ରାଜନୀତି

ନୂଆ ଭାବେ ବାରବାଟୀ ଷ୍ଟାଡିୟମ୍‌ର ନିର୍ମାଣ ଘୋଷଣା ଥିଲା ପାଣ୍ଡିଆନଙ୍କ ନିର୍ବାଚନୀ ଭେଳିକି: ସୂର୍ଯ୍ୟବଂଶୀ ସୂରଜ

ରାଜ୍ୟ ବିଜେପିର ‘ଫାୟାର୍ ବ୍ରାଣ୍ଡ୍’ ଯୁବନେତା ଭାବେ ପରିଚିତ ସୂର୍ଯ୍ୟବଂଶୀ ସୂରଜ ସଂପ୍ରତି ରାଜ୍ୟ ସରକାରଙ୍କର ସ୍ବାଧୀନ ଦାୟିତ୍ବରେ ଥିବା ରାଷ୍ଟ୍ରମନ୍ତ୍ରୀ। ୧୯୯୫ ମେ ୧୮ ତାରିଖରେ ଜନ୍ମିତ ସୂରଜଙ୍କ ବାପା ଥିଲେ ବିଜେପିର ବରିଷ୍ଠ ନେତା, ପୂର୍ବତନ ବିଧାୟକ ତଥା ସୁପରିଚିତ କବି ବିଷ୍ଣୁଚରଣ ସେଠୀ। ତାଙ୍କ ମାଆ ଊର୍ମିଳାରାଣୀ ପାଣିଗ୍ରାହୀ ଜଣେ ଶିକ୍ଷୟିତ୍ରୀ।

୨୦୨୨ରେ ବିଷ୍ଣୁଚରଣଙ୍କ ନିଧନ ପରେ ତାଙ୍କର ରାଜନୈତିକ ଉତ୍ତରାଧିକାରୀ ଭାବେ ସୂର୍ଯ୍ୟବଂଶୀ ବିଜେପି ପ୍ରାର୍ଥୀ ଭାବେ ଧାମନଗର ଉପ-ନିର୍ବାଚନରେ ବିଜୟୀ ହୋଇଥିଲେ। ୨୦୨୪ ସାଧାରଣ ନିର୍ବାଚନରେ ସେ ପୁନଶ୍ଚ ବିଧାନସଭାକୁ ନିର୍ବାଚିତ ହଲେ। ସମ୍ପ୍ରତି ସୂରଜଙ୍କୁ ମୋହନ ସରକାରରେ ଗୁରୁତ୍ବପୂର୍ଣ୍ଣ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦାୟିତ୍ୱ ଦିଆଯାଇଛି। ତାଙ୍କ ରାଜନୈତିକ ଯାତ୍ରା ସହିତ ବର୍ତ୍ତମାନର ବିତର୍କିତ ପ୍ରସଙ୍ଗ କଲେଜ୍ ଛାତ୍ର ସଂସଦ ନିର୍ବାଚନ, ଓଡ଼ିଶାରେ ହକିର ସ୍ଥିତି ଓ ଗତି ସହିତ କଟକ ବାରବାଟୀ ଷ୍ଟାଡିୟମ୍ର ନବୀକରଣ ଆଦି ପ୍ରସଙ୍ଗରେ ‘ସମ୍ବାଦ ରବିବାର’ ପକ୍ଷରୁ ତାଙ୍କ ସହିତ ଆଲୋଚନା କରିଛନ୍ତି ଆମ ବରିଷ୍ଠ ପ୍ରତିନିଧି ବିଭୂତି ପତି

