ସୋରସ୍ଙ୍କ ସହ କଂଗ୍ରେସର ଘନିଷ୍ଠ ସଂପର୍କ: ବିଜେପି

ନୂଆଦିଲ୍ଲୀ: ଭାରତ ବିରୋଧରେ ଲଗାତାର ଷଡ୍ଯନ୍ତ୍ର କରୁଥିବା ବିଶ୍ବର ଅନ୍ୟତମ ବିଲିୟନେୟାର ତଥା ‘ଓପନ୍ ସୋସାଇଟି’ର ଅଧ୍ୟକ୍ଷ ଜର୍ଜ ସୋରସ୍ଙ୍କ ସହ କଂଗ୍ରେସ ପାର୍ଟିର ଘନିଷ୍ଠ ସଂପର୍କ ରହିଛି ବୋଲି ଆଜି ବିଜେପି ଦାବି କରିଛି। ସୋରସ୍ଙ୍କ ପାଣ୍ଠିରେ ଚାଲିଥିବା ଏନ୍ଜିଓ ଏଫ୍ଡିଏଲ୍-ଏପି ଫାଉଣ୍ଡେସନର ସହ-ଅଧ୍ୟକ୍ଷ ଭାବେ ସୋନିଆ ଗାନ୍ଧୀ ରହିଛନ୍ତି ଏବଂ ଏହି ସଂସ୍ଥା ଭାରତ ବିରୋଧୀ ଆଭିମୁଖ୍ୟ ଦ୍ବାରା ପରିଚାଳିତ ବୋଲି ବିଜେପି କହିଛି। ଗୋଟିଏ ପଟେ ସୋରସ୍ଙ୍କ ସହାୟତାରେ ଚାଲିଥିବା ସଂଗଠନରେ ସୋନିଆ କାର୍ଯ୍ୟକର୍ତ୍ତା ଥିବା ବେଳେ ଅନ୍ୟପକ୍ଷରେ ତାଙ୍କ ପୁଅ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋରସ୍ଙ୍କ ଭାରତ ବିରୋଧୀ ଚିନ୍ତାଧାରା ସହ ତାଳ ମିଳାଇ କାମ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।
ଆଜି, ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଏକ ପୋଷ୍ଟ୍ କରି କହିଛନ୍ତି ରାହୁଲ ଗାନ୍ଧୀ ଓ ସୋରସ୍ଙ୍କ ମଧ୍ୟରେ ସମ୍ପର୍କକୁ ନେଇ ସେ ଲୋକସଭାରେ ୧୦ଟି ପ୍ରଶ୍ନ ପଚାରିବେ। ଜର୍ଜ ସୋରସ୍ ଫାଉଣ୍ଡେସନର ସହଯୋଗୀ ସଂଗଠନ ଡେମୋକ୍ରାଟିକ୍ ଲିଡର୍ସ ଇନ୍ ଏସିଆ ପାସିଫିକ୍ (ଏଫ୍ଡିଏଲ-ଏପି)ର ସହ-ଅଧ୍ୟକ୍ଷ ଭାବେ ସୋନିଆ ଗାନ୍ଧୀଙ୍କ ଦାୟିତ୍ବ ସଂପର୍କରେ କେତେକ ପ୍ରମାଣ ଏହି ପୋଷ୍ଟରେ ବିଜେପି ଉଲ୍ଲେଖ କରିଛି। ରାଜୀବ ଗାନ୍ଧୀ ଫାଉଣ୍ଡେସନ୍ର ଅଧ୍ୟକ୍ଷା ଭାବେ ମଧ୍ୟ ସୋନିଆ ସରୋସ୍ ଫାଉଣ୍ଡେସନ୍ ସହ ତାଳମେଳ ରଖି ଆର୍ଥିକ ସହାୟତା ପାଉଛନ୍ତି। ଏଫ୍ଡିଏଲ୍-ଏପି ସଂଗଠନ କଶ୍ମୀରକୁ ଏକ ଭିନ୍ନ ରାଷ୍ଟ୍ର ବୋଲି କହିଆସୁଛି। ଏଭଳି ଏକ ସଂଗଠନ ସହ ସୋନିଆଙ୍କ ନିବିଡ଼ ସମ୍ପର୍କ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ବିଦେଶୀ ଶକ୍ତିର ହସ୍ତକ୍ଷେପ ବୋଲି ବିଜେପି କହିଛି। ସେହିଭଳି କଂଗ୍ରେସ ସାଂସଦ ଶଶୀ ଥରୁର ମଧ୍ୟ ଜର୍ଜ ସୋରସ୍ଙ୍କୁ ଜଣେ ‘ପୁରାତନ ବନ୍ଧୁ’ ବୋଲି ସ୍ବୀକାର କରିଥିବା ବିଜେପି କହିଛି।