ଓଡିଶା

ଜୟଦେବବିହାର-ନନ୍ଦନକାନନ ରାସ୍ତା: ଯନ୍ତ୍ରଣାଦାୟକ ଯାତ୍ରା

ନ୍ଦ୍ରଶେଖରପୁର: ରାସ୍ତା ସାରା ଖାଲ। ଖଣ୍ଡ ଖଣ୍ଡ ହୋଇ ଉଠିଯାଇଛି ପିଚୁ। କେଉଁଠି ରାସ୍ତା ଧୋଇଯାଇ ୫୦ ମିଟର ପର୍ଯ୍ୟନ୍ତ ଖଣ୍ଡିଆଖାବରା ତ ଆଉ କେଉଁଠି ଗୋଟିଏ ଫୁଟ୍ର ଗାତ। ସ୍ଥାନେ ସ୍ଥାନେ ଏମିତି ସ୍ଥିତି ଉପୁଜିଛି ଯେ ଧୂଳିଧୂଆଁରେ ନାକ ରୁନ୍ଧି ହୋଇପଡ଼ୁଛି। ଗାଡ଼ି ଯେତିକି ଆଗକୁ ବଢ଼ୁଛି ଧୂଳି ସେତିକି ନାକରେ ପଶୁଛି। ରାଜଧାନୀର ଜନଗହଳିପୂର୍ଣ୍ଣ ଜୟଦେବ ବିହାରରୁ ନନ୍ଦନକାନନ ଛକକୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ଏବେ ଏଭଳି ହୋଇଛି।

ପାର୍ବଣ ପୂର୍ବରୁ ପ୍ରତିଦିନ ଜାରି ରହିଥିବା ଝିପିଝିପି ବର୍ଷା ସହରର ଖଣ୍ଡିଆଖାବରା ରାସ୍ତାକୁ ଅଧିକ ଦୟନୀୟ କରି ପକାଇଛି। ଅବସ୍ଥା ଏପରି ହୋଇଛି ଯେ, ଲୋକ ରାଜଧାନୀରେ ରହୁଛନ୍ତି ବୋଲି କହିବାକୁ ଲାଜ କଲେଣି। ପୂର୍ତ୍ତ ବିଭାଗର ବେପରୱା କାରବାର ଓ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟର ଅଭାବ ଯୋଗୁ ଲକ୍ଷାଧିକ ଲୋକ ଦହଗଞ୍ଜ ହେଉଛନ୍ତି। ଏହି ରାସ୍ତା ସମେତ ସହରର ଅନେକ ରାସ୍ତା ଶୋଚନୀୟ ହୋଇପଡ଼ିଥିଲେ ବି ପୂର୍ତ୍ତ ବିଭାଗ ଓ ବିଏମ୍ସି ନିରବଦ୍ରଷ୍ଟା ସାଜିବା ସଚେତନ ନାଗରିକମାନଙ୍କୁ ବ୍ୟଥିତ କରିଛି।

କେବଳ ଯେ ଖଣ୍ଡିଆ ରାସ୍ତା ଯନ୍ତ୍ରଣା ଦେଉଛି ତାହା ନୁହେଁ; ପରନ୍ତୁ ଏହି ରାସ୍ତାରେ ସୃଷ୍ଟି ହେଉଥିବା ଟ୍ରାଫିକ୍ ସମସ୍ୟା ବର୍ତ୍ତମାନ ଘୋର ଚିନ୍ତାର ବିଷୟ। ପ୍ରତିଦିନ ସକାଳ ୯ଟାରୁ ୧୧ଟା ଓ ସନ୍ଧ୍ୟା ୫ଟାରୁ ୮ଟା ପର୍ଯ୍ୟନ୍ତ ୧୨ କିମିର ଏହି ରାସ୍ତା ପାର୍ ହେବାକୁ ଏକ ଘଣ୍ଟାରୁ ଅଧିକ ସମୟ ଲାଗିଯାଉଛି। ଟ୍ରାଫିକ୍ କଟକଣା ସାଙ୍ଗକୁ ରାସ୍ତା ଅବସ୍ଥା ଯୋଗୁଁ ଲୋକେ ତ୍ରାହି ତ୍ରାହି ଡାକିଲେଣି। ସମସ୍ୟାର ସମାଧାନ ପାଇଁ ବାମପାର୍ଶ୍ବ ବିକଳ୍ପ ରାସ୍ତା ଅଧା ନିର୍ମାଣ ହୋଇଥିଲେ ମଧ୍ୟ ଏହି ଜନଗହଳିପୂର୍ଣ୍ଣ ରାସ୍ତା ଉପରୁ ଚାପ କମୁନାହିଁ। ଜୟଦେବ ବିହାର ଛକ ସମେତ ଜାଭିୟର ଛକ, ନାଲ୍କୋ ଛକ, ଡମଣା ଛକ, ପଟିଆ ଓ ମାଗନାଇଟ୍ ଛକରେ ସାଂଘାତିକ ଅବସ୍ଥା ସୃଷ୍ଟି ହେଉଛି। ସନ୍ଧ୍ୟା ସମୟରେ ଗାଡ଼ିଗୁଡ଼ିକ ପାଖାପାଖି ଗୋଟିଏ କିଲୋମିଟର ପର୍ଯ୍ୟନ୍ତ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ରହୁଛନ୍ତି। କେହି କେହି ରଙ୍ଗ୍ରୁଟ୍ରେ ଯିବା ସମୟରେ ଦୁର୍ଘଟଣାର ଶିକାର ହେଉଥିବା ଦେଖିବାକୁ ମିଳୁଛି। ଡମଣା ଛକରେ ଟ୍ରାଫିକ୍ ସିଗନାଲ୍ ଆଜି ପର୍ଯ୍ୟନ୍ତ ଠିକ୍ କରାଯାଇ ନ ଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି।

ଜଟିଳ ହେଉଛି ଟ୍ରାଫିକ୍ ସମସ୍ୟା, ବଢ଼ୁଛି ଦୁର୍ଘଟଣା
ବାମପାର୍ଶ୍ବ ୨୦୦ ଫୁଟିଆ ବିକଳ୍ପ ରାସ୍ତା ଅବସ୍ଥା ତଦ୍ରୁପ

ସେପଟେ ବିକଳ୍ପ ରାସ୍ତା ଭାବେ ନିର୍ମାଣ ହୋଇଥିବା ସାଲିଆସାହି-ଉତ୍କଳ ହସ୍ପିଟାଲ-ଓଇଆର୍ସି ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଏହି ରାସ୍ତାର ରେଳ ବିହାର ନିକଟରେ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ରାସ୍ତାରେ ୨୦୦ରୁ ଅଧିକ ଖାଲ ସୃଷ୍ଟି ହୋଇଥିବାରୁ ଦୁର୍ଘଟଣା ବଢ଼ିଚାଲିଛି। ଗତ ରବିବାର ଭୋର ସମୟରେ ଏକ ୱାଗନର୍ କାର୍ ଖାଲରେ ପଡ଼ିବା ଦ୍ବାରା ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ବରେ ବାଡ଼େଇ ହୋଇ ଯାଇଥିଲା। ଏଥିରେ ଗାଡ଼ି ଭାଙ୍ଗିବା ସହ ଚାଳକ ଆହତ ହୋଇଥିଲେ। ୭ ଦିନ ମଧ୍ୟରେ ଏହି ରାସ୍ତାରେ ୨୦ରୁ ଅଧିକ ଦୁର୍ଘଟଣା ହୋଇଛି। ଆଜି ସନ୍ଧ୍ୟାରେ ମଧ୍ୟ ଦୁଇଜଣ ବାଇକ୍ ଚାଳକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଇନ୍ଫୋସିଟି ନିକଟ ରାସ୍ତାରେ ସୃଷ୍ଟି ହୋଇଥିବା ଗାତରେ ପଡ଼ି ଅନେକ ଚାଳକ ଆହତ ହେବା ପରେ ଏବେ ଅଧା ମରାମତି କରାଯାଇଛି। ମାତ୍ର ସେଠାରେ ଯେଉଁଭଳି ଭାବେ ଧୂଳି ଉଡ଼ୁଛି ତାହା ଅଧିକ ଯନ୍ତ୍ରଣା ଦେଉଛି। ସହରର ସବୁ ଅଞ୍ଚଳ ରାସ୍ତାରେ ଖାଲ ସୃଷ୍ଟି ହୋଇଥିବା ବେଳେ ଏହାକୁ ମରାମତି କରାଯାଉନି କି ନୂଆ ରାସ୍ତା ନିର୍ମାଣ ହେଉ ନ ଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button