କ୍ରୀଡା

ଦିନିକିଆରେ ଭାରତର ସବୁଠୁ ବଡ଼ ପରାଜୟ, ଅଷ୍ଟ୍ରେଲିଆ ଠାରୁ ୧୦ ଓ୍ବିକେଟ୍ ଓ ୨୩୪ ବଲ୍ ବାକି‌ ଥାଇ ହାରିଲା

ବିଶାଖାପାଟଣା: ବିଶାଖାପାଟଣାରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଭାରତକୁ ୧୦ ଓ୍ବିକେଟରେ ପରାସ୍ତ କରିଛି ଅଷ୍ଟ୍ରେଲିଆ । ମୁମ୍ବାଇରେ ହାରିବା ପରେ ଅଷ୍ଟ୍ରେଲିଆ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ତିନି ମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ ରେ ବରାବର କରିଛି ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ମିଚେଲ ଷ୍ଟାର୍କ ଘାଇଲା କରିଥିଲେ । ଭାରତ ୨୬ ଓଭରରେ ମାତ୍ର ୧୧୭ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଦଳ ତରଫରୁ ବିରାଟ କୋହଲି ୩୧ ରନ୍ କରିଥିବା ବେଳେ ଅକ୍ଷର ପଟେଲ ୨୯ ରନ୍ କରି ଅପରାଜିତ ରହିଥିଲେ ‌। ଭାରତର ଚାରି ଜଣ ବ୍ୟାଟ୍ସମ୍ୟାନ୍ ଖାତା ବି ଖୋଲିପାରିନଥିଲେ । ପ୍ରଥମ ମ୍ୟାଚ୍ ଖେଳିନଥିବା କ୍ୟାପଟେନ ରୋହିତ ଶର୍ମା ଫେରିଥିଲେ ମଧ୍ୟ ସେ ୧୩ ରନ୍ କରି ଆଉଟ୍ ହୋଇଥିଲେ ।

ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ୫ଟି ଓ ସନ୍ ଆବୋଟ୍ ୩ଟି ଓ୍ବିକେଟ୍ ନେଇଥିଲେ ।

୧୧୮ ରନର ବିଜୟ ଲକ୍ଷ୍ୟକୁ ଅଷ୍ଟ୍ରେଲିଆ ବିନା କୌଣସି ଓ୍ବିକେଟ ହରାଇ ୧୧ ଓଭରରେ ହିଁ ହାସଲ କରି ନେଇଥିଲା । ଦଳର ଦୁଇ ଓପନର୍ ହିଁ ଔପଚାରିକତା ପୂରଣ କରିଥିଲେ । ମିଚେଲ ମାର୍ଶ ୩୬ଟି ବଲରେ ୬ଟି ଚୌକା ଓ ସମାନ ସଂଖ୍ୟକ ଛକା ସହ ବିସ୍ଫୋରକ ୬୬ ରନ୍ କରିଥିବା ବେଳେ ଟ୍ରାଭିସ୍ ହେଡ୍ ୩୦ଟି ବଲରେ ୧୦ଟି ଚୌକା ସହ ୫୧ ରନ୍ କରିଥିଲେ ।

ବାକି ଥିବା ବଲ୍ ଦୃଷ୍ଟିରୁ ଦିନିକିଆରେ ଏହା ହେଉଛି ଭାରତର ସବୁଠାରୁ ବଡ଼ ପରାଜୟ | ଅଷ୍ଟ୍ରେଲିଆ ଏହି ମ୍ୟାଚ୍ ୨୩୪ ବଲ୍ ବାକି ଥାଇ ଜିତିଥିଲା । ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଆସନ୍ତା ୨୨ରେ ଚେନ୍ନାଇରେ ଖେଳାଯିବ ।

Related Articles

Leave a Reply

Your email address will not be published. Required fields are marked *

Back to top button