହିଥିଲେ। ଟୋକିଓରେ ରୌପ୍ୟ ଜିତି ଭାରତ ପାଇଁ ପଦକ ଅଭିଯାନ ଆରମ୍ଭ କରିଥିବା ଚାନୁ ଏଥର ମହିଳା ୪୯ କେଜି ବର୍ଗରେ ମୋଟ୍ ୧୯୯ କେଜି ଭାର ଉଠାଇ କାଂସ୍ୟ ବିଜୟିନୀ ଥାଇଲାଣ୍ଡ ପ୍ରତିଦ୍ବନ୍ଦ୍ବୀଙ୍କଠାରୁ ମାତ୍ର ୧ କେଜି ପଛରେ ରହି ଯାଇଥିଲେ।
ନିଶାନ୍ତ ଦେବ: କ୍ବାର୍ଟର୍ ଫାଇନାଲ୍ ଜିତିଥିଲେ ସେ ପଦକ ନିଶ୍ଚିତ କରିଥାଆନ୍ତେ। କ୍ବାର୍ଟର୍ ଫାଇନାଲ୍ରେ ଖୁବ୍ ଭଲ ପ୍ରଦର୍ଶନ ମଧ୍ୟ କରିଥିଲେ। ହେଲେ ବକ୍ସିଂର ବିବାଦୀୟ ସ୍କୋରିଂ ବ୍ୟବସ୍ଥା କାରଣରୁ ନିଶ୍ଚିତ ବିଜୟ ହାତଛଡ଼ା କରି ପୁରୁଷ ୭୧ କେଜି ବର୍ଗରେ ଦୁର୍ଭାଗ୍ୟଜନକ ଭାବେ ପଦକ ହରାଇଥିଲେ ଯୁବ ବକ୍ସର୍ ନିଶାନ୍ତ ଦେବ।
ଲଭ୍ଲୀନା:ଟୋକିଓରେ ପଦକ ବିଜୟିନୀ ଲଭ୍ଲୀନା ଏଥର ମୁଷ୍ଟିଯୁଦ୍ଧରେ ପଦକର ସବୁଠୁ ବଡ଼ ଦାବିଦାର ଥିଲେ। ହେଲେ ମହିଳା ୭୫ କେଜି ବର୍ଗ କ୍ବାର୍ଟର୍ ଫାଇନାଲ୍ରେ ଅଧିକ ଶକ୍ତିଶାଳୀ ଚୀନ୍ ପ୍ରତିଦ୍ବନ୍ଦ୍ବୀଙ୍କଠାରୁ ହାର ମାନିଥିଲେ। ଫଳରେ ଆଉ ଏକ ପଦକ ଅଳ୍ପକେ ଖସି ଯାଇଥିଲା।