ଷ୍ଟୋର୍ ମାଲିକଙ୍କ ଆଖିରେ ‘ଲଙ୍କା ସ୍ପ୍ରେ’ ପକାଇ ପ୍ରାୟ ୫ କୋଟି ଟଙ୍କାର ଅଳଙ୍କାର ନେଇଗଲେ ୩ ଡକାୟତ – Utkal Mail
ପାସଡିନା: ମଙ୍ଗଳବାର ଦିନ ଆମେରିକାର କାଲିଫର୍ଣ୍ଣିଆ ଅନ୍ତର୍ଗତ ପାସାଡିନାରେ ଥିବା ଏକ ଅଳଙ୍କାର ଦୋକାନରେ ୩ଜଣ ମୁଖା ଓ ଗ୍ଲୋଭ୍ସ୍ପିନ୍ଧା ଡକାୟତ ବଳପୂର୍ବକ ପ୍ରବେଶ କରି ପ୍ରାୟ ୫ କୋଟି ଟଙ୍କାର ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀ ନେଇଯାଇଥିବା କଥା ପୁଲିସ କହିଛି।
ଅପରାହ୍ଣ ୧.୪୫ରେ ଖବର ପାଇ ପାସଡିନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଜାଣିବାକୁ ପାଇଲା ଯେ, ‘ଜ୍ବେଲ୍ ଅନ୍ ଲେକ’ ଗହଣା ଷ୍ଟୋର୍ ମାଲିକ ସାମ୍ ବାବିକିଆନ୍ ଷ୍ଟୋର୍ ଖୋଲୁଥିବା ବେଳେ ୩ଜଣ ମୁଖାପିନ୍ଧା ଭିତରକୁ ପ୍ରବେଶ କରିଥିଲେ। ସେମାନେ ଷ୍ଟୋର୍ ମାଲିକ ଓ ଜଣେ କର୍ମଚାରୀଙ୍କ ଆଖିରେ ‘ଲଙ୍କା ସ୍ପ୍ରେ’ (ପିପର୍ ସ୍ପ୍ରେ) ପକାଇ ସାଥିରେ ଆଣିଥିବା ହାତୁଡ଼ିରେ ‘ଡିସ୍ପ୍ଲେ କେସ୍କୁ ଭାଙ୍ଗି ୫୦୦,୦୦୦ ଡଲାର୍ (ଭାରତୀୟ ମୁଦ୍ରାରେ ୪୦୯୧୪୨୪୬ ଟଙ୍କା) ମୂଲ୍ୟର ଅଳଙ୍କାର ନେଇଯାଇଛନ୍ତି।
/cloudfront-us-east-1.images.arcpublishing.com/gray/KD6P357ZC5CJVEFMFCX6UW374Y.jpg)
ଗଣମାଧ୍ୟମକୁ ବାବିକିଆନ୍ କହିଛନ୍ତି, ମୁଁ କବାଟ ଖୋଲିବାକ୍ଷଣି ମୋ ଆଖି, ତଣ୍ଟି ଓ ପାଟିରେ ‘ଲଙ୍କା ସ୍ପ୍ରେ’ ପଡ଼ିଲା। ମୁଁ କିଛି ଦେଖି ପାରିଲି ନାହିଁ। ତା’ପରେ ମତେ କିଛି ଭାଙ୍ଗିଯିବା ଓ ଅଳଙ୍କାର ଏକତ୍ର କରିବାର ଶବ୍ଦ ଶୁଭିଲା। ସେମାନେ ଷ୍ଟୋର୍ରୁ ସବୁ ନେଇ ଯାଇଛନ୍ତି ସତ, କିନ୍ତୁ ଯୋଗ ଭଲ ମତେ କେହି ଗୁରୁତର ଆହତ କରିନାହାନ୍ତି। ମୋର ପ୍ରାଣ ରହିଯାଇଛି।
ଗୋଟାଏ ଧଳା ରଙ୍ଗର ଅଚିହ୍ନା ଗାଡ଼ିରେ ଡକାୟତମାନେ ଫେରାର୍ ହୋଇଯାଇଥିବା କଥା ପୁଲିସ କହିଛି। ପୁଲିସ ଘଟଣାର ତଦନ୍ତ ଚଳାଇଛି।