ଦେଶ ବିଦେଶ

ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ – ବିଧି ଓ ବ୍ୟବସ୍ଥା

ଗଦୀଶ କୁମାର ପଟ୍ଟନାୟକଯୁକ୍ତରାଷ୍ଟ୍ର ଆମେରିକା ବା ସାଧାରଣ ଭାବରେ କୁହାଯାଉଥିବା ଆମେରିକାରେ ଗୋଟିଏ ରାଷ୍ଟ୍ରପତୀୟ ସରକାର ରହିବାର ବ୍ୟବସ୍ଥା କରାଯାଇଛି। ଅର୍ଥାତ୍ ଆମେରିକା ଜଣେ ରାଷ୍ଟ୍ରପତିଙ୍କ ନେତୃତ୍ବରେ ଶାସିତ ହୁଏ। ଏହି ରାଷ୍ଟ୍ରପତି ପ୍ରତି ୪ ବର୍ଷରେ ଥରେ ନିର୍ବାଚିତ ହୋଇଥାଆନ୍ତି। ତାଙ୍କର କାର୍ଯ୍ୟକାଳ ଦୁଇଥରରେ ସୀମିତି ଅର୍ଥାତ୍ ଆଠବର୍ଷ।

ଯଦିଓ ଏହି ପ୍ରଥା ଆମେରିକାର ପ୍ରଥମ ରାଷ୍ଟ୍ରପତି ଜର୍ଜ ୱାସିଂଟନଙ୍କ ପରଠାରୁ ପ୍ରଚଳିତ ହୋଇ ଆସୁଥିଲା; ଏହାର ଉଲ୍ଲଂଘନ ହୋଇଥିଲା ୧୯୪୧ ମସିହାରେ ଯେତେବେଳେ ତତ୍କାଳୀନ ରାଷ୍ଟ୍ରପତି ଫ୍ରାଙ୍କଲିନ୍ ଡି ରୁଜଭେଲ୍ଟ ତୃତୀୟ ଥର ପାଇଁ ନିର୍ବାଚିତ ହୋଇଥିଲେ। ଏହା ଦ୍ୱିତୀୟ ବିଶ୍ୱଯୁଦ୍ଧ ପାଇଁ ସମ୍ଭବ ହୋଇଥିଲା। ଏପରିକି ରୁଜ୍ଭେଲ୍ଟ ୧୯୪୫ ମସିହାରେ ଚତୁର୍ଥ ଥର ପାଇଁ ମଧ୍ୟ ନିର୍ବାଚିତ ହୋଇଥିଲେ। ଚତୁର୍ଥ ଥର ନିର୍ବାଚିତ ହେବାର ମାତ୍ର ତିନିମାସ ମଧ୍ୟରେ ତାଙ୍କର ମୃତ୍ୟୁ ପରେ ହିଁ ଏହାର ପରିସମାପ୍ତି ଘଟିଥିଲା। ଏହାପରେ ୧୯୫୨ ମସିହାରେ ୨୨ତମ ସମ୍ବିଧାନ ସଂଶୋଧନ ମାଧ୍ୟମରେ ଏହି କାର୍ଯ୍ୟକାଳକୁ ୧୦ ବର୍ଷରେ ସୀମିତି ରଖା ଯାଇଥିଲା।

ଏହାର ବ୍ୟାଖ୍ୟା ନିମ୍ନମତେ କରାଯାଇପାରେ। ଆମେରିକା ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ଯଦି କାର୍ଯ୍ୟକାଳ ମଧ୍ୟରେ କୌଣସି ରାଷ୍ଟ୍ରପତିଙ୍କର ମୃତ୍ୟୁ ହୁଏ ବା ତାଙ୍କୁ ପଦଚ୍ୟୁତ କରାଯାଏ ବା ସେ ଇସ୍ତଫା ପ୍ରଦାନ କରନ୍ତି ତାଙ୍କର କାର୍ଯ୍ୟକାଳର ବଳକା ସମୟ ପାଇଁ ଉପରାଷ୍ଟ୍ରପତି ହିଁ ରାଷ୍ଟ୍ରପତି