ଦେଶ ବିଦେଶ

ଜାମିଆ ବିଶ୍ୱବିଦ୍ୟାଳୟର ୧୪ ଛାତ୍ରଙ୍କୁ ଅଟକ ରଖିଲା ପୋଲିସ, ଭଙ୍ଗାରୁଜା ସହିତ କ୍ୟାଣ୍ଟିନ ବନ୍ଦ କରି କରୁଥିଲେ ପ୍ରତିବାଦ

ଦିଲ୍ଲୀ ପୋଲିସ ବିଶ୍ବବିଦ୍ୟାଳୟର ପ୍ରଶାସନ ଅଭିଯୋଗ କ୍ରମେ ଜାମିଆ ବିଶ୍ୱବିଦ୍ୟାଳୟର ୧୪ ଜଣ ଛାତ୍ରଙ୍କୁ ଅଟକ ରଖିଛି । ଏହି ଛାତ୍ରମାନେ ସେମାନଙ୍କର ପ୍ରତିବାଦ ସମୟରେ ବିଶ୍ୱବିଦ୍ୟାଳୟ କ୍ୟାଣ୍ଟିନକୁ ବନ୍ଦ କରି ବାହାରେ ବସି ପ୍ରତିବାଦ କରିଥିଲେ ଏବଂ କ୍ୟାଣ୍ଟିନରେ ଭଙ୍ଗାରୁଜା ମଧ୍ୟ କରିଥିଲେ ।

ଖବର ମୁତାବକ, ୨୦୧୯ ମସିହାରେ ଜାମିଆରେ ପୋଲିସ ଗୁଳିର ବିରୋଧ କରି ଦୁଇଜଣ ପିଏଚଡି ଛାତ୍ରଙ୍କ ମୃତ୍ୟୁ ହୋଇଥିଲା । ତେଣୁ ଛାତ୍ରମାନେ ଏମାନଙ୍କ ବାର୍ଷିକୀ ପାଳନ କରିବାକୁ ଚାହୁଁଥିଲେ । କିନ୍ତୁ ବିଶ୍ୱବିଦ୍ୟାଳୟ ପ୍ରଶାସନ ଏହାକୁ ଅନୁମତି ଦେଇ ନଥିଲା । ଏହା ସତ୍ତ୍ୱେ ମଧ୍ୟ ଛାତ୍ରମାନେ ସେମାନଙ୍କର ଅନ୍ୟ ବନ୍ଧୁମାନଙ୍କ ସହିତ ଏକ କାର୍ଯ୍ୟକ୍ରମ ପରିଚାଳନା କରୁଥିଲେ, ଯାହା ପରେ ସେମାନଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଦିଆଯାଇଥିଲା । ଏହି ନୋଟିସର ସନ୍ତୋଷଜନକ ଉତ୍ତର ନ ପାଇବା ପରେ, ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନସ୍ଥ କରିଥିଲା, ଯାହା ପରେ ଏହି ଛାତ୍ରମାନେ ସେଠାରେ ହିଂସାତ୍ମକ ପ୍ରତିବାଦ କରିଥିଲେ ।

ଏହି ପ୍ରଦର୍ଶନ ସମୟରେ ବିଶ୍ୱବିଦ୍ୟାଳୟର ମେୱାତି ଛାତ୍ର ସଂଘର ଛାତ୍ର ଏବଂ ଛାତ୍ରମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା, ଯାହା ପରେ ପୋଲିସ ଏହି ମାମଲାରେ ଏକ ଏଫଆଇଆର ରୁଜୁ କରିଥିଲା । ଏହି ୧୪ ଜଣ ଛାତ୍ରଙ୍କୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ପୋଲିସ ହେପାଜତକୁ ନେଇଛି ।

ଛାତ୍ରମାନେ ପ୍ରଶାସନର “ଛାତ୍ର କାର୍ଯ୍ୟକଳାପ ଉପରେ କଠୋର କାର୍ଯ୍ୟାନୁଷ୍ଠାନ”କୁ ନିନ୍ଦା କରିଥିଲେ । ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ବିଶ୍ୱବିଦ୍ୟାଳୟ ଛାତ୍ରମାନଙ୍କୁ ପ୍ରତିବାଦ ସ୍ଥଳରୁ ହଟାଇବା ପାଇଁ ପୋଲିସ ହସ୍ତକ୍ଷେପ ଅନୁରୋଧ କରିଥିଲା । ବିଶ୍ୱବିଦ୍ୟାଳୟ ପ୍ରଶାସନର ଅନୁରୋଧ କ୍ରମେ ପୋଲିସ ସକାଳ ପ୍ରାୟ ୪ଟାରେ ସେଠାରୁ ୧୦ ରୁ ଅଧିକ ଛାତ୍ରଙ୍କୁ ହଟାଇଥିଲା । ଏହଶଛଡା ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ କ୍ୟାମ୍ପସ ବାହାରେ କଡ଼ା ପୋଲିସ ସୁରକ୍ଷା ବ୍ୟବସ୍ଥା ମୁତୟନ କରାଯାଇଛି ।

ବିଶ୍ୱବିଦ୍ୟାଳୟର ବୟାନରେ କହିଛି ଯେ, ୧୦ ରୁ ଅଧିକ ଛାତ୍ରଙ୍କୁ ଅଟକ ରଖାଯାଇଛି ଏବଂ ଅଧିକ ତଦନ୍ତ ଚାଲିଛି । ଫେବୃଆରୀ ୧୦ ସନ୍ଧ୍ୟାରୁ କିଛି ଛାତ୍ର ଏକାଡେମିକ୍ ବ୍ଲକରେ ବେଆଇନ ଭାବରେ ଏକତ୍ରିତ ହୋଇଥିଲେ ଏବଂ ପ୍ରତିବାଦ ପାଇଁ ଡାକରା ଦେଇଥିଲେ । ସେମିଷ୍ଟର ପରୀକ୍ଷା ଆରମ୍ଭ ହେବାକୁ ଯାଉଥିବା ସମୟରେ ଅନ୍ୟ ଛାତ୍ରଛାତ୍ରୀମାନଙ୍କୁ ଲାଇବ୍ରେରୀ ପ୍ରବେଶ କରିବା ଏବଂ ଶ୍ରେଣୀରେ ଯୋଗଦେବାରୁ ମଧ୍ୟ ବାରଣ କରିଥିଲେ ।
ପ୍ରତିବାଦକାରୀ ଛାତ୍ରମାନେ କେନ୍ଦ୍ରୀୟ କ୍ୟାଣ୍ଟିନ ସମେତ ବିଶ୍ୱବିଦ୍ୟାଳୟ ସମ୍ପତ୍ତିକୁ କ୍ଷତି ପହଞ୍ଚାଇଥିଲେ ଏବଂ ସୁରକ୍ଷା ପରାମର୍ଶଦାତାଙ୍କ କାର୍ଯ୍ୟାଳୟର ଗେଟ୍ ଭାଙ୍ଗି ଦେଇଥିଲେ, ଯାହା ଫଳରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହୋଇଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button