ଦେଶ ବିଦେଶ

୨୫୦ ପଣବନ୍ଦୀଙ୍କୁ ଛଡ଼ାଇଲା ଇସ୍ରାଏଲ, ୧୩ ବନ୍ଧକ ନିହତ ହୋଇଥିବା ହମାସର ଦାବି – Utkal Mail


ତେଲ ଅଭିଭ୍ : ଗାଜାରେ ଥିବା ହାମାସ ଟାର୍ଗେଟ ଉପରେ ଇସ୍ରାଏଲର ଆକ୍ରମଣ ଜାରି ରହିଛି । ଇସ୍ରାଏଲ ବାୟୁସେନା ପକ୍ଷରୁ ଏପର୍ଯ୍ୟନ୍ତ ଗାଜାରେ ଥିବା ପ୍ରାୟ ୩୬୦୦ ଟାର୍ଗେଟକୁ ଧ୍ବଂସ କରିଛି । ଏହି ଆକ୍ରମଣରେ ଏପର୍ଯ୍ୟନ୍ତ ୬୦ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ଓ ହମାସ କବଳରେ ଥିବା ୨୫୦ ପଣବନ୍ଦୀଙ୍କୁ ଉଦ୍ଧାର କରାଯାଇଛି । ଏହି ପଣବନ୍ଦୀମାନଙ୍କୁ ହମାସ ପକ୍ଷରୁ ଗତ ସପ୍ତାହରେ ହୋଇଥିବା ଆକ୍ରମଣ ବେଳେ ଅପହରଣ କରାଯାଇଥିଲା । ଇସ୍ରାଏଲ ଆକ୍ରମଣରେ ଏପର୍ଯ୍ୟନ୍ତ ୧୫୦୦ରୁ ଅଧିକ ପାଲେଷ୍ଟାଇନ୍ ନାଗରିକ ନିହତ ହୋଇଛନ୍ତି। ସେହିପରି ହାମାସର ଆକ୍ରମଣରେ ୧୩୦୦ ଇସ୍ରାଏଲୀ ପ୍ରାଣ ହରାଇଛନ୍ତି।

ସେପଟେ ଆତଙ୍କବାଦୀ ସଂଗଠନ ହମାସ ଏକ ବଡ ଦାବି କରିଛି । ଇସ୍ରାଏଲ ବୋମାମାଡ଼ରେ ୧୩ ଜଣ ବନ୍ଧକ ନିହତ ହୋଇଥିବା ହାମାସ କହିଛି। ହାମାସ କହିଛି ଯେ ଗାଜା ଉପତ୍ୟକାରେ ଇସ୍ରାଏଲର ପ୍ରବଳ ବୋମାମାଡ଼ରେ ପ୍ରାଣ ହରାଇଥିବା ୧୩ ଜଣ ବନ୍ଧକଙ୍କ ମଧ୍ୟରେ ବିଦେଶୀ ନାଗରିକ ମଧ୍ୟ ଅଛନ୍ତି।

ଗାଜା ଉପତ୍ୟକାରେ ଇସ୍ରାଏଲରୁ ବହୁ ସଂଖ୍ୟକ ଟ୍ୟାଙ୍କର ଓ ଟ୍ରକ୍ ଗାଜା ସୀମାରେ ପହଞ୍ଚୁଛନ୍ତି। ଇସ୍ରାଏଲ ଉତ୍ତର ଗାଜାରୁ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ୨୪ ଘଣ୍ଟିଆ ଅଲଟିମେଟମ ଦେଇସାରିଛି । ଉତ୍ତର ଗାଜାରୁ ଦକ୍ଷିଣକୁ ଯିବା ପାଇଁ ଇସ୍ରାଏଲ ଗାଜା ଉପତ୍ୟକାର ଲୋକଙ୍କୁ ଯେଉଁ ସମୟସୀମା ଦେଇଥିଲା, ତାହା ଶେଷ ହୋଇଆସୁଛି । ତାହା ପରେ ଇସ୍ରାଏଲ ଉତ୍ତର ଗାଜା ଉପରେ ପ୍ରବଳ ଆକ୍ରମଣ କରିବା ଆଶଙ୍କା କରାଯାଉଛି । ଇସ୍ରାଏଲ ସେନା ଗାଜା ସୀମା ଅତିକ୍ରମ କରି ଯେ କୌଣସି ସମୟରେ ଗାଜା ଷ୍ଟ୍ରିପ୍ ରେ ପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛି ।

 




Related Articles

Leave a Reply

Your email address will not be published. Required fields are marked *

Back to top button