ହୋଇପାରିବେ। ଯଦି ଜଣେ ରାଷ୍ଟ୍ରପତିଙ୍କର ମୃତ୍ୟୁ ତାଙ୍କ କାର୍ଯ୍ୟକାଳର ଦୁଇବର୍ଷ ବା ତା ପରେ ହୁଏ ତେବେ ତାଙ୍କ ସ୍ଥାନ ଗ୍ରହଣ କରିଥିବା ଉପରାଷ୍ଟ୍ରପତି ଆଉ ଦୁଇଥର ନିର୍ବାଚିତ ହୋଇ ପାରିବେ। ଅର୍ଥାତ୍ ୨+୪+୪ =୧୦ ବର୍ଷ (ସର୍ବାଧିକ)।
ଆମେରିକାର ସମ୍ବିଧାନ ହେଉଛି ବିଶ୍ୱର କ୍ଷୁଦ୍ରତମ। ଏହାର ଧାରା ସଂଖ୍ୟା ମାତ୍ର ୭। କିନ୍ତୁ ସମ୍ବିଧାନ କାର୍ଯ୍ୟକାରୀ ହେବା ପରଠାରୁ ଏହାକୁ ବହୁବାର ସଂଶୋଧନ କରାଯାଇଛି। ବର୍ତ୍ତମାନର ବିଧି ଅନୁଯାୟୀ ପ୍ରତ୍ୟେକ ଅଧିବର୍ଷରେ ରାଷ୍ଟ୍ରପତିଙ୍କ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ଏହି ବର୍ଷର ନଭେମ୍ବର ମାସ ପ୍ରଥମ ସୋମବାର ପରେ ପଡୁଥିବା ପ୍ରଥମ ମଙ୍ଗଳବାର ଦିନ ପ୍ରେସିଡେନ୍ସିଆଲ ଇଲେକ୍ଟର (ନିର୍ବାଚକ) ମାନେ ନିର୍ବାଚିତ ହୋଇଥାଆନ୍ତି। ସେହିଦିନ ସମଗ୍ର ବିଶ୍ୱ ପରବର୍ତ୍ତୀ ରାଷ୍ଟ୍ରପତି କେଉଁ ବ୍ୟକ୍ତି ହେବେ ତାହା ଜାଣିପାରେ।
ପ୍ରତି ୪ ବର୍ଷରେ ହେଉଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୁଏ ଜାନୁଆରି ଓ ଫେବ୍ରୁଆରି ମାସରେ।

ଏହା ଏକ ଲମ୍ବା ପ୍ରକ୍ରିୟା। ଏହା ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ପ୍ରତି ରାଜନୈତିକ ଦଳ ସେମାନଙ୍କ ରାଷ୍ଟ୍ରପତି ପ୍ରାର୍ଥୀମାନଙ୍କୁ ଏକ ନ୍ୟାସନାଲ୍ କନ୍ଭେନ୍ସନ୍ରେ ଚୟନ କରିଥାଆନ୍ତି। ଏହି କନ୍ଭେନ୍ସନ୍ରେ ଉପରାଷ୍ଟ୍ରପତି ପ୍ରାର୍ଥୀମାନେ ମଧ୍ୟ ମନୋନୀତ ହୁଅନ୍ତି। କନ୍ଭେନ୍ସନ୍କୁ ପ୍ରତି ରାଜ୍ୟରୁ ପ୍ରତିନିଧିମାନେ ଆସିଥାଆନ୍ତି ଏବଂ ସେମାନଙ୍କ ସହମତିରେ ପ୍ରାର୍ଥୀ ଚୟନ କରାଯାଇଥାଏ। ଏହାପରେ ରାଷ୍ଟ୍ରପତି ନିର୍ବାଚନରେ ଅଂଶଗ୍ରହଣ ପାଇଁ ଇଲେକ୍ଟର ବା ନିର୍ବାଚକମାନଙ୍କୁ ସେମାନଙ୍କର ରାଜ୍ୟମାନେ ନିଯୁକ୍ତ କରିଥାଆନ୍ତି।

