ନୂଆଦିଲ୍ଲୀ: ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀଙ୍କ ବାସଭବନ ଉପରକୁ ପଥରମାଡ । ରବିବାର ସନ୍ଧ୍ୟାରେ କିଛି ଅଜଣା ଦୁର୍ବୃତ୍ତ ଓୱେସୀଙ୍କ ବାସଭବନ ଉପରକୁ ପଥରମାଡ କରିଥିବା ଅଭିଯୋଗ ହୋଇଛି । ତେବେ ଏଥିରେ ଘରର ଝରକା ଭାଙ୍ଗିଯାଇଥିବା ନେଇ ସ୍ଥାନୀୟ ପୋଲିସ ତରଫରୁ ସୂଚନା ଦିଆଯାଇଛି । ଏହି ଘଟଣାକୁ ନେଇ ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ ଥାନାରେ ଅଭିଯୋଗ କରିଛନ୍ତି । ସେ ଅଭିଯୋଗରେ କହିଛନ୍ତି,” ରବିବାର ସନ୍ଧ୍ୟା ୫ଟା ୩୦ ମିନିଟରେ ଦିଲ୍ଲୀର ଅଶୋକା ରୋଡ ସ୍ଥିତ ବାସଭବନ ଉପରେ କିଛି ଅଜଣା ଦୁର୍ବୃତ୍ତ ପଥର ମାଡ କରିଥିଲେ ।
ଏନେଇ ଓୱେସୀ ଟ୍ବିଟ କରି କହିଛନ୍ତି, ମୋର ଦିଲ୍ଲୀ ସ୍ଥିତ ବାସଭବନ ଉପରେ ପୁଣିଥରେ ଆକ୍ରମଣ ହୋଇଛି । ୨୦୧୪ ମସିହାରୁ ଆଜି ପର୍ଯ୍ୟନ୍ତ ୪ ଥର ଆକ୍ରମଣ କରାଯାଇଛି । ରବିବାର ଦିନ ପୁଣି କିଛି ଅଜଣା ବ୍ୟକ୍ତି ପଥର ମାଡ କରିଛନ୍ତି । ମୁଁ ଜୟପୁରରୁ ଫେରୁଥିବା ସମୟରେ ପଥର ମାଡ କରାଯାଇଥିବା ନେଇ ଖବର ପାଇଲି । ମୁଁ ରାତି ୧୧.୩୦ ମିନିଟରେ ଘରେ ପହଞ୍ଚିବା ପରେ ଦେଖିଥିଲି । ଆକ୍ରମଣରେ ମୋ ଘରର ଝରକା ଭାଙ୍ଗିଯାଇଛି । ଦିଲ୍ଲୀ ପୋଲିସ ଶୀଘ୍ର ଦୁର୍ବୃତ୍ତକୁ କାବୁ କରନ୍ତୁ ।
Back to top button