ଓଡିଶା

ଆସୁଛି ଦୀପାବଳି: ଲାଇସେନ୍ସ ଅପେକ୍ଷାରେ ୩୫୦ ବାଣ ଦୋକାନୀ, ୨୫୦ ଦୋକାନୀଙ୍କୁ ମିଳିପାରେ

ଭୁବନେଶ୍ୱର,୨୨/୧୦: ଦିନ କେଇଟା ପରେ ଦୀପାବଳି । ବାଣ ଦୋକନୀମାନେ ଲାଇସେନ୍ସ ପାଇଁ ଡିସିପିଙ୍କ କାର୍ଯ୍ୟାଳୟରେ ଭିଡ଼ ଲଗାଇଲେଣି । ଏବେ ସୁଦ୍ଧା ୩୫୦ ଜଣ ଲାଇସେନ୍ସ ପାଇଁ ଆବେଦନ କରିସାରିଲେଣି । ସେମାନଙ୍କ ମଧ୍ୟରୁ ୨୫୦ ଦୋକାନୀଙ୍କୁ ଲାଇସେନ୍ସ ମିଳିବ ବୋଲି ଜଣାପଡ଼ିଛି । ଜଟଣୀ ଥାନା ଅଞ୍ଚଳରେ ସର୍ବାଧିକ ୮୫ ଜଣ ବାଣ ଦୋକାନୀ ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି ।

ଆବେଦନକାରୀଙ୍କ ସଂଖ୍ୟା ବଢ଼ିବ ବୋଲି ଜଣାପଡ଼ିଛି ।

ପୁଲିସ୍ କହିଛି, ଯେଉଁମାନଙ୍କୁ ଲାଇସେନ୍ସ ଦିଆଯିବ ସେମାନେ ମନଇଚ୍ଛା ଦୋକାନ ଖୋଲି ପାରିବେ ନାହିଁ । ପଡ଼ିଆରେ ଓ ଫାଙ୍କା ସ୍ଥାନରେ ବାଣ ଦୋକାନ ଖୋଲିବାକୁ ଗାଇଡଲାଇନ ରହିଛି । ଅନ୍ୟଥା ଦୋକାନ ବନ୍ଦ କରି ଦିଆଯିବ । ବାଣ ଦୋକାନୀମାନେ ଅଗ୍ନି ନିର୍ବାପନ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିବେ । ଦୋକାନକୁ ଟିଣ ଚାଦରରେ ତିଆରି କରିବେ । ବାଲି ଓ ପାଣି ଡ୍ରମ୍ ମଧ୍ୟ ରଖିବେ । ଅଗ୍ନିଶମ ଅଧିକାରୀ ଏହାର ଯାଞ୍ଚ କରିବେ ବୋଲି ଡିସିପି ପିନାକ ମିଶ୍ର କହିଛନ୍ତି ।

ଯେଉଁଠାରେ ୩୦ରୁ ଅଧିକ ବାଣ ଦୋକାନ ଖୋଲା ହେବ ସେଠାରେ ଦମକଳ ଗାଡ଼ି ୨୪ ଘଣ୍ଟା ରହିବ । ଦୀପାବଳି ଦିନ ବାଣ ଫୁଟାଇବା ସମୟରେ କେତେ ଅଘଟଣ ଘଟିପାରେ । ପୁଲିସ୍ ଚାରିଆଡ଼େ ବ୍ଲକିଂ କରିବା ସହ ଗଳିକନ୍ଦିରେ ବୁଲିବ ପିସିଆର୍ ଭ୍ୟାନ୍ । ଦୀପାବଳି ରାତିରେ ପାଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବ । ମଦୁଆଙ୍କ ଉପରେ ଅଧିକ ଦୃଷ୍ଟି ରଖାଯିବ । ବିଚ୍ ରାସ୍ତାରେ ଆତସବାଜି ଫୁଟାଇଲେ ପୁଲିସ୍ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button