ରାଷ୍ଟ୍ରପତି ନିର୍ବାଚନରେ ଅଂଶଗ୍ରହଣ କରିବା ପାଇଁ ସର୍ବମୋଟ ୫୩୮ଜଣ ନିର୍ବାଚକ ନିଯୁକ୍ତ ହୋଇଥାଆନ୍ତି। ଏହାକୁ ପ୍ରେସିଡେନ୍ସିଆଲ ଇଲେକ୍ଟୋରାଲ କଲେଜ କୁହାଯାଏ। ଆମେରିକା ସଂସଦ (କଂଗ୍ରେସ)ରେ ଦୁଇଟି ସଦନ ଅଛି। ନିମ୍ନ ସଦନକୁ ପ୍ରତିନିଧି ସଭା ଓ ଉଚ୍ଚ ସଦନକୁ ସିନେଟ୍ କୁହାଯାଏ। ପ୍ରତିନିଧି ସଭାରେ ସଭ୍ୟସଂଖ୍ୟା ହେଉଛି ୪୩୫। ଏଥିରେ ରାଜ୍ୟମାନଙ୍କୁ ଜନସଂଖ୍ୟା ଆଧାରରେ ପ୍ରତିନିଧିତ୍ୱ ମିଳିଥାଏ। ବଡ଼ ଜନବହୁଳ ରାଜ୍ୟମାନଙ୍କର ପ୍ରତିନିଧ୍ୱ ସଂଖ୍ୟା ଛୋଟ ରାଜ୍ୟମାନଙ୍କ ତୁଳନାରେ ଯଥେଷ୍ଟ ଅଧିକ। ଉଦାହରଣ ସ୍ୱରୂପ କାଲିଫର୍ନିଆର ପ୍ରତିନିଧି ସଂଖ୍ୟା ୪୫ ହୋଇଥିବାବେଳେ ଆଲାସ୍କା ବା ଡିଲାୱେର ଭଳି ରାଜ୍ୟମାନଙ୍କ ପ୍ରତିନିଧ୍ୱ ସଂଖ୍ୟା ମାତ୍ର ୧। ଅନ୍ୟପକ୍ଷରେ ଉଚ୍ଚସଦନ ସିନେଟ୍ରେ ସମସ୍ତ ରାଜ୍ୟମାନଙ୍କର ପ୍ରତିନିଧି ସଂଖ୍ୟା ୨। ଏଣୁ ସିନେଟ୍ ସଭ୍ୟ ସଂଖ୍ୟା ୧୦୦ (୫୦ ରାଜ୍ୟ x ୨=୧୦୦)। ଏଣୁ ରାଷ୍ଟ୍ରପତି ନିର୍ବାଚନରେ ଅଂଶ ଗ୍ରହଣ କରିବା ପାଇଁ ସର୍ବମୋଟ ନିର୍ବାଚକଙ୍କ ସଂଖ୍ୟା ୫୩୮ ହୋଇଥାଏ। କଂଗ୍ରେସ (ସଂସଦ)ରେ ପ୍ରତିନିଧିତ୍ୱ ନ ଥିବାରୁ ୱାସିଂଟନ୍ ଡି.ସି. ରୁ ୩ଜଣ ନିର୍ବାଚକ ମନୋନୀତ ହେବାର ବ୍ୟବସ୍ଥା ଅଛି। ତେଣୁ ନିର୍ବାଚକଙ୍କ ସଂଖ୍ୟା ୪୩୫+୧୦୦+୩ = ୫୩୮ଜଣ ହୋଇଥାଏ। କାଲିଫର୍ନିଆ ୪୫+୨=୪୭ ଜଣ ନିର୍ବାଚକ ପଠାଇଲା ବେଳେ ଆଲାସ୍କା ୧+୨=୩ ଜଣ ନିର୍ବାଚକ ପଠାଇଥାଏ। ଏହି ନିର୍ବାଚକଙ୍କୁ ମନୋନୀତ କରିବା ପାଇଁ କାଲିଫର୍ନିଆ ରାଜ୍ୟକୁ ୪୭ଟି ଇଲେକ୍ଟୋରାଲ୍ ଡିଷ୍ଟ୍ରିକ୍ଟ ବା ନିର୍ବାଚକୀୟ ଜିଲ୍ଲାରେ ବିଭକ୍ତ କରାଯାଇଥାଏ।

