ଦେଶ ବିଦେଶ

ଉଚ୍ଛିଷ୍ଟରୁ ଘୁଷୁରି ଖାଦ୍ୟ

ଖାଦ୍ୟ ସୁପରିଚାଳନାରେ ଆମେମାନେ ପ୍ରାୟ ସମସ୍ତେ ବିଫଳ। କାରଣ ସାମୂହିକ ଭୋଜିଭାତ ଠାରୁ ଆରମ୍ଭ କରି ବିଭିନ୍ନ ଘରୋଇ ଆସରରେ ଆମେ ଅନେକ ଖାଦ୍ୟ ପଦାର୍ଥ ଉଚ୍ଛିଷ୍ଟ ଆକାରରେ ନଷ୍ଟ କରିଥାଉ। ଏପରିକି ରୋଷେଇ ହୋଇଥିବା ପ୍ରଭୂତ ପରିମାଣର ଖାଦ୍ୟକୁ ମଧ୍ୟ କେହି ସଂରକ୍ଷିତ କରି ନରଖି ନର୍ଦ୍ଦମାକୁ ଫିଙ୍ଗି ଦେଇଥାନ୍ତି। ତେବେ ଏଭଳି ବର୍ଜ୍ୟ ଖାଦ୍ୟପଦାର୍ଥକୁ ଜାପାନର ବୈଜ୍ଞାନିକମାନେ ଶଢ଼ାଇ ଏକ ପ୍ରକାର ଉନ୍ନତମାନର ଘୁଷୁରିଖାଦ୍ୟ ପ୍ରସ୍ତୁତ କରିପାରିଛନ୍ତି।

ଏହା ପରିବେଶ ପ୍ରଦୂଷଣ କରୁଥିବା ବର୍ଜ୍ୟବସ୍ତୁ ପରିମାଣକୁ କମାଇବା ସହ ଏକ ସ୍ବଳ୍ପ ଖର୍ଚ୍ଚସଂପନ୍ନ ପଶୁଖାଦ୍ୟ ମଧ୍ୟ ପ୍ରସ୍ତୁତ ହୋଇପାରୁଛି। ବର୍ଜ୍ୟ ଖାଦ୍ୟର ପ୍ରକ୍ରିୟାକରଣ କରି ସୁଷମ ଘୁଷୁରି ଖାଦ୍ୟ ଉତ୍ପାଦନ କରି ଜାପାନୀ ବୈଜ୍ଞାନିକମାନେ ଉଭୟ ପାରିବେଶିକ ଓ ଅର୍ଥନୈତିକ ଆହ୍ବାନର ସଫଳ ମୁକାବିଲା କରିପାରିଛନ୍ତି। ଏହି ପ୍ରକ୍ରିୟାରେ ପ୍ରଥମେ ବିଭିନ୍ନ ଖାଦ୍ୟ ପ୍ରସ୍ତୁତି କେନ୍ଦ୍ର ଓ ସୁପର୍ମାର୍କେଟ୍ମାନଙ୍କରୁ ବଳକା ଖାଦ୍ୟ ସଂଗ୍ରହ କରାଯାଉଛି। ଖାଦ୍ୟ ପ୍ରକ୍ରିୟାକରଣ କେନ୍ଦ୍ରରେ ସେଥିରୁ ଭାତଠାରୁ ଆରମ୍ଭ କରି ପରିବାଚୋପା ପର୍ଯ୍ୟନ୍ତ ସବୁ ସାମଗ୍ରୀକୁ ପୃଥକ୍ କରାଯିବା ସହ ଟୁକୁରା ଟୁକୁରା କରାଯାଉଛି। ତା’ପରେ ସେଥିରେ ଲାକ୍ଟିକ୍ ଅମ୍ଳ ବୀଜାଣୁ ମିଶାଯାଇ ତାହାକୁ ଜୀବାଣୁମୁକ୍ତ କରି ଶଢ଼ାଯାଉଛି। ଏପରି କରିବା ଦ୍ବାରା ଉକ୍ତ ପ୍ରକ୍ରିୟାକୃତ ଖାଦ୍ୟକୁ ଦଶ ଦିନ ଯାଏ ମଧ୍ୟ ରେଫ୍ରିଜରେଟର୍ ବାହାରେ ରଖାଯାଇପାରୁଛି।

ଏହା ନବୀକରଣଯୋଗ୍ୟ ଶକ୍ତି ଉତ୍ସକୁ ପ୍ରୋତ୍ସାହିତ କରି ଏକ ଉଚ୍ଚମାନର ସାର ମଧ୍ୟ ଯୋଗାଇପାରୁଛି। ଖାଦ୍ୟ ପରିଚାଳନାରେ ଜାପାନର ଏପରି ଧାରଣଯୋଗ୍ୟ ଅଭ୍ୟାସକୁ ଅନ୍ୟାନ୍ୟ ଦେଶ ଆପଣେଇ ନିଜର ବର୍ଜ୍ୟ ଖାଦ୍ୟ ସମସ୍ୟାର ଆଶୁ ସମାଧାନ କରିପାରିବେ ବୋଲି ଆଶା କରାଯାଉଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button