ଭାଣିଜିକୁ ଚୁନ ଲଗାଇଲା ମାମୁ: ରେଳବାଇ ଚାକିରି ନାଁରେ ୧୩ ଲକ୍ଷ ଚଳୁ – Utkal Mail
ଭୁବନେଶ୍ବର: ରେଳବାଇରେ ଚାକିରି କରାଇବାର ଲୋଭ ଦେଖାଇ ୧୩ ଲକ୍ଷ ଟଙ୍କା ଠକି ନେଇଛି ଧୂର୍ତ୍ତ। ବଡ଼ କଥା ହେଉଛି, ଧୂର୍ତ୍ତଜଣଙ୍କ ଅନ୍ୟ କାହାକୁ ଠକିନି, ଠକିଛି ନିଜ ଭାଣିଜିକୁ। ମାମୁକୁ ବିଶ୍ବାସ କରି ଭାଣିଜି ୧୩ ଲକ୍ଷ ଟଙ୍କା ହରାଇଛି। ଏଭଳି ଏକ ବିଚିତ୍ର ଅଭିଯୋଗ ପାଇବା ପରେ ବଡ଼ଗଡ଼ ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି। ଧୂର୍ତ୍ତ ଜଣଙ୍କ ଠକାମିର ଶିକାର ହୋଇଥିବା ଯୁବତୀଙ୍କ ସମ୍ପର୍କୀୟ ମାମୁ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।
ସୂଚନା ମୁତାବକ ଅଭିଯୁକ୍ତ ମାମୁ ହେଉଛି ଅଜୟ କୁମାର ନାୟକ। ସେ ବଡ଼ଗଡ଼ ଓମ୍ଶ୍ରୀ ସାଇନଗର ଅଞ୍ଚଳରେ ରହୁଥିବା ଭାଣିଜି ସୁଭଦ୍ରା ସାହୁଙ୍କ ଘରକୁ ନିୟମିତ ବ୍ୟବଧାନରେ ଆସୁଥିଲା। ତା’ର ରେଲ୍ୱେର କିଛି ବଡ଼ ଅଧିକାରୀଙ୍କ ସହ ଘନିଷ୍ଠ ସମ୍ପର୍କ ଥିବା କଥା କହୁଥିଲା। ଏମିତିକି ସେ କିଛି ବେକାର ପିଲାଙ୍କୁ ରେଲ୍ୱରେ ଚାକିରି କରାଇଦେଇଥିବା କହିଥିଲା। ଏଥିପାଇଁ ଟଙ୍କା ଦେବାକୁ ପଡ଼ୁଛି ବୋଲି ସେ କହିଥିଲା। ଏସବୁ ଶୁଣିବା ପରେ ଭାଣିଜି ସୁଭଦ୍ରା ତା’ ପାଇଁ ଚାକିରିଟିଏ ଯୋଗାଡ଼ କରିବାକୁ କହିଥିଲେ। ଆବଶ୍ୟକ ଟଙ୍କା ଦେବାକୁ ମଧ୍ୟ ସେ ରାଜି ହୋଇଥିଲେ। କିଛି ଦିନ ପରେ ଧୂର୍ତ୍ତ ଅଜୟ ରେଳବାଇରେ ଟିକେଟ୍ କଲେକ୍ଟର(ଟିସି) ପଦବି ବାହାରିଛି ଏବଂ ୧୩ ଲକ୍ଷ ଟଙ୍କା ଦେଲେ, ଚାକିରି ପକ୍କା ବୋଲି ଲୋଭ ଦେଖାଇଥିଲା। ମାମୁ କଥାରେ ଭଳିଯାଇ ସୁଭଦ୍ରା ତାଙ୍କ ସ୍ବାମୀ ବିକାଶ ସାହୁଙ୍କ ସହ ଆଲୋଚନା କରି ୧୩ ଲକ୍ଷ ଟଙ୍କା ଗଣିଦେଇଥିଲେ। ଟଙ୍କା ହାତେଇବା ପରେ ଅଜୟର ନାଲି ଆଖି ଦେଖିବାକୁ ମିଳିଥିଲା। ଠକାମିର ଶିକାର ହେବା ନିଶ୍ଚିତ ହେବା ପରେ ସୁଭଦ୍ରାଙ୍କ ସ୍ବାମୀ ବିକାଶ ସାହୁ ବଡ଼ଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।