ଓଡିଶା

ହୋଲ୍ଡିଂ ନଥିବା ଜାଗାରୁ ଏଣିକି ୟୁଜର୍ସ ଫି: କୁଆଡ଼େ ଗଲା ରାଜସ୍ବ ଦିବସ?

ଭୁବନେଶ୍ବର: ବିଏମ୍ସି ଅଞ୍ଚଳରେ ହୋଲ୍ଡିଂ ସଂଖ୍ୟା ୧ ଲକ୍ଷ ୨୦ ହଜାର ରହିଛି। କିନ୍ତୁ ମାତ୍ର ୬୦ ହଜାର ଘରୁ ଟିକସ ଆଦାୟ ହେଉଛି। ସେଥିରେ ପୁଣି ବାଣିଜ୍ୟିକ ପ୍ରତିଷ୍ଠାନରୁ ବିଏମ୍ସି ଆବାସିକ ଟିକସ ଆଣୁଛି। କେହି ଜଗିବାକୁ ନାହାନ୍ତି, ଏଣୁ ଯିଏ ଯେମିତି ପାରିଲା ଲୁଟୁଛି। ଫଳରେ ରାଜସ୍ବ ଆଦାୟରେ ବିଏମ୍ସି ପ୍ରତିବର୍ଷ ଲକ୍ଷ୍ୟ ଠାରୁ ଦୂରରେ ରହୁଛି।

ଏଭଳି ଘଟଣାକୁ ନେଇ ତନାଘନା ହେବା ପରେ ଶତ ପ୍ରତିଶତ ଟିକସ ଆଦାୟ ସହ ନିୟମିତ ସମୀକ୍ଷା କରିବା ପାଇଁ ପ୍ରତ୍ୟେକ ଶନିବାରକୁ ‘ରାଜସ୍ବ ଦିବସ’ ପାଳନ କରିବାକୁ ୨୦୨୩ ମସିହା ଜୁଲାଇ ମାସରେ ନିଷ୍ପତ୍ତି ହୋଇଥିଲା। ହେଲେ ତାହା ଚୁଲିକୁ ଯାଇଛି। କେତେ ବାଣିଜ୍ୟିକ ପ୍ରତିଷ୍ଠାନରୁ ଆବାସିକ ହୋଲ୍ଡିଂ ଆଦାୟ ହେଉଛି ତାହା ହିସାବ ବିଏମ୍ସି ପାଖରେ ନାହିଁ କି ତଦନ୍ତ ମଧ୍ୟ ହେଉ ନାହିଁ। ଏ ବାବଦରେ କିଏ ହାତଗୁଞ୍ଜା ନେଉଛି ତାହା ମଧ୍ୟ କର୍ତ୍ତୃପକ୍ଷ ଜାଣି ପାରୁନାହାନ୍ତି। ଏଭଳି ସ୍ଥିତିରେ ବିଏମ୍ସି ହୋଲ୍ଡିଂ ଟିକସ ଧାର୍ଯ୍ୟ ହୋଇ ପାରୁନଥିବା ଜାଗାରୁ ଏବେ ୟୁଜର୍ସ ଫି ଆଦାୟ କରିବାକୁ ନିଷ୍ପତ୍ତି ନେଇଛି। ବିଏମ୍ସି ଅଞ୍ଚଳରେ ‘ନଟ୍ ଫାଇନାଲ୍’ ପଟ୍ଟା ପାଇଥିବା ଲୋକଙ୍କ ଠାରୁ ହୋଲ୍ଡିଂ ଟିକସ ଆଦାୟ ହୋଇ ପାରୁନାହିଁ। ବିଏମ୍ସି ଏ ସବୁକୁ ଛାଡ଼ି ଦେଇଛି।

‘ନଟ୍ ଫାଇନାଲ୍ ପଟ୍ଟା’ରୁ ଟଙ୍କାଟିଏ ପାଉନି ବିଏମ୍ସି
ହଜାର ହଜାର କୋଟିର ରାଜସ୍ବହାନୀ
କୁଆଡ଼େ ଗଲା ରାଜସ୍ବ ଦିବସ?