ବାପାଙ୍କ ରାଜନୈତିକ ଅଭିଳାଷ ପୂରଣ କରିବାକୁ ଆପଣ ରାଜନୀତିରେ ପାଦଦେଲେ ନା, ରାଜନୀତି ପ୍ରତି ଆପଣଙ୍କର ଆଗ୍ରହ ଥିଲା?
ଆମର ଆଦର୍ଶ ପରିବାର। ବାପାଙ୍କର କଡ଼ା ନିର୍ଦ୍ଦେଶ ଥିଲା କି ସେ ରାଜନୀତିରେ ଥିବାଯାଏଁ ମୁଁ ରାଜନୀତିରେ ପ୍ରବେଶ କରିପାରିବି ନାହିଁ। କିନ୍ତୁ, ୨୦୧୧ ମସିହାରୁ ମୁଁ କଲେଜରେ ଛାତ୍ର ରାଜନୀତି ସହ ଜଡ଼ିତ ହୋଇପଡ଼ିଲି। ଆଜିକାଲି ଅନେକ ରାଜନେତା ଜୀବିତାବସ୍ଥାରେ ସନ୍ତାନମାନଙ୍କୁ ନେତା ଭାବେ ହିଟ୍ କରିବାକୁ ଫିଟ୍ କରୁଛନ୍ତି। ମୋ ବାପା କିନ୍ତୁ ଏ ଧାରାର ଘୋର ବିରୋଧୀ ଥିଲେ। ସେ ଚାହୁଥିଲେ ମୁଁ ନିଜ ଦକ୍ଷତାରେ ଆଗକୁ ବଢ଼ିବି। ତେଣୁ ମୁଁ ଖୁସିରେ ବାପାଙ୍କ ନିଷ୍ପତ୍ତି ମାନି ନେଇଥିଲି। ବାପାଙ୍କ ପରେ ତାଙ୍କ ଅଧୁରା କାର୍ଯ୍ୟ ପୂରଣ କରିବା ଲାଗି ନିର୍ବାଚନୀ ରାଜନୀତିକୁ ଆସିଲି। ଶେଷ ଜୀବନ ପର୍ଯ୍ୟନ୍ତ ଆମ ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ସେବା କରିବି।

ବାପାଙ୍କ ଦେହାନ୍ତ ପରେ ପ୍ରଥମ ଉପ-ନିର୍ବାଚନରେ ରାଜନୈତିକ ଆହ୍ବାନ କ’ଣ ଥିଲା?
ଲୋକେ ମୋ ବାପାଙ୍କୁ ଖୁବ୍ ଭଲପାଉଥିଲେ। ସେଥିପାଇଁ ସମ୍ମାନନୀୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କଠାରୁ ନେଇ ବିଜେପିର ଅନେକ ବରିଷ୍ଠ ନେତା ବାପାଙ୍କ ପ୍ରତି ସ୍ନେହ ଓ ସଦିଚ୍ଛା ଓଜାଡ଼ି ଦେଉଥିଲେ। ତେଣୁ ନିର୍ବାଚନ ଲଢ଼ିବା ଲାଗି ମୋ ପାଇଁ କୌଣସି ଆହ୍ବାନ ନଥିଲା। କିନ୍ତୁ ପ୍ରତିପକ୍ଷ ବିଜେଡି ନେତା କ୍ଷମତା ଏବଂ କଳ-ବଳ-କୌଶଳ ପ୍ରୟୋଗ କରି ସେହି ଆସନ ଦଖଲ କରିବା ପାଇଁ ଅହଙ୍କାର ଦେଖାଇଲେ। ସେ ଅହଙ୍କାର ଭାଙ୍ଗିଦେବା ପାଇଁ ମୁଁ ଆହ୍ବାନ ଦେଲି ଏବଂ ଜନସାଧାରଣ ତାହା କରି ଦେଖାଇଲେ।

