ଓଡିଶା

ଚର୍ଚ୍ଚାରେ ବିଜେପିର ଆଭ୍ୟନ୍ତରୀଣ କନ୍ଦଳ: ଜୟଦେବରେ ଅପରାଜିତା-ଢାଲି ବିବାଦ ବଢ଼ୁଛି

ବାଲିଅନ୍ତା: ଜୟଦେବ ନିର୍ବାଚନମଣ୍ଡଳୀରେ ବିଜେପିର ଗୋଷ୍ଠୀ କନ୍ଦଳ ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଗତକାଲି ବାଳକାଟିରେ ଆୟୋଜିତ ବିଜେପିର ସଦସ୍ୟତା ଅଭିଯାନ କର୍ମଶାଳାରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅନୁପସ୍ଥିତି ଦଳୀୟ କନ୍ଦଳକୁ ପଦାରେ ପକାଇ ଦେଇଛି। ସାଂସଦଙ୍କୁ ଡକାଯାଇ ନଥିବାରୁ ତାଙ୍କ ସମର୍ଥକମାନେ ଖୋଲାଖୋଲି ଭାବେ ପ୍ରତିବାଦ କରିଥିଲେ।

ବିଜେପିର ରାଜ୍ୟ ପ୍ରଭାରୀ ବିଜୟପାଲ ସିଂହ ତୋମାରଙ୍କ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ରାଜଧାନୀ ଉପକଣ୍ଠରେ ଏମିତି ଘଟଣା ଦଳର ଭାବମୂର୍ତ୍ତିରେ ଆଞ୍ଚ ଆଣିଛି। ଏହି ପ୍ରସଙ୍ଗରେ ବରିଷ୍ଠ ନେତାମାନେ ପାଟି ଫିଟାଉ ନାହାନ୍ତି।

ଗତ ନିର୍ବାଚନର କିଛି ମାସ ଆଗରୁ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ ଜୟଦେବର ପୂର୍ବତନ ବିଧାୟକ ଅରବିନ୍ଦ ଢାଲି। ସ୍ଥାନୀୟ ବିଜେପି ସଂଗଠନରେ ବହୁ ନେତାଙ୍କ ବିରୋଧ ସତ୍ତ୍ବେ ଢାଲି ହିଁ ଦଳୀୟ ପ୍ରାର୍ଥୀ ହୋଇଥିଲେ। ସାଂସଦ ଶ୍ରୀମତୀ ଷଡ଼ଙ୍ଗୀର ସମ୍ପୂର୍ଣ୍ଣ ସମର୍ଥନ ତାଙ୍କ ପ୍ରତି ରହିଥିଲା। ଏହାକୁ ନେଇ ସାଂସଦଙ୍କ ଉପରେ ମଧ୍ୟ ବହୁ ବିଜେପି ନେତା ଖପ୍ପା ହୋଇଥିଲେ। ତେବେ ନିର୍ବାଚନରେ ଢାଲି ପ୍ରାୟ ୨୪ ହଜାର ଭୋଟ୍ରେ ବିଜେଡି ପ୍ରାର୍ଥୀଙ୍କୁ ଠାରୁ ହାରିଗଲେ। ଆଉ ଅପରାଜିତା ବି ଜୟଦେବରେ ବିଜେଡି ପ୍ରାର୍ଥୀଙ୍କ ଠାରୁ ୪ ହଜାର ଭୋଟ୍ ପଛରେ ରହିଲେ। ନିର୍ବାଚନ ପରେ ଏବେ ଅପରାଜିତା ଓ ଢାଲିଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିବା ଚର୍ଚ୍ଚା ଚାଲିଛି। ଢାଲି ଜୟଦେବରେ ଦଳର ସବୁ ସାଂଗଠନିକ କାର୍ଯ୍ୟ ବୁଝିବାକୁ ଚାହୁଛନ୍ତି। କିନ୍ତୁ ତାଙ୍କୁ ଜୟଦେବର ସମ୍ପୂର୍ଣ୍ଣ ଦାୟିତ୍ବ ଦେବା ସପକ୍ଷରେ ନାହାନ୍ତି ଅପରାଜିତା। ଫଳରେ ଉଭୟଙ୍କ ମଧ୍ୟରେ ଦୂରତା ବଢ଼ିବାରେ ଲାଗିଛି। କେବଳ ଜୟଦେବରେ ନୁହେଁ, ଭୁବନେଶ୍ବର ଜିଲ୍ଲା ସଂଗଠନ ସହ ସାଂସଦଙ୍କ ସମ୍ପର୍କ ମଧ୍ୟ ଠିକ୍ ନଥିବା କୁହାଯାଉଛି। ଏସବୁର ପ୍ରତିଫଳନ ଗତକାଲିର ସଭାରେ ଦେଖିବାକୁ ମିଳିଥିଲା ବୋଲି ଦଳୀୟ ମହଲରେ ଆଲୋଚନା ଚାଲିଛି।

ଜୟଦେବରେ ଅପରାଜିତା-ଢାଲି ବିବାଦ ବଢ଼ୁଛି
ଜିଲ୍ଲା ସଂଗଠନ ସହ ସାଂସଦଙ୍କ ସମ୍ପର୍କ ବିଗୁଡ଼ୁଛି କି?

