ନଦୀମଙ୍କୁ ମଧ୍ୟାହ୍ନଭୋଜନ ପାଇଁ ନିମନ୍ତ୍ରଣ ଦେଇଛନ୍ତି ନୀରଜ – Utkal Mail
ନୂଆଦିଲ୍ଲୀ: ଅଲିମ୍ପିକ୍ ଓ ବିଶ୍ବ ଦୌଡ଼କୁଦ ବିଜେତା ନୀରଜ ଚୋପ୍ରା ତାଙ୍କର ପାକିସ୍ତାନୀ ପ୍ରତିଦ୍ବନ୍ଦ୍ବୀ ତଥା ବିଶ୍ବ ଦୌଡ଼କୁଦର ରୌପ୍ୟ ପଦକ ବିଜେତା ଅର୍ଶଦ ନଦୀମଙ୍କୁ ନିଜ ଖାଣ୍ଡ୍ରା ବାସଭବନକୁ ମଧ୍ୟାହ୍ନଭୋଜନ ପାଇଁ ନିମନ୍ତ୍ରଣ ଦେଇଛନ୍ତି। ବିଶ୍ବ ଚାମ୍ପିଅନ୍ସିପ୍ରେ ସ୍ବର୍ଣ୍ଣ ଏବଂ ଗୁରୁବାର ଜୁରିକ ଡାଏମଣ୍ଡ ଲିଗ୍ରେ ରୌପ୍ୟ ପଦକ ଜିତିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରିବା ସମୟରେ ସେ ଏହି ସୂଚନା ଦେଇଛନ୍ତି। କେବଳ ନଦୀମ ନୁହଁନ୍ତ ଯେକୌଣସି ଜାଭଲିନ୍ ଫିଙ୍ଗାଳି ଭାରତକୁ ଆସିବେ, ତାଙ୍କୁ ସେ ପାନିପତ୍ସ୍ଥିତ ଖାଣ୍ଡ୍ରାସ୍ଥିତ ଘରକୁ ବୁଲି ଆସିବା ପାଇଁ ନିମନ୍ତ୍ରଣ ଦେବେ ବୋଲି ନୀରଜ କହିଛନ୍ତି। ନୀରଜ ଓ ନଦୀମଙ୍କ ମଧ୍ୟରେ ବନ୍ଧୁତା ୨୦୧୬ରୁ ରହିଆସିଛି। ଗୁଆହାଟୀରେ ହୋଇଥିବା ଦକ୍ଷୀଣ ଏସୀୟ କ୍ରୀଡ଼ାରେ ଦୁହେଁ ପ୍ରତିଦ୍ବନ୍ଦ୍ବିତା କରିଥିଲେ।
ସେହିପରି ଜାକର୍ତ୍ତାରେ ହୋଇଥିବା ୨୦୧୮ ଏସୀୟ କ୍ରୀଡ଼ାରେ ନୀରଜ ସ୍ବର୍ଣ୍ଣ ଓ ନଦୀମ କାଂସ୍ୟ ପଦକ ପାଇଥିଲେ। ଉଭୟ ପରସ୍ପରକୁ ସମ୍ମାନ ଜଣାଇ ନିଜନିଜର ଜାତୀୟ ପତାକା ଦ୍ବାରା ନିଜକୁ ଘୋଡ଼ାଇଥିଲା ବେଳେ ହାତ ମିଳାଉଥିବା ଫଟୋ ଏବେ ଚାରିଆଡ଼େ ଭାଇରାଲ ହେବାରେ ଲାଗିଛି। ବିଶ୍ବ ଦୌଡ଼କୁଦରେ ଅର୍ଶଦଙ୍କ ପ୍ରଦର୍ଶନକୁ ମଧ୍ୟ ନୀରଜ ପ୍ରଶଂସା କରିବା ସହିତ ତାଙ୍କ ଦେଶ ପାଇଁ ଏହା ବଡ଼ ସଫଳତା ଥିଲା। କିନ୍ତୁ ଗ୍ରୁପ୍ ଫଟୋ ସମୟରେ ଅର୍ଶଦ ତାଙ୍କ ଦେଶର ଜାତୀୟ ପତାକା ନପାଇବାରୁ ନୀରଜ କ୍ଷୋଭ ପ୍ରକାଶ କରିଥିଲେ। ତଥାପି ପଦକ ସମାରୋହ ବେଳକୁ ତାଙ୍କୁ ପାକିସ୍ତାନୀ ପତାକା ଦିଆଯାଇଥିଲା। ନୀରଜ ଆଗକୁ ୟୁଜେନ୍ରେ ହେବାକୁ ଥିବା ଡାଏମଣ୍ଡ ଲିଗ୍ରେ ପ୍ରତିଦ୍ବନ୍ଦ୍ବିତା କରିବେ। ସେଠାରୁ ସେ ସିଧାସଳଖ ଏସୀୟ କ୍ରୀଡ଼ା ପାଇଁ ହଙ୍ଗଝୌ ଗସ୍ତ କରିବେ।