ଆପଣଙ୍କୁ ବାପାଙ୍କର ଅନ୍ତିମ ରାଜନୈତିକ ଉପଦେଶ ଓ ଆଦେଶ କ’ଣ ଥିଲା? ପାଠକଙ୍କୁ କହିବେ କି?
ବାପା ଶଯ୍ୟାଶାୟୀ ଥିବା ସମୟରେ ମୁଁ ତାଙ୍କ ପାଖରେ ଥାଏ। କିନ୍ତୁ ଯେତିକି ଆବଶ୍ୟକ ମୁଁ ସେତିକି କଥାହୁଏ। ସେ ମଧ୍ୟ ଯେତିକି ଆବଶ୍ୟକ ସେତିକି ନିର୍ଦ୍ଦେଶ ଦିଅନ୍ତି। ହଠାତ୍ ଦିନେ ମୋତେ ପାଖକୁ ଡାକି ନିର୍ବାଚନମଣ୍ଡଳୀ ଜନସାଧାରଣଙ୍କୁ ନିଜ ପରିବାର ପରି ସ୍ନେହ, ଶ୍ରଦ୍ଧା ଓ ଭକ୍ତି କରିବାକୁ ପରାମର୍ଶ ଦେଲେ। ଏଥିରେ ତିଳେମାତ୍ର ବ୍ୟତିକ୍ରମ ନକରିବାକୁ ମଧ୍ୟ ଆଦେଶ ଦେଲେ। ଆଉ କିଛି ବିଶେଷ ପରାମର୍ଶ, ଉପଦେଶ ଓ ନିର୍ଦ୍ଦେଶ ମଧ୍ୟ ଦେଲେ। କିନ୍ତୁ, ତାହା ସର୍ବସାଧାରଣରେ ପ୍ରକାଶ କରିହେବ ନାହିଁ। ଏସବୁ କଥାବାର୍ତ୍ତା ବେଳେ ସେ ମୋର ଗୋଟିଏ ହାତକୁ ଧରିଥିଲେ ଏବଂ ତାଙ୍କର ଅନ୍ୟ ହାତଟିକୁ ମୋ ମୁଣ୍ଡ ଉପରେ ରଖିଥିଲେ। ହଠାତ୍ କହିଲେ ମୋ ନିର୍ବାଚନମଣ୍ଡଳୀର ସମସ୍ତ ଦାୟିତ୍ବ ତୋତେ ଲାଗିଲା। ମୋ ଦଳକୁ ବିଶ୍ବାସର ସହିତ ଆଗକୁ ନେବୁ ଏବଂ ସମସ୍ତଙ୍କ ମଙ୍ଗଳ କରିବା ପାଇଁ ଚେଷ୍ଟାକରିବୁ। ଏହାର କିଛି ଘଣ୍ଟା ପରେ ତାଙ୍କର ଦେହାନ୍ତ ହୋଇଥିଲା।

ବର୍ତ୍ତମାନ କଲେଜ ଛାତ୍ର ସଂସଦ ନିର୍ବାଚନ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର ଧରିଛି ଏବଂ ବିଜେଡି ଆପଣଙ୍କୁ ଟାର୍ଗେଟ୍ କରୁଛି। ଏହାକୁ ନେଇ କ’ଣ କହିବେ?
ବିଜେଡି ସରକାର କିଛି ବର୍ଷ ହେବ କଲେଜରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରଖିଛନ୍ତି। ତତ୍କାଳୀନ ସରକାର କାହିଁକି ଏହି ନିଷ୍ପତ୍ତି ନେଇଥିଲେ ତା’ର ଉତ୍ତର ଦିଅନ୍ତୁ। ଆମେ ମାତ୍ର ୪ ମାସ ହେବ ସରକାରକୁ ଆସିଛୁ। ଏଥିପ୍ରତି ପ୍ରଥମରୁ ମୋ ଦଳର ଯେଉଁ ସ୍ପଷ୍ଟ ନୀତିଆଦର୍ଶ ରହିଛି ତାହା ସହିତ ମୁଁ ଏକମତ।