ପରବର୍ତ୍ତୀ ପର୍ଯ୍ୟାୟରେ ନିର୍ବାଚକମାନେ ନଭେମ୍ବର ମାସ ପ୍ରଥମ ସୋମବାର ପର ପ୍ରଥମ ମଙ୍ଗଳବାର ଦିନ ସାବାଳକ ଭୋଟରମାନଙ୍କ ଦ୍ୱାରା ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥାଆନ୍ତି। ଏହି ନିର୍ବାଚନରେ ଭୋଟଦାତାମାନେ ସେମାନଙ୍କର ନିର୍ବାଚକମାନଙ୍କୁ ଦଳୀୟ ଭିତ୍ତିରେ ଭୋଟ ଦେଇଥାଆନ୍ତି। ଯେଉଁ ନିର୍ବାଚକମାନେ ଅଧିକ ସଂଖ୍ୟକ ଭୋଟ୍ ପାଇଥାଆନ୍ତି ସେମାନଙ୍କୁ ବିଜେତା ଘୋଷଣା କରାଯାଏ। ସମଗ୍ର ଦେଶରେ ହୋଇଥିବା ଏହି ନିର୍ବାଚନରେ ଯେଉଁ ଦଳର ବିଜୟୀ ନିର୍ବାଚକମାନଙ୍କ ସଂଖ୍ୟା ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିଥାଏ ସେ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ବିଜୟଲାଭ କରିବା ଏକ ପ୍ରକାରର ନିଶ୍ଚିତ ହୋଇଯାଇଥାଏ। ଏହି ନିର୍ବାଚନ ଦଳୀୟ ଆଧାରରେ ହେଉଥିବାରୁ ଜଣେ ନିର୍ବାଚକ ତାଙ୍କ ଦଳର ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ବାଧ୍ୟ ହୁଅନ୍ତି। ଏହାପରର କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ ଡିସେମ୍ବର ମାସ ଦ୍ୱିତୀୟ ବୁଧବାର ପରେ ପଡୁଥିବା ପ୍ରଥମ ସୋମବାର ଦିନ ଯେଉଁଦିନ ନିର୍ବାଚକମାନେ ସେମାନଙ୍କର ରାଜ୍ୟ ବ୍ୟବସ୍ଥାପିକାରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପ୍ରାର୍ଥୀମାନଙ୍କୁ ଭୋଟ ଦେଇଥାଆନ୍ତି। ଏହାପରେ ସମସ୍ତ ରାଜ୍ୟ ବ୍ୟବସ୍ଥାପିକାରେ ଭୋଟଗଣତି ହୁଏ ଏବଂ ଏହାର ଫଳାଫଳକୁ ଦେଶର ସଂସଦ (କଂଗ୍ରେସ)କୁ ଡାକ ଯୋଗେ ପଠାଇ ଦିଆଯାଇଥାଏ। କଂଗ୍ରେସର ଉଚ୍ଚ ସଦନ (ସିନେଟ୍) ର ସଭାପତି ଜାନୁଆରି ୬ ତାରିଖରେ କଂଗ୍ରେସର ସମସ୍ତ ସଦସ୍ୟମାନଙ୍କ ଏକ ମିଳିତ ଅଧିବେଶନରେ ଏହି ଭୋଟ ସବୁକୁ ଗଣତି କରନ୍ତି ଏବଂ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ପ୍ରାର୍ଥୀଙ୍କୁ ବିଜେତା ଘୋଷଣା କରିଥାଆନ୍ତି। ଏଠାରେ ନିରଙ୍କୁଶ ସଂଖ୍ୟାର ଅର୍ଥ ପଚାଶ ପ୍ରତିଶତରୁ ଅଧିକ ଅର୍ଥାତ୍ ୫୩୮+୨+୧ = ୨୭୦କୁ ବୁଝାଏ।

ଯଦି କୌଣସି ପ୍ରାର୍ଥୀ ନିରଙ୍କୁଶ ସଂଖ୍ୟା ହାସଲ କରିବାରେ ବିଫଳ ହୁଅନ୍ତି ତାହେଲେ ସର୍ବାଧିକ ଭୋଟ ପାଇଥିବା ପ୍ରଥମ ତିନି ଜଣଙ୍କ ମଧ୍ୟରୁ ଜଣଙ୍କୁ ପ୍ରତିନିଧି ସଭା (ନିମ୍ନ ସଦନ) ରାଷ୍ଟ୍ରପତି ନିର୍ବାଚିତ କରନ୍ତି। ପ୍ରତିନିଧି ସଭାର ଏହି ନିର୍ବାଚନରେ ପ୍ରତ୍ୟେକ ରାଜ୍ୟ ଗୋଟିଏ ଲେଖାଏଁ ଭୋଟ ଦେବାର ବିଧି ରହିଛି ଏବଂ ଯେଉଁ ପ୍ରାର୍ଥୀ ସଂଖ୍ୟାଧିକ ଭୋଟ ହାସଲ କରନ୍ତି ତାଙ୍କୁ ରାଷ୍ଟ୍ରପତି ଘୋଷଣା କରାଯାଏ। ଠିକ୍ ସେହିପରି ଯଦି ଜାନୁଆରୀ ଛଅ ତାରିଖ ନିର୍ବାଚନରେ କୌଣସି ପ୍ରାର୍ଥୀ ଉପରାଷ୍ଟ୍ରପତି ନିର୍ବାଚିତ ହୋଇ ନ ଥାଆନ୍ତି ତାହେଲେ ସିନେଟ୍ ବା ଉଚ୍ଚସଦନ ସର୍ବାଧିକ ଭୋଟ ପାଇଥିବା ଦୁଇଜଣଙ୍କ ମଧ୍ୟରୁ ଜଣଙ୍କୁ ଉପରାଷ୍ଟ୍ରପତି ଭାବରେ ନିର୍ବାଚିତ କରନ୍ତି। ଏହି ଭୋଟଦାନ ପ୍ରକ୍ରିୟାରେ ସିନେଟ୍ର ସଦସ୍ୟ (ସିନେଟର) ମାନେ ବ୍ୟକ୍ତିଗତ ଭାବରେ ଗୋଟିଏ ଲେଖାଁଏ ଭୋଟ ଦେଇଥାଆନ୍ତି ।

ଉପରୋକ୍ତ ଆଲୋଚନାରୁ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆମମାନଙ୍କ ଦୃଷ୍ଟିକୁ ଆସିଥାଏ। ଗୋଟିଏ ହେଲା ଆମେରିକାରେ ଦ୍ୱଦଳୀୟ ବ୍ୟବସ୍ଥା ନାହିଁ ଯାହାକି ସାଧାରଣ ଭାବରେ ବିଶ୍ୱାସ କରାଯାଏ। ଏଠାରେ ରିପବ୍ଲିକାନ ଦଳ ଓ ଡେମୋକ୍ରାଟିକ ଦଳ ବ୍ୟତିତ କମ୍ୟୁନିଷ୍ଟ ଦଳ, ସୋସିଆଲିଷ୍ଟ ଦଳ ଏପରିକି ସ୍ୱାଧୀନ ପ୍ରାର୍ଥୀମାନେ ମଧ୍ୟ ନିର୍ବାଚନରେ ଅଂଶଗ୍ରହଣ କରିବାର ଉଦାହରଣ ରହିଛି। ଅନ୍ୟ ପ୍ରଶ୍ନଟି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ବ୍ୟବସ୍ଥାଟି ପ୍ରତ୍ୟକ୍ଷ ବା ପରୋକ୍ଷ ? ଏ ସମ୍ପର୍କରେ ବ୍ୟାଖ୍ୟା ନିମ୍ନମତେ କରାଯାଇ ପାରେ। ଯେହେତୁ ଆମେରିକାର ଭୋଟଦାତାମାନେ ରାଷ୍ଟ୍ରପତିଙ୍କୁ ସିଧାସଳଖ ଭାବରେ ଭୋଟ ଦିଅନ୍ତି ନାହିଁ ଏହାକୁ ଏକ ପରୋକ୍ଷ ନିର୍ବାଚନ ବୋଲି ଅନେକ ବିଶ୍ୱାସ କରନ୍ତି । ଅନ୍ୟପକ୍ଷରେ ଭୋଟଦାତାମାନେ ଯେଉଁ ନିର୍ବାଚକମାନଙ୍କୁ ଭୋଟ ଦିଅନ୍ତି ସେମାନେ କେବଳ ସେହି ନିର୍ଦ୍ଦିଷ୍ଟ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ ହୋଇଥିବାରୁ ଏହାକୁ ବାସ୍ତବରେ ପ୍ରତ୍ୟକ୍ଷ ନିର୍ବାଚନ କୁହାଯାଇପାରିବ। ଜିମି କାର୍ଟର ଆମେରିକାର ରାଷ୍ଟ୍ରପତି ଥିବା ସମୟରେ ଭୋଟଦାତାମାନଙ୍କୁ ସିଧାସଳଖ ଭୋଟ ଦେବାପାଇଁ ବ୍ୟବସ୍ଥା କରିବାକୁ ଏବଂ ଇଲେକ୍ଟୋରାଲ କଲେଜ ବ୍ୟବସ୍ଥାର ପରିସମାପ୍ତି ପାଇଁ ୧୯୭୭ ମସିହାରେ ଦେଇଥିବା ପ୍ରସ୍ତାବ ସ୍ୱୀକୃତି ପାଇପାରିନଥିଲା।

ଏଠାରେ ଉଲ୍ଲେଖଯୋଗ୍ୟ ଆଉ ଗୋଟିଏ ବିଷୟ ହେଉଛି ଯେ ୧୮୫୩ ମସିହା ପରଠାରୁ ରିପବ୍ଲିକାନ୍ ଓ ଡେମୋକ୍ରାଟିକ୍ ଦଳ ବ୍ୟତିତ ଅନ୍ୟ କୌଣସି ଦଳ କ୍ଷମତା ଦଖଲ କରିନାହାନ୍ତି। ୧୮୫୦ ଜୁଲାଇ ୧୦ ତାରିଖରୁ ୧୮୫୩ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଥିବା ରାଷ୍ଟ୍ରପତି ମିଲାର୍ଡ ଫିଲ୍ମୋର ରିପବ୍ଲିକାନ୍ ହ୍ବିଗ୍ ଦଳ ତରଫରୁ ନିର୍ବାଚିତ ହୋଇଥିଲେ ଏବଂ ଏହାପରେ ବାସ୍ତବରେ ଆମେରିକାରେ ଦୁଇଟି ଦଳ ଆଧିପତ୍ୟ ବିସ୍ତାର କରି କ୍ଷମତାରେ ରହି ଆସିଛନ୍ତି।