ଏହି ସବୁ ଅଞ୍ଚଳରେ ବିଏମ୍ସି ବିଜୁଳି, ରାସ୍ତା, ଆବର୍ଜନା ସଂଗ୍ରହ ଠାରୁ ଆରମ୍ଭ କରି ଯାବତୀୟ ମୌଳିକ ସୁବିଧା ଯୋଗାଇ ଦେଉଛି। କିନ୍ତୁ ଏଠାରୁ ଟଙ୍କାଟିଏ ପାଉନାହିଁ କି ଏଠାରୁ କିଭଳି ରାଜସ୍ବ ଆସିବ ସେ ନେଇ ଉଦ୍ୟମ ମଧ୍ୟ କରୁନାହିଁ। ଏଭଳି କେତେ ଜାଗା ଅଛି ତାହା ମଧ୍ୟ ବିଏମ୍ସି ପାଖରେ ହିସାବ ନାହିଁ। ତେବେ ଆଦିମାତା କଲୋନି, ଗଜପତି ନଗର ଓ ଲକ୍ଷ୍ମୀବିହାରରେ ରହୁଥିବା ଲୋକମାନଙ୍କର ‘ନଟ୍ ଫାଇନାଲ୍’ ଜମି ପଟ୍ଟା ଥିବାରୁ ସେମାନଙ୍କ ଠାରୁ ବିଏମସି ହୋଲ୍ଡିଂ ଟିକସ ଆଦାୟ କରିପାରୁ ନଥିବାରୁ ଏହି ସବୁ ଜାଗାରୁ ବିଏମ୍ସି ୟୁଜର୍ସ ଫି’ ଆଦାୟ କରିବାକୁ ନିଷ୍ପତ୍ତି ନେଇଛି। ଏହା ବାଦ୍ ଆହୁରି ଏଭଳି ଅନେକ ଜାଗା ରହିଛି ଯେଉଁଠୁ ବିଭିନ୍ନ ବିବାଦ ଯୋଗୁ ହୋଲ୍ଡିଂ ଟିକସ ବା ରାଜସ୍ବ ଆଦାୟ ହୋଇ ପାରୁ ନାହିଁ କିନ୍ତୁ ଡ୍ରେନ, ରାସ୍ତା, ଆଲୋକୀକରଣ ସୁବିଧା ଯୋଗାଉଛି। ଏଣୁ ଏ ସବୁ ଜାଗାକୁ ଖୋଜି ସେଠାରୁ ୟୁଜର୍ସ ଫି ଆଦାୟ କରିବାକୁ ନିଷ୍ପତ୍ତି ହୋଇଛି। ଇଡ୍କୋ ଅଞ୍ଚଳରୁ ମଧ୍ୟ ବିଏମ୍ସି ଟଙ୍କାଟିଏ ରାଜସ୍ବ ପାଉ ନାହିଁ। ଏଠାରୁ ମଧ୍ୟ ୟୁଜର୍ସ ଫି ଆଦାୟ କରିବାକୁ ଯୋଜନା ହୋଇଛି। ତେବେ ଏଥର ହୋଲ୍ଡିଂ ନୁହେଁ, ବରଂ ‘ପ୍ରପର୍ଟି ଟ୍ୟାକ୍ସ’ ଆଦାୟ କରିବାକୁ ବିଏମ୍ସି ନିଷ୍ପତ୍ତି ନେଇଛି। ତେବେ ଏହାକୁ ଲାଗୁ କରିବା ପାଇଁ ଦୀର୍ଘ ସମୟ ଲାଗିବାକୁ ଥିବାରୁ ସେ ପର୍ଯ୍ୟନ୍ତ ହୋଲ୍ଡିଂ ଟିକସ ସମେତ ଏଭଳି ୟୁଜର୍ସ ଫି’ ଆଦାୟ ହେବ ବୋଲି ଜଣାପଡ଼ିଛି। ଯେତିକି ଘର ଅଛି ସମସ୍ତଙ୍କ ଠାରୁ ହୋଲ୍ଡିଂ ଓ ୟୁଜର୍ସ ଫି ଆଦାୟ ହେଲେ ବିଏମ୍ସିର ରାଜସ୍ବ ଆଦାୟ ଲକ୍ଷ୍ୟ ଠାରୁ ବଢ଼ିଯିବ ବୋଲି ଆକଳନ କରାଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button