ବାରବାଟୀ ଷ୍ଟାଡିୟମ୍ ଭଙ୍ଗାଯାଇ ନୂତନ ଭାବେ ନିର୍ମାଣ ହେବା ଘୋଷଣାକୁ ନେଇ ବାଦବିବାଦ ଲାଗିଛି। ଏଥିପାଇଁ ତତ୍କାଳୀନ ବିଜେଡି ନେତା ଭି. କେ. ପାଣ୍ଡିଆନ ଜୋରଦାର ପ୍ରଚାର କରିଥିଲେ। ଏହି ବିବାଦ ଓ ବିତର୍କ ପ୍ରସଙ୍ଗକୁ ନେଇ କ’ଣ କହିବେ?
ଏହା ଥିଲା ବିଜେଡିର, ମୁଖ୍ୟତଃ ପାଣ୍ଡିଆନଙ୍କର ନିର୍ବାଚନୀ ଭେଳିକି। ଲୋକଙ୍କୁ ଭଣ୍ଡାଇ ଭୋଟ୍ ହାତେଇବା ପାଇଁ ଗୋଟାଏ ଡ୍ରାମା କରାଯାଇଥିଲା। ଏଥିପାଇଁ ସରକାରୀସ୍ତରରେ କୌଣସି ପ୍ରସ୍ତାବ ଗୃହୀତ ହୋଇ ନଥିଲା। ଆର୍ଥିକ ନୀତି ଓ ପ୍ରବନ୍ଧନ ମଧ୍ୟ ସ୍ଥିର ହୋଇ ନଥିଲା କିମ୍ବା ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ କିଛି ଘୋଷଣା ନଥିଲା। ଜନସାଧାରଣଙ୍କୁ ଭୁଆଁ ବୁଲାଇବାକୁ ଏହା ଥିଲା ପାଣ୍ଡିଆନଙ୍କ ଘୋଷିତ ମିଛ ଯୋଜନା।

ଓଡ଼ିଶାର କଳା ଓ ସଂସ୍କୃତିର ସୁରକ୍ଷା ତଥା ଏହାକୁ ଅଧିକ ଆଗକୁ ନେଇ ବିଶ୍ୱ ଦରବାରରେ ପ୍ରଚାର ଓ ପ୍ରସାର କରିବାକୁ ମୁଁ ସର୍ବଦା ଚେଷ୍ଟା କରିବି। ଓଡ଼ିଶାର ସଂସ୍କୃତି ଓ ଐତିହ୍ୟକୁ ଅଧିକରୁ ଅଧିକ ଲୋକାଭିମୁଖୀ କରିବାକୁ ମୁଁ ରାଜ୍ୟ ସରକାରଙ୍କୁ ‘ଓଡ଼ିଆ ଅସ୍ମିତା ଭବନ’ ସ୍ଥାପନର ପ୍ରସ୍ତାବ ଦେଇଛି। ଭବିଷ୍ୟତ କହିବ ଆମ ସରକାର ଓଡ଼ିଶାର ଭାଷା, ସଂସ୍କୃତି, କଳା ଓ ଐତିହ୍ୟର ସୁରକ୍ଷା ପ୍ରତି କେତେ ସଂକଳ୍ପବଦ୍ଧ।