ଜାନୁଆରି ୬ ତାରିଖ ଦିନ ରାଷ୍ଟ୍ରପତି ନିର୍ବାଚିତ ହେବା ପରଠାରୁ ଜାନୁଆରି ୨୦ ତାରିଖ ପର୍ଯ୍ୟନ୍ତ ନୂତନ ରାଷ୍ଟ୍ରପତିଙ୍କୁ ପ୍ରେସିଡେଣ୍ଟ ଇଲେକ୍ଟ ବୋଲି କୁହାଯାଏ । କୌଣସି କାରଣରୁ ଯଦି ଜାନୁଆରି ୬ ତାରିଖରେ ରାଷ୍ଟ୍ରପତି ନିର୍ବାଚିତ ହୋଇପାରନ୍ତି ନାହିଁ ତେବେ ମାର୍ଚ୍ଚ ୪ ତାରିଖରେ ନିର୍ବାଚିତ ଉପରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତି ଭାବରେ ଶପଥପାଠ କରାଯିବାର ବ୍ୟବସ୍ଥା କରାଯାଇଅଛି। ଏ କ୍ଷେତ୍ରରେ ନୂତନ ରାଷ୍ଟ୍ରପତି ତାଙ୍କ ଇଚ୍ଛା ଅନୁସାରେ କୌଣସି ବ୍ୟକ୍ତିଙ୍କୁ ଉପରାଷ୍ଟ୍ରପତି ନିଯୁକ୍ତ କରନ୍ତି ଯାହାଙ୍କର ରାଷ୍ଟ୍ରପତି ଆସନ ଉପରେ କୌଣସି ଅଧିକାର ରହେନାହିଁ । ଆମେରିକା ସମ୍ବିଧାନରେ ରାଷ୍ଟ୍ରପତିଙ୍କୁ ଅସୀମ କ୍ଷମତା ଦିଆଯାଇଛି ଏବଂ ଏଥିପାଇଁ ଗୋଟିଏ ମୁହୂର୍ତ୍ତ ପାଇଁ ମଧ୍ୟ ଏ ପଦବି ଖାଲି ପଡ଼େନାହିଁ। ଏହାକୁ ଦୃଷ୍ଟିରେ ରଖି ସମ୍ବିଧାନ ଓ ପରମ୍ପରା ଅନୁଯାୟୀ ଅନେକ ବ୍ୟବସ୍ଥା କରାଯାଇଛି। କୌଣସି କାରଣରୁ ଯଦି ରାଷ୍ଟ୍ରପତି ପଦ ଖାଲି ହୋଇଯାଏ (ମୃତ୍ୟୁ, ଇସ୍ତଫା ବା ବହିଷ୍କାର ପାଇଁ) ତେବେ ଏକ ପୂର୍ବପ୍ରସ୍ତୁତ ତାଲିକା ଅନୁସାରେ କେହି ଜଣେ ବ୍ୟକ୍ତି ପଦବି ଗ୍ରହଣ କରନ୍ତି। ଏ ତାଲିକାରେ ପ୍ରଥମେ ଉପରାଷ୍ଟ୍ରପତି, ପରେ ପରେ ପ୍ରତିନିଧି ସଭାର ସଭାପତି, ସିନେଟ୍ର ଅସ୍ଥାୟୀ ସଭାପତି (ପ୍ରେସିଡେଣ୍ଟ ପ୍ରୋ-ଟେମ୍ପୋରି), ସେକ୍ରେଟାରି ଅଫ୍ ଷ୍ଟେଟ୍ ଏବଂ କ୍ୟାବିନେଟ୍ର ଅନ୍ୟ ସଦସ୍ୟ ରହିଛନ୍ତି। ଏହାର ଅର୍ଥ ହେଉଛି ନିର୍ଦ୍ଧାରିତ ସମୟ ପୂର୍ବରୁ କୌଣସି ଉପନିର୍ବାଚନ ହୋଇପାରିବ ନାହିଁ।

ଏହା ବ୍ୟତୀତ ଯଦି କୌଣସି କାରଣବଶତଃ ରାଷ୍ଟ୍ରପତି କିଛି ସମୟ ବା ଦିନ ପାଇଁ କାର୍ଯ୍ୟ ତୁଲାଇବାରେ ଅକ୍ଷମ ହୋଇଯାଆନ୍ତି ସେ ତତ୍କ୍ଷଣାତ୍ ତାଙ୍କ କ୍ଷମତା ଉପରାଷ୍ଟ୍ରପତିଙ୍କୁ ହସ୍ତାନ୍ତର କରିଥାଆନ୍ତି। ସଂକ୍ଷିପ୍ତରେ ଗୋଟିଏ ଛୋଟ ଉଦାହରଣ ଦିଆଯାଇପାରେ, ୧୯୮୧ ମସିହାରେ ତତ୍କାଳୀନ ରାଷ୍ଟ୍ରପତି ରୋନାଲଡ୍ ରିଗାନ୍ ଆତତାୟୀର ଗୁଳିମାଡ଼ରେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ସେଠାରେ ତାଙ୍କୁ ନିଶ୍ଚେତକ ଦିଆଯାଇ ଅସ୍ତ୍ରୋପଚାର କରାଯାଉଥିଲା। ସେ ଅଚେତ ଅବସ୍ଥାକୁ ଯିବା ପୂର୍ବରୁ କାହାରିକୁ ଦାୟିତ୍ୱ ହସ୍ତାନ୍ତର କରି ନଥିଲେ ଏବଂ ଠିକ୍ ସେହି ସମୟରେ ଉପରାଷ୍ଟ୍ରପତି ଜର୍ଜ ବୁଶ୍ (ବଡ଼) ଟେକ୍ସାସରୁ ଏୟାରଫୋର୍ସ ଵାନ୍ରେ ୱାସିଂଟନ୍ ଫେରିବା ବାଟରେ ଥିଲେ । ଏଭଳି ସମୟରେ ହ୍ବାଇଟ୍ ହାଉସ୍ରେ କ୍ୟାବିନେଟ୍ ବୈଠକ ବସିଥିଲା ଏବଂ ସେ ସମୟର ସେକ୍ରେଟାରି ଅଫ୍ ଷ୍ଟେଟ୍ ( ବୈଦେଶିକ ମନ୍ତ୍ରୀ) ଆଲେକଜାଣ୍ଡର୍ ହେଗ୍ ଉପରାଷ୍ଟ୍ରପତି ହ୍ବାଇଟ୍ ହାଉସ୍ରେ ପହଞ୍ଚିବା ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ନିଜ ହାତକୁ ନେଇଥିଲେ।

ନବ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ଜାନୁଆରି ୨୦ ତାରିଖ ଦିବା ୧୨ ଘଣ୍ଟା ସମୟରେ ଆମେରିକାର ଉଚ୍ଚତମ ନ୍ୟାୟାଳୟର ପ୍ରଧାନ ବିଚାରପତି କଂଗ୍ରେସ ଭବନ ପରିସରରେ ଶପଥପାଠ କରାଇଥାଆନ୍ତି। ୧୯୩୭ ମସିହା ପୂର୍ବରୁ ରାଷ୍ଟ୍ରପତିମାନେ ମାର୍ଚ୍ଚ ୪ ତାରିଖ ଦିନ ଶପଥ ପାଠ କରୁଥିଲେ। ସଂବିଧାନର ୨୦ତମ ସଂଶୋଧନ ପରେ ଏ ତାରିଖ ଜାନୁଆରି ୨୦ ପାଇଁ ଧାର୍ଯ୍ୟ ହୋଇଥିଲା। କଂଗ୍ରେସ ଭବନର ଏହି ଉତ୍ସବକୁ ସମସ୍ତ ପୂର୍ବ ରାଷ୍ଟ୍ରପତିଙ୍କ ସମେତ ଅନେକ ଅତିଥିଙ୍କୁ ନିମନ୍ତ୍ରିତ କରାଯାଇଥାଏ ଏବଂ ଏହି ଭବ୍ୟ ଶପଥପାଠ ଉତ୍ସବକୁ ପୃଥିବୀର ସମସ୍ତ ରାଷ୍ଟ୍ରବାସୀ ଦେଖିବାର ସୁଯୋଗ ପାଇଥାଆନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button