ରାଜନୀତି

ମୁଖ୍ୟମନ୍ତ୍ରୀ ସୁଖୁଙ୍କ ସିଙ୍ଗଡ଼ା ଖାଇଦେଲେ କର୍ମଚାରୀ: ସିଆଇଡି ତଦନ୍ତକୁ ନେଇ ବିବାଦ

ଶିମଲା: ମୁଖରୋଚକ ଖାଦ୍ୟ ପ୍ରତି ଲୋଭ କାହାର ନ ଥାଏ? କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଖାଦ୍ୟ ପ୍ରତି ଲୋଭ କଲେ ସିଆଇଡି ତଦନ୍ତର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ବୋଧହୁଏ ଜଣା ନ ଥିଲା। ଏମିତି ଏକ ଘଟଣା ଘଟିଛି ହିମାଚଳପ୍ରଦେଶ ସିଆଇଡି ମୁଖ୍ୟାଳୟରେ ଅକ୍ଟୋବର ୨୧ ତାରିଖରେ। ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ ପାଇଁ ଆସିଥିବା ସିଙ୍ଗଡ଼ା ଓ କେକ୍କୁ କିପରି ତାଙ୍କ କର୍ମଚାରୀମାନଙ୍କୁ ଦିଆଗଲା ତାହା ଜାଣିବା ପାଇଁ ସିଆଇଡି ତଦନ୍ତ କରିଛି।

ସାଇବର ୱିଙ୍ଗର ନୂତନ ସିଟିଜେନ୍ ଫାଇନାନ୍ସିଆଲ୍ ସାଇବର ଫ୍ରଡ୍ ରିପୋର୍ଟିଂ ଆଣ୍ଡ ମ୍ୟାନେଜମେଣ୍ଟ ସିଷ୍ଟମ୍ (ସିଏଫ୍ଏଫ୍ଆର୍ଏମ୍ଏସ୍) ଷ୍ଟେସନକୁ ଉଦ୍ଘାଟନ କରିବା ପାଇଁ ମୁଖ୍ୟମନ୍ତ୍ରୀ ସିଆଇଡି ମୁଖ୍ୟାଳୟ ପରିଦର୍ଶନ କରିଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ ପରିବର୍ତ୍ତେ ତାଙ୍କ କର୍ମଚାରୀଙ୍କୁ ସିଙ୍ଗଡ଼ା ଓ କେକ୍ ଦିଆଯିବା ପରେ ସିଆଇଡିର ଆଭ୍ୟନ୍ତରୀଣ ତଦନ୍ତ ଆରମ୍ଭ ହୋଇଥିଲା।

ଡିଜିପି ଅତୁଲ ବର୍ମା କହିଛନ୍ତି ଯେ, ଏହି ମାମଲାର ତଦନ୍ତ ପୁଲିସ ମୁଖ୍ୟାଳୟ ଦ୍ୱାରା ନୁହେଁ ବରଂ ସିଆଇଡି ଦ୍ୱାରା କରାଯାଉଛି। ତଦନ୍ତ ରିପୋର୍ଟରେ ଦର୍ଶାଯାଇଛି ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ଶିମଲାର ଲକ୍କର ବଜାରରେ ଥିବା ଏକ ପଞ୍ଚତାରକା ହୋଟେଲରୁ ଖାଦ୍ୟ କିଣିବାକୁ ଜଣେ ଇନ୍ସପେକ୍ଟର ଜେନେରାଲ (ଆଇଜି) ଜଣେ ସବ୍ଇନ୍ସପେକ୍ଟରଙ୍କୁ କହିଥିଲେ। ଏହି ନିର୍ଦ୍ଦେଶ ପରେ ଜଣେ ସହକାରୀ ସବ୍ଇନ୍ସପେକ୍ଟର (ଏଏସ୍ଆଇ) ଓ ଜଣେ ହେଡ୍ କନଷ୍ଟେବଳ ୩ଟି ବାକ୍ସରେ ସିଙ୍ଗଡ଼ା ଓ କେକ୍ ଆଣି ଇନ୍ସପେକ୍ଟର ପାହ୍ୟାର ଜଣେ ମହିଳା ଅଧିକାରୀଙ୍କୁ ଦେଇଥିଲେ। ଏହି ଅଧିକାରୀ ଜିନିଷଗୁଡ଼ିକ କାହା ପାଇଁ ଆସିଛି ନ ଜାଣି ବାକ୍ସଗୁଡ଼ିକୁ ଜଣେ ବରିଷ୍ଠ ଅଧିକାରୀଙ୍କ କୋଠରିରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ କେକ୍ ଓ ସିଙ୍ଗଡ଼ା ସିଆଇଡି ମୁଖ୍ୟାଳୟର କର୍ମଚାରୀମାନେ ଖାଉଥିବା ଦେଖିବାକୁ ମିଳିଥିଲା। ଏଏସ୍ଆଇ ସାକ୍ଷ୍ୟ ଦେଇ କହିଛନ୍ତି ଯେ ଏହି ବାକ୍ସଗୁଡ଼ିକ ଜଣେ ସବ୍ଇନ୍ସପେକ୍ଟର ଓ ଜଣେ ହେଡ୍ କନଷ୍ଟେବଳଙ୍କ ଦ୍ୱାରା ଖୋଲାଯାଇଥିଲା। କୋଠରିରେ ପ୍ରାୟ ୧୦-୧୨ ଜଣଙ୍କୁ ଚା’ ସହ ଖାଦ୍ୟ ଦିଆଯାଇଥିଲା। ଅଜାଣତରେ ଏହି ଜିନିଷଗୁଡ଼ିକ ମୁଖ୍ୟମନ୍ତ୍ରୀଙ୍କ ବଦଳରେ ତାଙ୍କ କର୍ମଚାରୀଙ୍କୁ ପ୍ରଦାନ କରାଯାଇଥିଲା। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ସୁଖୁ ଏହି ମାମଲାରେ ସଫେଇ ଦେଇ କହିଛନ୍ତି ଯେ ସିଙ୍ଗଡ଼ା ଖାଇବା ମାମଲାରେ ନୁହେଁ, କିଛି ଅଧିକାରୀଙ୍କ ଖରାପ ବ୍ୟବହାରର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button