ଦେଶ ବିଦେଶ

ଭାରତର ନିର୍ଦ୍ଦେଶ ପରେ ଅଧିକାଂଶ କୂଟନୀତିଜ୍ଞଙ୍କୁ କୁଆଲାଲମ୍ପୁର ଓ ସିଙ୍ଗାପୁର ପଠାଇଲେ କାନାଡା ସରକାର – Utkal Mail


ନୂଆଦିଲ୍ଲୀ: କାନାଡ଼ାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜା‌ର ହତ୍ୟା ମାମଲା ନେଇ ଭାରତ-କାନାଡ଼ା ସଂପର୍କ ଅତି ତିକ୍ତ ହୋଇଉଠିଛି। ଏହି ହତ୍ୟାରେ ଭାରତର ହାତ ଅଛି ବୋଲି କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ‌ଟ୍ରୁଡ଼ୋ କରି ଆସୁଥିବା ଦାବିକୁ ଭାରତ ସରକାର ଦୃଢ଼ଭାବେ ଖଣ୍ଡନ କରିଛନ୍ତି। ବିବାଦ ମଧ୍ୟରେ ଭାରତରେ କୂଟନୀତିଜ୍ଞ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀ ସଂଖ୍ୟା ହ୍ରାସ କରିବା ପାଇଁ ଭାରତ ସରକାର କାନାଡ଼ାକୁ କହିଥିବା ବେଳେ ଏବେ ତାହା କରିବା ଆରମ୍ଭ କରିଛି କାନାଡା।

କୁହାଯାଉଛି ଯେ, ଭାରତରେ କାମ କରୁଥିବା ଅଧିକାଂଶ କୂଟନୀତିଜ୍ଞଙ୍କୁ କାନାଡା ସରକାର କୁଆଲାଲମ୍ପୁର ଓ ସିଙ୍ଗାପୁରକୁ ପଠାଇଦେଇଛି। ସଂଖ୍ୟା ହ୍ରାସ ପାଇଁ ଭାରତ ସରକାର ଅକ୍ଟୋବର ୧୦ପର୍ଯ୍ୟନ୍ତ ସମୟ ଦେଇଥିବା ବେଳେ କାନାଡା ଏବେ ଏଦିଗରେ କାମ କରିବା ଆରମ୍ଭ କରିଛି।

କାନାଡ଼ା ପୂର୍ବରୁ ଦାବି କରିଥିଲା ଯେ, ନିଜାର ହତ୍ୟା ମାମଲାରେ ଭାରତୀୟ ଦୂତାବାସ କର୍ମଚାରୀଙ୍କ ସଂପୃକ୍ତି ନେଇ ପ୍ରମାଣ ରହିଛି ଏବଂ ଏ ବାବଦ କଲ୍‌ ରେକର୍ଡ ଉପଲବ୍ଧ ଅଛି। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ଆରମ୍ଭ ହେବା ପରେ ଗତ ସେପ୍ଟେମ୍ବର ୨୧ତାରିଖରେ ଭାରତ କୂଟନୀତିଜ୍ଞ ସଂଖ୍ୟା ହ୍ରାସ କରିବାକୁ କାନାଡାକୁ କହିଥିଲା।

ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଥିଲେ ଯେ, ଭାରତରେ କାନାଡାର ଆବଶ୍ୟକତାଠାରୁ ଅଧିକ କୂଟନୀତିଜ୍ଞ ଅଛନ୍ତି। ସେମାନେ ମଧ୍ୟ ଆମର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରୁଛନ୍ତି। ଏଭଳି ସ୍ଥିତିରେ ଦୁଇ ଦେଶ ମଧ୍ୟରେ ସନ୍ତୁଳନ ସୃଷ୍ଟି କରିବାର ଆବଶ୍ୟକତା ରହିଛି। ଭାରତରେ କାନାଡାର କୂଟନୈତିକ ଉପସ୍ଥିତିରେ ସମତୁଲତା ସୁନିଶ୍ଚିତ କରିବା ଉପରେ ଆମର ଧ୍ୟାନ ରହିଛି। ତେଣୁ ଆମେ କୂଟନୀତିଜ୍ଞ ସଂଖ୍ୟା କମ କରିବାକୁ ନିଷ୍ପତ୍ତି ନେଇଛୁ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button