ଓଡିଶା

ବ୍ରହ୍ମପୁରରେ ଆଞ୍ଚଳିକ କୃଷି ମହୋତ୍ସବ ଉଦ୍‌ଘାଟିତ

ବ୍ରହ୍ମପୁର: ସିଲ୍କ ସିଟି ଫେଷ୍ଟ ତଥା ହକି ମହୋତ୍ସବ ଉଦ୍‌ଘାଟନୀ ଅବସରରେ ବ୍ରହ୍ମପୁରସ୍ଥିତ ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ଖେଳ ପଡ଼ିଆରେ କୃଷି ବିଭାଗର ପ୍ରଦର୍ଶନୀ ଶୁକ୍ରବାରରୁ ଆରମ୍ଭ ହୋଇଛି। ଗୃହ ଓ ସହରାଞ୍ଚଳ ବିକାଶ ମନ୍ତ୍ରୀ ଉଷା ଦେବୀ ଏହି ଆଞ୍ଚଳିକ କୃଷି ମହୋତ୍ସବ ତଥା କୃଷି ଯନ୍ତ୍ରପାତି ମେଳା ଉଦ୍‌ଘାଟନ କରିଥିଲେ। ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ମେୟର୍ ସଂଘମିତ୍ରା ଦଳେଇ, ଡେପୁଟୀ ମେୟର ଇ.ବିବେକ ରେଡ୍ଡୀ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଭି.କୀର୍ତ୍ତି ଭାସନ୍ ପ୍ରମୁଖ ଉପସ୍ଥିତ ଥିଲେ। ସେଠି ଭିନ୍ନ ଭିନ୍ନ ଷ୍ଟଲ୍‌ରେ କୃଷି ବିଭାଗର ବିଭିନ୍ନ ଯୋଜନା ପ୍ରଦର୍ଶିତ ହେବା ସହ କୃଷି ସାମଗ୍ରୀ କିଣାବିକା ହେବ। କୃଷକଙ୍କ ଦ୍ଵାରା ଅମଳ ସାମଗ୍ରୀ ବିଭିନ୍ନ ଷ୍ଟଲ୍‌ରେ ଉପଲବ୍ଧ ହେବ। ଏହା ଆଜିଠୁ ଆରମ୍ଭ ହୋଇଥିବା ବେଳେ ୫ ଦିନ ପର୍ଯ୍ୟନ୍ତ ଚାଲିବ। ଜିଲ୍ଲାର ବିଭିନ୍ନ ସ୍ଥାନରୁ କୃଷକ ଓ ଏହି କ୍ଷେତ୍ର ସମ୍ପର୍କିତ ଉଦ୍ୟୋଗୀ, କୃଷି ବିଶେଷଜ୍ଞ, ଛାତ୍ରଛାତ୍ରୀ, ଗବେଷକ ପ୍ରମୁଖ ଏହି ପ୍ରଦର୍ଶନୀ ବୁଲି ଜ୍ଞାନ ଆହରଣ କରିପାରିବେ। ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଆୟୋଜିତ ଏହି ମେଳା ସ୍ଥାନୀୟ ଅଞ୍ଚଳର କୃଷି କ୍ଷେତ୍ରର ବିକାଶରେ ସହାୟକ ହେବା ଆଶା କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ ରେଶମ ମହାନଗର ମହୋତ୍ସବ ଅବସରରେ ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ପଡ଼ିଆରେ କୃଷି ମେଳା, କେ.ସି. ହାଇସ୍କୁଲ ପଡ଼ିଆରେ ବନ ବିଭାଗ ଦ୍ବାରା ହର୍ବାଲ୍ ମେଳା ସହ ମୁଖ୍ୟ କାର୍ଯ୍ୟକ୍ରମ ସ୍ଥଳ ତଥା ୟୁସିପି ଇଞ୍ଜିନିୟରିଂ ସ୍କୁଲ ପଡ଼ିଆରେ ଖାଦ୍ୟ ମେଳା, ପୁସ୍ତକ ମେଳା ଓ ପଲ୍ଲୀଶ୍ରୀ ମେଳାର ଆୟୋଜନ କରାଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button