ଓଡିଶା

ମେଜର ଓ ବାନ୍ଧବୀଙ୍କୁ ଆକ୍ରମଣ ମାମଲା: ଘଟଣା ରାତିର ଦୁର୍ବୃତ୍ତଙ୍କୁ ଖୋଜୁଛି ପୁଲିସ

ଭୁବନେଶ୍ବର: ଭରତପୁର ଥାନାରେ ଆର୍ମି ମେଜର ଗୁରୁବଂଶ ସିଂ ଓ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ହୋଇଥିବା ନିର୍ଯାତନା ମାମଲା ଦିନକୁ ଦିନ ଘନେଇବାରେ ଲାଗିଛି। ଏହି ଘଟଣାକୁ ଜାତୀୟ ମହିଳା କମିସନ(ଏନ୍ସିଡବ୍ଲ୍ୟୁ) ଗୁରୁତ୍ବର ସହ ନେଇଛନ୍ତି। ମାମଲାକୁ ଗୋଟିଏ ସପ୍ତାହ ବିତିବାକୁ ବସିଥିବା ବେଳେ କମିସନରେଟ୍ ପୁଲିସ କି କି ପଦକ୍ଷେପ ନେଇଛି, ସେସବୁର ବିସ୍ତୃତ ରିପୋର୍ଟ ଦେବାକୁ ନୋଟିସ୍ ଜରିଆରେ ଡିଜିପି ୱାଇ ବି ଖୁରାନିଆଙ୍କୁ ରିପୋର୍ଟ ମଗାଯାଇଛି।

୩ ଦିନ ମଧ୍ୟରେ ଏହି ରିପୋର୍ଟ ଦେବାକୁ ଏନ୍ସିଡବ୍ଲ୍ୟୁ ନୋଟିସ୍ରେ ଉଲ୍ଲେଖ କରିଛନ୍ତି। ଏହା ଭିତରେ କମିସନରେଟ୍ ପୁଲିସ ମୂଳ ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି। ଡିଜିପି ଶ୍ରୀ ଖୁରାନିଆଙ୍କ ନିର୍ଦ୍ଦେଶକ୍ରମେ ଚନ୍ଦକା ଥାନା ପୁଲିସ ମୂଳ ଘଟଣାକୁ ନେଇ ମାମଲା ରୁଜୁ କରିଛି। ଘଟଣା ଦିନ ରାତିରେ ଅର୍ଥାତ୍ ୧୪ ତାରିଖ ରାତିରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପଥରଗାଡ଼ିଆ ରୋଡ୍ରେ ଆକ୍ରମଣ କରିଥିବା ଦୁର୍ବୃତ୍ତମାନଙ୍କୁ ଠାବ କରିବାକୁ ପୁଲିସ ଛାନ୍ଭିନ୍ ଆରମ୍ଭ କରିଛି।

ସେଦିନ ବିଳମ୍ବିତ ରାତିରେ ମେଜର୍ ଓ ବାନ୍ଧବୀଙ୍କୁ ୩କାର୍ରେ ଥିବା ୧୧ରୁ ଊର୍ଧ୍ବ ଯୁବକ ପିଛା କରିଥିଲେ। ସେମାନେ ତାଙ୍କୁ ନିଛାଟିଆ ସ୍ଥାନରେ ଅଟକାଇ ଆକ୍ରମଣ କରିଥିଲେ। ପଥରଗାଡ଼ିଆ ରାସ୍ତା ଚନ୍ଦକା ଥାନା ଅନ୍ତର୍ଗତ ହୋଇଥିବାରୁ ସେଠାରେ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବାକୁ ପୁଲିସ ଡିଏଲ୍ଏଫ୍ ବିଲ୍ଡିଂ ରୋଡ୍ ଓ ଆଖପାଖ ଅଞ୍ଚଳରେ ଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି। ଫୁଟେଜ୍ରୁ କାର୍ ଓ ଯୁବକମାନଙ୍କୁ ଠାବ କରିବାକୁ ଚନ୍ଦକା ଥାନା ପୁଲିସ ଜୋର୍ଦାର୍ ଉଦ୍ୟମ କରୁଛି।

ମଡେଲ୍ ଥାନାରେ ସିସିଟିଭି ନଥିଲା କାହିଁକି?
ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରତି ଥାନାରେ ସିସିଟିଭି କ୍ୟାମେରା ରହିବା ବାଧ୍ୟତାମୂଳକ। କମିସନରେଟ୍ ପୁଲିସର ଭରତପୁର ଥାନା ହେଉଛି ଅନ୍ୟତମ ମଡେଲ୍ ଥାନା। ଏହି ଥାନାର ଭିତ୍ତିଭୂମି ସାଧାରଣ ଥାନାର ଭିତ୍ତିଭୂମି ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଓ ଉନ୍ନତ। ମାତ୍ର ଆଶ୍ଚର୍ଯ୍ୟର କଥା ଏହି ଥାନାରେ ଏପର୍ଯ୍ୟନ୍ତ ସିସିଟିଭି ଲଗାଯାଇନାହିଁ। ମାର୍ଚ୍ଚରୁ ଏହି ଥାନା ଉଦ୍ଘାଟିତ ହୋଇସାରିଛି। ଏହା ଭିତରେ ୬ମାସ ବିତିଗଲାଣି। କିନ୍ତୁ ଏପର୍ଯ୍ୟନ୍ତ ସିସିଟିଭି ଲଗାଯାଇନାହିଁ। ମିଳିଥିବା ସୂଚନାନୁସାରେ ଏପର୍ଯ୍ୟନ୍ତ ରାଜ୍ୟରେ ନିର୍ମାଣ ହୋଇଥିବା ନୂଆ ୩୬ ଥାନାରେ ସିସିଟିଭି ଲଗାଯାଇ ନାହିଁ। ରାଜ୍ୟର ୬୭୯ ଥାନାରୁ ୫୯୧ ଥାନାରେ ସିସିଟିଭି ଲଗାଯାଇଛି। ଏଥିପାଇଁ ପାଖାପାଖି ୧୨୦କୋଟି ଟଙ୍କା ଖର୍ଚ୍ଚ ହୋଇଛି। କେଉଁ ପରିସ୍ଥିତିରେ ଆଜି ବି ବହୁ ଥାନାରେ ସିସିଟିଭି ଲଗାଯାଇ ନାହିଁ, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହା ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶକୁ ଖୋଲା ଉଲ୍ଲଂଘନ ବୋଲି ଚର୍ଚ୍ଚା ହେଉଛି।