ଗତକାଲି ବାଳକାଟିରେ ମନ୍ କି ବାତ୍ ଶୁଣିବା ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ସହ ସଦସ୍ୟତା ଅଭିଯାନ କର୍ମଶାଳା ଆୟୋଜନ କରାଯାଇଥିଲା। ବିଜେପିର ଖୋର୍ଦ୍ଧା ଜିଲ୍ଲା ଶାଖା ତରଫରୁ ଏହାର ଆୟୋଜନ କରାଯାଇଥିଲା। ଢାଲି ଓ ତାଙ୍କ ସମର୍ଥକମାନେ ଏହାର ଦାୟିତ୍ବରେ ରହିଥିଲେ। ଏଠାକୁ ରାଜ୍ୟ ପ୍ରଭାରୀ ବିଜୟପାଲ ସିଂହ ତୋମାର ଓ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ସ୍ଥାନୀୟ ସାଂସଦ ଆସି ନଥିଲେ। ଫଳରେ କର୍ମଶାଳା ଚାଲିଥିଲା ବେଳେ ସାଂସଦଙ୍କୁ କାହିଁକି ଡକାଯାଇ ନାହିଁ ବୋଲି କହି ତାଙ୍କ ସମର୍ଥକମାନେ ପାଟିତୁଣ୍ଡ କରିଥିଲେ। ପୂର୍ବତନ ସଂଗଠନ ମନ୍ତ୍ରୀ ଶାରଦା ଶତପଥୀଙ୍କୁ ଠେଲାପେଲା କରିଥିଲେ। ପ୍ରଭାରୀଙ୍କ ସାମ୍ନାରେ ବହୁ ସମୟ ଧରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ବୁଝାସୁଝା ପରେ ସାଂସଦଙ୍କ ସମର୍ଥକମାନେ ସେଠୁ ଫେରିଥିଲେ। ଗଣମାଧ୍ୟମକୁ ଶ୍ରୀ ତୋମାର କହିଛନ୍ତି ଯେ ଦଳ ଭିତରେ କୌଣସି ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ। ଏପରି କରିବାକୁ କାହାରିକୁ ଅଧିକାର ଦିଆଯାଇ ନାହିଁ।

ଏହି ଘଟଣା ସମ୍ପର୍କରେ ସାଂସଦ ଏ ଯାଏ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିନାହାନ୍ତି। ମିଳିଥିବା ସୂଚନା ଅନୁଯାୟୀ ସାଂସଦ ଗତକାଲି ସକାଳେ ଭୁବନେଶ୍ବରରେ ନଥିଲେ। ଢାଲିଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି, ‘ମୁଁ ଦୁଇ ଥର ଏଠାରୁ ବିଧାୟକ ଜିତିଛି। ନିର୍ବାଚନମଣ୍ଡଳୀରେ ମୋର ଭଲ ସଂଗଠନ ରହିଥିବା ବେଳେ ପଞ୍ଚାୟତରୁ ଆରମ୍ଭ କରି ମଣ୍ଡଳସ୍ତରୀୟ ସାଂଗଠନିକ କାର୍ଯ୍ୟ ନିଜେ ଆୟୋଜନ କରି ଦଳୀୟ କାର୍ଯ୍ୟକ୍ରମ କରିବାରେ କିଛି ସମସ୍ୟା ନାହିଁ। ଗତକାଲିର ସମାବେଶରେ ଯୋଗ ଦେବାକୁ ସାଂସଦଙ୍କୁ ଜଣାଯାଇଥିଲା।’ କିନ୍ତୁ ସାଂସଦ କାହିଁକି ଆସିଲେନି, ସେ ସମ୍ପର୍କରେ ଢାଲି କିଛି କହିନାହାନ୍ତି।

ତେବେ କାଲିର ସମାବେଶକୁ ନେଇ ରାଜନୈତିକ ମହଲରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଦି ସାଂସଦଙ୍କୁ ଜାଣିଶୁଣି ଡକାଯାଇନି, ତେବେ ରାଜ୍ୟ ପ୍ରଭାରୀ ଓ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ସେଠାକୁ କିପରି ଗଲେ? ପ୍ରଭାରୀଙ୍କ ସାମ୍ନାରେ ଏପରି ଧସ୍ତାଧସ୍ତିର ୨୪ ଘଣ୍ଟା ବିତିଯାଇଥିଲେ ବି କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରାଯାଇନି? ଗତକାଲିର ଗଣ୍ଡଗୋଳକୁ ନେଇ ଏ ଯାଏ ବିଜେପିର ଜିଲ୍ଲା କିମ୍ବା ରାଜ୍ୟ ଶାଖା ପକ୍ଷରୁ କାହିଁକି ସ୍ପଷ୍ଟୀକରଣ ଦିଆଯାଇ ନାହିଁ? ସାଂସଦ ଓ ଜିଲ୍ଲା ସଂଗଠନ ଭିତରେ ବଡ଼ ଧରଣର ବିବାଦର ଏହା ଏକ ଅଂଶ କି? ଏହି ଗଣ୍ଡଗୋଳ ସହ ବିଜେପିର ରାଜ୍ୟ ସଂଗଠନର କିଛି ସମ୍ପର୍କ ନାହିଁ ତ?

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button