ରେଳ ଧାରଣରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
ଚୌଦ୍ୱାର,୦୪/୧୦: ରେଳ ଧାରଣାରେ ମିଳିଲା ଯୁବକଙ୍କ ମୃତଦେହ । ଯୁବକଙ୍କ ହାତ ଗୋଡ଼ ବନ୍ଧା ହୋଇଥିବାବେଳେ ଦେହ ଠାରୁ ମୁଣ୍ଡ ଅଲଗା ହୋଇ ପଡ଼ି ରହିଛି । ମୃତକ ନିର୍ଗୁଣ୍ଡୀ ବେହେରା ସାହିର କେ. ତିରୁପତି ରେଡି ବୋଲି ଜଣା ପଡିଛି । କଟକ ଜିଲ୍ଲା ଟାଙ୍ଗୀ ନିର୍ଗୁଣ୍ଡୀ ଷ୍ଟେସନ ନିକଟ ରେଳ ଧାରଣାରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, କେ.
ତିରୁପତି ରେଡି ଏକ ଘରୋଇ କମ୍ପାନୀରେ ଟାୟାର ମିସ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ । ତେବେ ଗୁରୁବାର ଯୁବକଙ୍କ ମୃତଦେହ ଟାଙ୍ଗୀ ନିର୍ଗୁଣ୍ଡୀ ଷ୍ଟେସନ ନିକଟ ରେଳ ଧାରଣାରେ ଦେଖିବାକୁ ପାଇଥିଲେ ସ୍ଥାନୀୟଲୋକେ । ଯୁବକଙ୍କ ଶରୀରଠାରୁ ମୁଣ୍ଡ ଅଲଗା ହୋଇଯାଇଥିଲା । ତାଙ୍କ ହାତ ଗୋଡ଼ ବନ୍ଧା ହୋଇଥିବାର ମଧ୍ୟ ଦେଖିବାକୁ ମିଳିଥିଲା ।
ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବକଙ୍କ ମୃତଦେହ ଜବତ କରିଛି । ତେବେ ଏନେଇ ମୃତକଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ କରିଛନ୍ତି । ଉକ୍ତ ଅଭିଯୋଗ ଆଧାରରେ ଘଟଣା ସ୍ଥଳରେ ଟାଙ୍ଗୀ ଏବଂ ରେଳବାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।