ଦେଶ ବିଦେଶ

ଲଣ୍ଡନ ପରେ ଆମେରିକା, ଭାରତୀୟ ଦୂତାବାସ ଉପରେ ଖଲିସ୍ତାନୀ ସମର୍ଥକଙ୍କ ଆକ୍ରମଣ

ହାଇଦ୍ରାବାଦ: କେବଳ ଲଣ୍ଡନ ନୁହେଁ ବରଂ ଆମେରିକାର ସାନ ଫ୍ରାନ୍ସିସକୋରେ ଥିବା ଭାରତୀୟ ଦୂତାବାସ ଉପରେ ମଧ୍ୟ ଖଲିସ୍ତାନୀ ସମର୍ଥକମାନେ ଆକ୍ରମଣ କରିଛନ୍ତି । ଅନୁରୂପ ଲଣ୍ଡନ ପରି ସେଠାରେ ମଧ୍ୟ ଦୂତାବାସ କାର୍ଯ୍ୟାଳୟରେ ଭଙ୍ଗାରୁଜା କରାଯିବା ସହ ତ୍ରିରଙ୍ଗାକୁ ଅସମ୍ମାନ କରାଯାଇଛି । କାର୍ଯ୍ୟାଳୟ ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଛି । ଘଟଣା ସମ୍ପର୍କରେ ଖବର ପ୍ରଘଟ ହେବା ପରେ ସେଠାରେ ଥିବା ପ୍ରବାସୀ ଭାରତୀୟ ସମୁଦାୟ ମଧ୍ୟରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ଦେଖାଯାଇଛି । ବାଇଡେନ ପ୍ରଶାସନ ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେମାନେ ଦାବି କରିଛନ୍ତି । ଘଟଣା ପରେ ବିଦେଶ ମନ୍ତ୍ରଣାଳୟ ମଧ୍ୟ ଓ୍ବାଶିଂଟନ ସହ ଯୋଗାଯୋଗ କରି ତଥ୍ୟ ମାଗିଛି । ଏପଟେ ଘଟଣା ପରେ ଭାରତ ଆମେରିକା ନିକଟରେ ଦୃଢ ପ୍ରତିବାଦ କରିଛି ।

ଆମେରିକା ସ୍ଥିତ ପ୍ରବାସୀ ଭାରତୀୟ ଷ୍ଟଡିଜ ଫାଉଣ୍ଡସେନ ପକ୍ଷରୁ ଏହି ଘଟଣାକୁ ନିନ୍ଦା କରାଯିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦାବି କରିଛି । ଖଲିସ୍ତାନୀ ସମର୍ଥକମାନେ ପ୍ରଥମେ କାର୍ଯ୍ୟାଳୟ ସମ୍ମୁଖରେ ଖଲିସ୍ତାନୀ ପତାକା ଧରି ଭାରତ ବିରୋଧୀ ନାରାବାଜୀ କରିବା ସହ ଦୂତାବାସରେ ପ୍ରବେଶ କରିବା ପାଇଁ ଉଦ୍ୟମ କରିଥିଲେ । ପରେ ସେମାନେ ସେଠାରେ ଲାଗିଥିବା ତ୍ରିରଙ୍ଗା ପତାକାକୁ ଅସମ୍ମାନ କରିଥିଲେ । କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିଲେ । କାର୍ଯ୍ୟାଳୟ କ୍ଷତିଗ୍ରସ୍ତ ହୋଇଛି । କାର୍ଯ୍ୟାଳୟ କିଛି ସ୍ଥାନରେ ସେମାନେ ଖଲିସ୍ତାନ ପତାକା ମଧ୍ୟ ଲଗାଇ ଘଟଣାସ୍ଥଳରୁ ପଳାଇଥିଲେ । ପରେ ଦୂତାବାସ ପକ୍ଷରୁ ପୋଲିସକୁ ଏ ସମ୍ପର୍କରେ ଅବଗତ କରାଯାଇଥିଲା । ଖଲିସ୍ତାନୀ ପତାକାକୁ ସେଠାରୁ ହଟାଯିବା ସହ ତ୍ରିରଙ୍ଗାକୁ ପୁଣି ଥରେ ଉଚିତ ସ୍ଥାନରେ ଲଗାଯାଇଛି । ଘଟଣା ନେଇ ଏକାଧିକ ଅଭିଯୋଗ ପରେ ସାନ ଫ୍ରାନ୍ସିସକୋ ପୋଲିସ ମଧ୍ୟ ହିଂସାକାରୀଙ୍କୁ ଧରିବା ପାଇଁ ପ୍ରୟାସ ଆରମ୍ଭ କରିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button