ବଖାଣିଲେ ଥାନା ନିର୍ଯାତନାର ଛାତିଥରା କାହାଣୀ
ଗତକାଲି ହାଇକୋର୍ଟରୁ ଜାମିନ ପାଇବା ପରେ ଆଜି ମେଜର ଗୁରୁବଂଶଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନ ଭୁବନେଶ୍ବର ଏମ୍ସରୁ ବାହାରିଛନ୍ତି। ମେଡିକାଲ୍ରୁ ଡିସ୍ଚାର୍ଜ ପରେ ସେ କୋହଭରା କଣ୍ଠରେ ବଖାଣିଛନ୍ତି ସେହି କାଳରାତିର କଳା କାହାଣୀ। ସେଦିନ ତାଙ୍କ ସହ ଘଟିଥିବା ନିର୍ମମ ଓ ନିଷ୍ଠୁର ନିର୍ଯାତନାର କାହାଣୀ କହିବା ବେଳେ ସେ କୋହ ସମ୍ଭାଳି ପାରିନଥିଲେ। ଥାନା ଭିତରେ ପୁଲିସ ଯେ ଏମିତି କରିପାରେ ବୋଲି ସେ ସ୍ବପ୍ନରେ ବି ଭାବି ନଥିବା କହିଛନ୍ତି। ସେ କହିଛନ୍ତି ଯେ ରାସ୍ତାରେ ଦୁର୍ବୃତ୍ତମାନଙ୍କ ଆକ୍ରମଣ ଯେତିକି ଭୟଙ୍କର ନଥିଲା, ଥାନା ଭିତରେ ପୁଲିସର ବ୍ୟବହାର ଓ ଆକ୍ରମଣ ତା’ଠାରୁ ଶହେ ଗୁଣ ଅଧିକ ଥିଲା। ଚନ୍ଦକା ଥାନା ଅଞ୍ଚଳରେ ଦୁର୍ବୃତ୍ତମାନେ ସେମାନଙ୍କୁ ଆକ୍ରମଣ କରିଥିଲେ। ଜୀବନ ବିକଳରେ ସେମାନେ ଭରତପୁର ଥାନାକୁ ପଳାଇଆସିଥିଲେ। କିନ୍ତୁ ଭରତପୁର ଥାନାରେ ସେମାନଙ୍କୁ ମିଳିଲା ଅବିଶ୍ବସନୀୟ ନିର୍ଯାତନା।

ଅଭିଯୋଗ ରଖି ସାହାଯ୍ୟ କରିବା ବଦଳରେ ତାଙ୍କୁ ଚୋର ଚଣ୍ଡାଳ ଭଳି ତାଙ୍କୁ ଥାର୍ଡ ଡିଗ୍ରି ଦିଆଯାଇଥିଲା। ପ୍ରଥମେ ଜଣେ ମହିଳା ପୁଲିସ କର୍ମଚାରୀ ତାଙ୍କ ଚୁଟି ଧରି ଘୋଷାରି ନେଇଥିଲେ। ଅନ୍ୟ ଜଣେ ମହିଳା କନେଷ୍ଟବଳ ତାଙ୍କ ତଣ୍ଟି ଚିପି ମାଡ଼ି ବସିଥିଲେ। ଆଉ ଜଣେ କନେଷ୍ଟବଳ ଜ୍ୟାକେଟ୍ରେ ତାଙ୍କ ହାତ ଗୋଡ଼ ବାନ୍ଧି ଏକ ରୁମ୍କୁ ଘୋଷାରି ଘୋଷାରି ନେଇଥିଲେ ଏବଂ ସେଠାରେ ବନ୍ଦ କରିଦେଇଥିଲେ। ଏତିକିରେ ସେମାନଙ୍କ ନିର୍ଯାତନା ସରିନଥିଲା। ଜଣେ ପୁରୁଷ କନେଷ୍ଟବଳ ଓ ମହିଳା କନେଷ୍ଟବଳ ମିଶି ତାଙ୍କ ପୋଷାକ ଓ ଅନ୍ତଃବସ୍ତ୍ର ଖୋଲି ନିସ୍ତୁକ ମାଡ଼ମାରିଥିଲେ। ସେ ବିକଳରେ କାନ୍ଦୁଥିବା ବେଳେ ଆଇଆଇସି ପହଞ୍ଚିଥିଲେ ଏବଂ ତାଙ୍କୁ ଅଶ୍ଳୀଳ ଇଙ୍ଗିତ କରିଥିଲେ। କଥା ସେତିକିରେ ସରିନଥିଲା, ଭୋର୍ ସମୟରେ ଆଇଆଇସି ଓ ୨ କନେଷ୍ଟବଳ ତାଙ୍କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ ବୋଲି ଅଙ୍କିତା କହିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button