ହକି ଖେଳର ପ୍ରାୟୋଜନ ଏବଂ ବିଶ୍ବକପ୍ ହକି ଆୟୋଜନ ପାଇଁ ତତ୍କାଳୀନ ବିଜେଡି ସରକାର ବିପୁଳ ଅର୍ଥ ବ୍ୟୟ କରିଥିଲେ। ଏହା ସତ୍ତ୍ବେ ଓଡ଼ିଶାରୁ ହକି ଖେଳାଳି ସୃଷ୍ଟି ହୋଇନାହାନ୍ତି। ଏ ବିଷୟରେ ଆପଣଙ୍କ ସମୀକ୍ଷା କ’ଣ?
ଦାୟିତ୍ବ ନେବା ପରେ ମୁଁ ଏହା ଉପରେ ଗୁରୁତ୍ବାରୋପ କରିଥିଲି। କଳିଙ୍ଗ ଷ୍ଟାଡିୟମ୍ ଯାଇ ସମୀକ୍ଷା ମଧ୍ୟ କରିଥିଲି। ଆମେ ଚୁପ୍ ହୋଇ ବସିନାହୁଁ, ଏ ଦିଗରେ ଆବଶ୍ୟକ ଉଦ୍ୟମ ଚାଲିଛି। ଦୁଇ ଦଶନ୍ଧି ତଳେ ଘାସପଡ଼ିଆ ଓ ମାଙ୍କଡ଼ା ପଥର ମାଟିରେ ଓଡ଼ିଆ ପିଲା ହକି ଖେଳୁଥିଲେ। ଜାତୀୟ ଦଳରେ ପାଞ୍ଚରୁ ସାତଜଣ ଖେଳାଳି ସ୍ଥାନ ପାଉଥିଲେ। ଆଜି ଆମ ପାଖରେ କୋଡ଼ିଏରୁ ଊର୍ଦ୍ଧ୍ବ ଆଷ୍ଟ୍ରୋଟ୍ରଫ୍, ହାଇପର୍ଫର୍ମାନ୍ସ୍ ସେଣ୍ଟର୍ ଭଳି ଅତ୍ୟାଧୁନିକ ଅଭ୍ୟାସ ସ୍ଥାନ ରହିଛି। ବିଦେଶୀ ପ୍ରଶିକ୍ଷକମାନେ ରହୁଛନ୍ତି। ହକିର ପ୍ରଚାର ଓ ପ୍ରସାର ପାଇଁ ବିଜେଡି କୋଟି କୋଟି ଟଙ୍କା ଖର୍ଚ୍ଚ କରିଛି। ତଥାପି ଓଡ଼ିଶାରୁ ଅଧିକ ହକି ଖେଳାଳି ବାହାରିଲେନି। ତେଣୁ, କେଉଁଠି ନା କେଉଁଠି ବିଜେଡି ସରକାର ନିଶ୍ଚିତ ଗଡ଼ବଡ଼ କରିଛି। ଏହାର ତଦନ୍ତ ହୋଇ ସତ୍ୟାସତ୍ୟ ପ୍ରକାଶ ପାଇବ।

ଆପଣଙ୍କ ନିର୍ବାଚନ ମଣ୍ଡଳୀରେ ରକ୍ତତୀର୍ଥ ଇରମ୍ ଓ ଲୁଣିଆ ଭଳି ସ୍ବାଧୀନତା ସଂଗ୍ରାମର ସ୍ମାରକୀ ରହିଛି। ଇରମ୍ ଦ୍ବିତୀୟ ଜାଲିଆନ୍ୱାଲାବାଗ୍ ଭାବେ ପରିଚିତ। ଆପଣଙ୍କୁ ଲାଗୁଛି ଓଡ଼ିଶା ଇତିହାସରେ ଏହାର ସଂପୂର୍ଣ୍ଣ ପୃଷ୍ଠଭୂମି ଅନାବୃତ ନହୋଇ ଉପେକ୍ଷିତ ହୋଇଛି?
ରକ୍ତତୀର୍ଥ ଇରମ୍ ଗୁଳିକାଣ୍ଡରେ ୨୯ ଜଣ ଏବଂ ଲୁଣିଆରେ ୯ ଜଣ ସହିଦ ହୋଇଥିଲେ। ଏହା ନିକଟରେ ରହିଛି ତୁଳିଆଗଡ଼ ଏବଂ ଭଣ୍ଡାରୀପୋଖରୀ ମୁକ୍ତି ସଂଗ୍ରାମର ଇତିହାସ। ସେହିପରି ଅସ୍ତରଙ୍ଗ ଓ ସୁଦୂର ନବରଙ୍ଗପୁରର ପାପଡ଼ାହାଣ୍ଡି ମୁକ୍ତି ସଂଗ୍ରାମ ମଧ୍ୟ ସଂପୂର୍ଣ୍ଣ ଭାବେ ଆମ ଦୃଷ୍ଟିଗୋଚର କରାଯାଇନାହିଁ। ଇତିହାସର ସତ୍ୟ ଘଟଣା ଆମକୁ ଅନ୍ଧକାରରୁ ଆଲୋକକୁ ନେଇଯାଏ। ଓଡ଼ିଶାର ଏହି ମୁକ୍ତି ସଂଗ୍ରାମ ଇତିହାସ ସଂପୂର୍ଣ୍ଣ ରୂପେ ଲୋକଲୋଚନକୁ ଅଣା ନଯାଇ ଏକରକମ ଉପେକ୍ଷା କରାଯାଇଛି। ପୂର୍ବ ସରକାରମାନେ ଏଥିପ୍ରତି ଧ୍ୟାନ ଦେଇ ନାହାନ୍ତି। ମୋ ମତରେ ଇତିହାସର ଅର୍ଦ୍ଧସତ୍ୟ ପରିପ୍ରକାଶ ଏକ ମହାଭୁଲ୍। ମୁକ୍ତି ସଂଗ୍ରାମ ଇତିହାସର ସତ୍ୟାସତ୍ୟ ଆମର ଉତ୍ତରପିଢ଼ି ଜାଣିବା ନିତାନ୍ତ ଆବଶ୍ୟକ। ଏ ଦିଗରେ ଆମ ସରକାର ବିଧିବଦ୍ଧ ପଦକ୍ଷେପ ଗ୍ରହଣ କରିବେ।

