ରତ୍ନଭଣ୍ଡାର ଯାଞ୍ଚ ପ୍ରସଙ୍ଗ : ବିବାଦରେ ପଶିବାକୁ ଚାହୁଁନି ଏଏସ୍ଆଇ!

ପୁରୀ : ଭିତର ରତ୍ନଭଣ୍ଡାରରେ ଗୁପ୍ତ ସୁଡ଼ଙ୍ଗ ଏବଂ ଏକାଧିକ କୋଠରି ରହିଛି! ଦୀର୍ଘ ବର୍ଷ ହେବ ଜନସାଧାରଣଙ୍କ ମଧ୍ୟରେ ଏଭଳି ଚର୍ଚ୍ଚା ଲାଗି ରହିଛି। ତେବେ ବାସ୍ତବରେ ଏହାର ସତ୍ୟାସତ୍ୟ କ’ଣ, ତାହା ସ୍ପଷ୍ଟ ହୋଇ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଚାହୁଁଛି ଶ୍ରୀମନ୍ଦିର ପ୍ରଶାସନ। ତେବେ ରତ୍ନଭଣ୍ଡାର ମରାମତି ପୂର୍ବରୁ ଅତ୍ୟାଧୁନିକ ଜ୍ଞାନ କୌଶଳ ଉପଯୋଗ କରି ପ୍ରଥମେ ଯାଞ୍ଚ କରିବାକୁ ଏଏସ୍ଆଇକୁ କହିଛି ଶ୍ରୀମନ୍ଦିର ପରିଚାଳନା କମିଟି।
ରାଜ୍ୟ ସରକାରଙ୍କଠାରୁ ଅନୁମତିପ୍ରାପ୍ତ ପରେ ଏଏସ୍ଆଇ ଡିଜିଙ୍କୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ହେଲେ ଗୁପ୍ତ ସୁଡ଼ଙ୍ଗ ଏବଂ କୋଠରି ଖୋଜିବାକୁ ଏଏସ୍ଆଇ ଏକପ୍ରକାର କୁଣ୍ଠାବୋଧ କରୁଥିବା ଜଣାପଡ଼ିଛି। ‘ବିବାଦରେ ପଶିବା କାହିଁକି ଏବଂ କ’ଣ କିଛି ହେଲେ ଅପବାଦ ମୁଣ୍ଡାଇବା କାହିଁକି’ ଏଭଳି ନ୍ୟାୟକୁ ଏଏସ୍ଆଇ ଗଣ୍ଠି କରିଥିବା କୁହାଯାଉଛି। ଆମକୁ ମରାମତି କଥା କୁହନ୍ତୁ, ଆମେ ଧାର୍ଯ୍ୟ ସମୟ ମଧ୍ୟରେ ମରାମତି ସାରିଦେବୁ ବୋଲି ଏଏସ୍ଆଇ ପକ୍ଷରୁ ମନ୍ଦିର ପ୍ରଶାସନକୁ ଅବଗତ କରାଯାଇଥିବା ଶୁଣିବାକୁ ମିଳୁଛି।
ଭିତର ରତ୍ନଭଣ୍ଡାର ଏବଂ ବାହାର ରତ୍ନଭଣ୍ଡାର ଏବେ ଖାଲି। ପ୍ରଥମେ ବାହାର ଭଣ୍ଡାର ଘରୁ ଏବଂ ପରେ ଭିତର ଭଣ୍ଡାର ଘରୁ ଠାକୁରଙ୍କ ରତ୍ନ ଅଳଙ୍କାର ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯାଇଛି। ଏହାପରେ ମାର୍ଗଦର୍ଶିକା ଅନୁଯାୟୀ ଅଳଙ୍କାର ସ୍ଥାନାନ୍ତର ପରେ ଉଭୟ ଭଣ୍ଡାର ଘରେ ଥିବା ସିନ୍ଦୁକ ଏବଂ ଆଲମିରାକୁ ବି ଖାଲି କରାଯାଇଛି। ଏବେ ରତ୍ନଭଣ୍ଡାର ମରାମତିକୁ ନେଇ ଯୋଜନା ଚାଲିଥିବା ବେଳେ ଲୋକଙ୍କ ଭିତରେ ଥିବା ସନ୍ଦେହ ଦୂର ପାଇଁ ଉଦ୍ୟମ ଚାଲିଛି। ଦୀର୍ଘ ବର୍ଷ ହେବ ଭିତର ରତ୍ନଭଣ୍ଡାରକୁ ନେଇ ନାନା ପ୍ରକାର ଚର୍ଚ୍ଚା, ଆଲୋଚନା ଜାରି ରହିଛି। କେହି କେହି ତା’ ଭିତରେ ସୁଡ଼ଙ୍ଗ ଥିବା କହୁଥିବା ବେଳେ ଆଉ କେହି ଗୁପ୍ତ କୋଠରି ଥିବା ନେଇ ମଧ୍ୟ ମତ ଦେଇଆସୁଛନ୍ତି।
