ଓଡିଶା

ଵାୟନାଡ଼ରେ ପୁଲିସ ଡଗ୍ ‘ଷ୍ଟର୍ମ’ର କମାଲ୍: ଚାରି ସ୍ଥାନରେ ଶବ ଚିହ୍ନଟ କଲା

ଟକ: ଵାୟାନାଡ଼ ଭୂସ୍ଖଳନ ପରେ ମାଟି ତଳେ ପୋତି ହୋଇଥିବା ଶବକୁ ଖୋଜୁଛି କ୍ରାଇମବ୍ରାଞ୍ଚ କେ-୯ ଡଗ୍ ‘ଷ୍ଟର୍ମ’। ଚାରିଟି ସ୍ଥାନରେ ଶବ ପୋତିହୋଇ ରହିଥିବା ଷ୍ଟର୍ମ ସଂକେତ ଦେଇଛି। ଏହାପରେ ଜେସିବି ମାଧ୍ୟମରେ ଉକ୍ତ ସ୍ଥାନକୁ ଖୋଳାଯିବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଅନ୍ୟପଟେ ଜୀବନକୁ ବାଜି ଲଗାଇ କ୍ରାଇମବ୍ରାଞ୍ଚ ଟିମ୍ ସେଠାରେ ଅପରେସନ୍‌ରେ ସାମିଲ ହୋଇଥିବା ବେଳେ ଡଗ୍ ମାଷ୍ଟର୍ ଏକ ଗାତରେ ଫସିଯାଇଥିଲେ।

ତାଙ୍କୁ ସେଠାରୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, କେରଳର ଵାୟାନାଡ଼ରେ ଘଟିଥିବା ଭୂସ୍ଖଳନରେ ମାଟି ତଳେ ଶବ ପୋତି ହୋଇଯାଇଥିବାରୁ ଏହାକୁ ଖୋଜିବା ପାଇଁ କ୍ରାଇମବ୍ରାଞ୍ଚ କେ-୯ ସ୍କ୍ବାଡ୍‌ରେ ସର୍ଚ୍ଚ ଏବଂ ରେସ୍‌କ୍ୟୁ ବିଭାଗର ଡଗ୍ ଷ୍ଟର୍ମକୁ ସାମିଲ କରାଯାଇଥିଲା। ମଙ୍ଗଳବାର ଠାରୁ ଅପରେସନ୍ ଆରମ୍ଭ ହୋଇଛି। ଵାୟାନାଡ଼ରେ ଥିବା ଚୋରାଲମାଲା ଅଞ୍ଚଳରେ ବୁଧବାର ସୁଦ୍ଧା ଚାରିଟି ସ୍ଥାନରେ ଶବ ଥିବା ଷ୍ଟର୍ମ ଶୁଂଘି ଜାଣିପାରିଛି।

ସେଠାରେ ଏବେ ତାପମାତ୍ରା ୨୦ ଡିଗ୍ରି ଥିବା ବେଳେ ଲଗାଣ ବର୍ଷା ଏହି ଉଦ୍ଧାର କାର୍ଯ୍ୟକୁ ପ୍ରଭାବିତ କରୁଛି। ଏହାସହିତ ମାଟି ତଳେ ଅନେକ କୂଅ ପୋତି ହୋଇ ରହିଛି। ଯାହାକି ସେଠାରେ ଚଳପ୍ରଚଳ ସମୟରେ ବିପଦ ଅଧିକ ବଢ଼ାଇ ଦେଇଛି। ମଙ୍ଗଳବାର କ୍ରାଇମବ୍ରାଞ୍ଚର ଡଗ୍ ମାଷ୍ଟର ପ୍ରହଲ୍ଲାଦ ନାୟକ ଅଣ୍ଟାଏ ଯାଏ ଏକ ଖାଲରେ ଫସି ଯାଇଥିଲେ। ତାଙ୍କୁ ସେଠାରୁ ତୁରନ୍ତ ଉଦ୍ଧାର କରାଯାଇଥିଲା। ସୌଭାଗ୍ୟବଶତଃ ସେଭଳି କୌଣସି ଅଘଟଣ ଘଟିନାହିଁ। ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ କେ-୯ ସ୍କ୍ବାଡ୍‌ ଜୀବନକୁ ବାଜି ଲଗାଇ ସେନାବାହିନୀ ସହ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି। କ୍ରାଇମବ୍ରାଞ୍ଚ ଆଇଜି ସଫିନ୍ ଅହମ୍ମଦ୍‌ କେ’ଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ କ୍ରାଇମବ୍ରାଞ୍ଚର କେ-୯ ସ୍କ୍ବାଡ୍‌ରେ ଜଣେ ଏସ୍‌ଆଇ, ଜଣେ ଏଏସ୍‌ଆଇ, ଜଣେ ହାବିଲଦାର୍ ଓ ଦୁଇଜଣ କନଷ୍ଟେବଳ ଏହି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, କ୍ରାଇମବ୍ରାଞ୍ଚର କେ-୯ ସ୍କ୍ବାଡ୍‌ ରବିବାର ଟ୍ରେନ୍‌ରେ କେରଳ ଅଭିମୁଖେ ଯାଇଥିଲା। ଏହି ଟିମ୍ ମଙ୍ଗଳବାର ଅପରେସନ୍ ଆରମ୍ଭ କରିଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button