ଓଡ଼ିଶାର କଳା ସଂସ୍କୃତି, ଭାଷାସାହିତ୍ୟ ଏବଂ ଐତିହ୍ୟର ବିକାଶ ଓ ପ୍ରସାର ପାଇଁ ଆପଣଙ୍କ ସରକାରର ପ୍ରତିବଦ୍ଧତା ନେଇ ବିରୋଧୀ ପ୍ରଶ୍ନ ଉଠାଉଛନ୍ତି। ଏ ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟ କ’ଣ?
ଆମର ପ୍ରତିବଦ୍ଧତା ବିଷୟରେ ଜନସାଧାରଣ ଅବଗତ। ଓଡ଼ିଶାର କଳା ଓ ସଂସ୍କୃତିକୁ ବଂଚାଇ ରଖିବାକୁ ଅହରହ ପ୍ରୟାସ କରୁଥିବା କଳାକାରମାନଙ୍କ ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଳାକାର ସହାୟତା ଯୋଜନା (ଆର୍ଟିଷ୍ଟ ସପୋର୍ଟ ସ୍କିମ୍)ରେ ପ୍ରତ୍ୟେକ ସ୍ବୀକୃତିପ୍ରାପ୍ତ ଏବଂ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କଳାକାରଙ୍କୁ ଠିକ୍ ସମୟରେ କିପରି ଆର୍ଥିକ ଅନୁଦାନ ମିଳିବ ସେଥିପାଇଁ ମୁଁ ପ୍ରତିଶ୍ରୁତିବଦ୍ଧ। ଓଡ଼ିଶାର କଳା ଓ ସଂସ୍କୃତିର ସୁରକ୍ଷା ତଥା ଏହାକୁ ଅଧିକ ଆଗକୁ ନେଇ ବିଶ୍ୱ ଦରବାରରେ ପ୍ରଚାର ଓ ପ୍ରସାର କରିବାକୁ ମୁଁ ସର୍ବଦା ଚେଷ୍ଟା କରିବି। ଓଡ଼ିଶାର ସଂସ୍କୃତି ଓ ଐତିହ୍ୟକୁ ଅଧିକରୁ ଅଧିକ ଲୋକାଭିମୁଖୀ କରିବାକୁ ମୁଁ ରାଜ୍ୟ ସରକାରଙ୍କୁ ‘ଓଡ଼ିଆ ଅସ୍ମିତା ଭବନ’ ସ୍ଥାପନର ପ୍ରସ୍ତାବ ଦେଇଛି। ଭବିଷ୍ୟତ କହିବ ଆମ ସରକାର ଓଡ଼ିଶାର ଭାଷା, ସଂସ୍କୃତି, କଳା ଓ ଐତିହ୍ୟର ସୁରକ୍ଷା ପ୍ରତି କେତେ ସଂକଳ୍ପବଦ୍ଧ। ତୃଣମୂଳ ସ୍ତରରୁ ମୁଁ ଓଡ଼ି

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button