ତେଣୁ ମରାମତି ପୂର୍ବରୁ ରତ୍ନଭଣ୍ଡାରକୁ ଭଲ ଭାବେ ଯାଞ୍ଚ କରାଯିବା ଲାଗି ଶ୍ରୀମନ୍ଦିର ପରିଚାଳନା କମିଟି ଓ ରତ୍ନଭଣ୍ଡାର ତଦାରଖ କମିଟି ନିଷ୍ପତ୍ତି ନେଇଛି। ଏଥିପାଇଁ ଆବଶ୍ୟକ ଅନୁମତି ବି ରାଜ୍ୟ ସରକାର ପ୍ରଦାନ କରିଛନ୍ତି। ତେଣୁ ଲେଜର୍ ସ୍କାନିଂ ଭଳି ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ପ୍ରଥମେ ରତ୍ନଭଣ୍ଡାର ଯାଞ୍ଚ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏହି ନିଷ୍ପତ୍ତି ପ୍ରକାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଏଏସ୍ଆଇ ଡିଜିଙ୍କୁ ଚିଠି ଲେଖିଛନ୍ତି। ହେଲେ ରତ୍ନଭଣ୍ଡାର ଯାଞ୍ଚକୁ ନେଇ ଏଏସ୍ଆଇ ଏକପ୍ରକାର ରାଜି ହେଉ ନଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।
ଶ୍ରୀମନ୍ଦିର ହେଉଛି ଏକ ସମ୍ବେଦନଶୀଳ ପ୍ରସଙ୍ଗ। କୋଟି କୋଟି ଭକ୍ତଙ୍କ ଭାବାବେଗ ଏଥିରେ ଜଡ଼ିତ। ପୂର୍ବରୁ ଶ୍ରୀମନ୍ଦିର ମରାମତିକୁ ନେଇ ଅନେକ ସମୟରେ ବିରୋଧାଭାସର ସମ୍ମୁଖୀନ ହୋଇଛି ଏଏସ୍ଆଇ। ଅଯଥା କିଛି ନ ଥାଇ ବିବାଦ ଭିତରକୁ ଟାଣି ହୋଇଛି। କୋର୍ଟ, କଚେରିକୁ ଯିବାକୁ ପଡ଼ିଛି। ତେଣୁ ଆଉ ଶ୍ରୀମନ୍ଦିରର କୌଣସି ବିବାଦୀୟ ପ୍ରସଙ୍ଗରେ ଏଏସ୍ଆଇ ମୁଣ୍ଡ ପୁରାଇବାକୁ ଚାହୁଁନାହିଁ। ଅନ୍ୟପକ୍ଷରେ ରତ୍ନଭଣ୍ଡାର ପ୍ରସଙ୍ଗ ମଧ୍ୟ ସବୁବେଳେ ଚର୍ଚ୍ଚାରେ ରହିଆସିଛି। ଏପରିକି ରତ୍ନ ଅଳଙ୍କାରର ଗଣତି ମଣତିକୁ ନେଇ ଛକାପଞ୍ଝା ବି ଚାଲିଛି। ତେଣୁ ଯାଞ୍ଚକୁ ନେଇ ଏଏସ୍ଆଇର ଅଧିକାରୀମାନେ ରାଜି ହେଉନାହାନ୍ତି।
ସବୁଠୁ ବଡ଼ କଥା ହେଉଛି, ଅତ୍ୟାଧୁନିକ ଜ୍ଞାନ କୌଶଳ ଉପଯୋଗ କରାଯିବ ବୋଲି ଯାହା କୁହାଯାଉଛି ସେମିତି ଏକ୍ସପର୍ଟ ଏଏସ୍ଆଇର ନାହିଁ। ସେମାନେ ଯଦି ବି କରନ୍ତି ତେବେ ବାହାର ଏଜେନ୍ସିକୁ ନେଇ ଏହି ଯାଞ୍ଚ କରିବେ। ତେଣୁ ସେମାନେ କାହିଁକି ବାହାର ଏଜେନ୍ସିକୁ ଆଣିବେ, ଏହି କାମ ଶ୍ରୀମନ୍ଦିର ପ୍ରଶାସନ ନିଜେ କରୁ ବୋଲି ଏଏସ୍ଆଇ ଚାହୁଁଛି। ଏମିତି ଛକାପଞ୍ଝା ଚାଲିଥିବା ବେଳେ ଯାଞ୍ଚ କାର୍ଯ୍ୟ ବିଳମ୍ବ ହେବାରେ ଲାଗିଛି ବୋଲି ଜଣାପଡ଼ିଛି।
ଏଏସ୍ଆଇର ଜଣେ ଅଧିକାରୀ କହିଛନ୍ତି, ବାସ୍ତବରେ ଯାଞ୍ଚ କରିବା ପାଇଁ ଏଏସ୍ଆଇ ରାଜି ନାହିଁ। କାରଣ ରତ୍ନଭଣ୍ଡାର ଭକ୍ତଙ୍କ ଭାବାବେଗ ସହ ଜଡ଼ିତ। ରତ୍ନଭଣ୍ଡାରକୁ ନେଇ ବାଦବିବାଦ ରହିଛି। ତେଣୁ ଏଥିରେ ପଶି ଅଯଥା ବଦନାମ ମୁଣ୍ଡାଇବାକୁ ଆମେ ଚାହୁଁନାହୁଁ। ଆମ ପାଖରେ ବି ଏକ୍ସପର୍ଟ ନାହାନ୍ତି। ବାହାର ଏଜେନ୍ସି ଆଣି ଆମେ କରିବା ଅପେକ୍ଷା ମନ୍ଦିର ପ୍ରଶାସନ ନିଜେ କରିବା ଠିକ୍ ହେବ। ତଥାପି କିଛି ସ୍ପଷ୍ଟ ହୋଇନାହିଁ ବୋଲି ସମ୍ପୃକ୍ତ ଅଧିକାରୀ କହିଛନ୍ତି।