ରାଜନୀତି

ସୋରସ୍‌, ଆଦାନୀ ପ୍ରସଙ୍ଗରେ ଗୃହ କମ୍ପିଲା: ଆସିପାରେ ଏକ ରାଷ୍ଟ୍ର, ଏକ ନିର୍ବାଚନ ବିଲ୍‌

ନୂଆଦିଲ୍ଲୀ: ସଂସଦରେ ଶୀତ ଅଧିବେଶନର ଆଜି ଥିଲା ଦ୍ବାଦଶ ଦିନ। ଦ୍ବାଦଶ ଦିନରେ ମଧ୍ୟ ଉଭୟ ଗୃହରେ ଅଚଳାବସ୍ଥା ଦେଖାଦେଇଛି। ସରକାରୀ ଦଳର ସଦସ୍ୟମାନଙ୍କ ପକ୍ଷରୁ ଜର୍ଜ‌୍ ସୋରସ୍‌ -କଂଗ୍ରେସ ଲିଙ୍କ୍‌ ଏବଂ ବିରୋଧୀ ସଦସ୍ୟଙ୍କ ପକ୍ଷରୁ ମୋଦୀ-ଆଦାନୀ ସଂପର୍କ ପ୍ରସଙ୍ଗରେ ଉଭୟ ଗୃହ କମ୍ପିଛି। ଇଣ୍ଡି ମେଣ୍ଟର ନେତାମାନେ ଆଜି ଆଦାନୀ ପ୍ରସଙ୍ଗରେ ସଂସଦ ଭବନ ପରିସରରେ ଆନ୍ଦୋଳନ କରିଛନ୍ତି ଏବଂ ଏହି ମାମଲାରେ ସେମାନେ ଜେପିସି ତଦନ୍ତ ଦାବି କରିଛନ୍ତି। କଂଗ୍ରେସ ମଧ୍ୟ ଭାରତ-ଚୀନ୍‌ ସମ୍ପର୍କ ଉପରେ ଏକ ବିସ୍ତୃତ ଆଲୋଚନା ପାଇଁ ଦାବି କରିଛି। ଲୋକସଭାରେ ବିରୋଧୀ ସାଂସଦମାନେ ପ୍ରଶ୍ନ କାଳରେ ବିଭିନ୍ନ ପ୍ରସଙ୍ଗ ଉଠାଇ ହୋହଲ୍ଲା କରିଥିଲେ। ଫଳରେ ଗୃହକାର୍ଯ୍ୟ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରହିଥିଲା। ଏହାପରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲେ ସୁଦ୍ଧା ପୁଣିଥରେ ସମାନ ସ୍ଥିତି ଉପୁଜିବାରୁ ବାଚସ୍ପତି ଓମ୍‌ ବିର୍ଲା ବିରୋଧୀ ସଦସ୍ୟଙ୍କ ବ୍ୟବହାରକୁ ବିରୋଧ କରିଥିଲେ ଏବଂ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏବଂ ପରେ ସଂପୂର୍ଣ୍ଣ ଦିନ ପାଇଁ ଗୃହକାର୍ଯ୍ୟ ମୁଲତବୀ ରଖିଥିଲେ।

ରାଜ୍ୟସଭାରେ ମଧ୍ୟ ପ୍ରବଳ ହୋହଲ୍ଲା ହୋଇଥିଲା। ଶୀର୍ଷ କଂଗ୍ରେସ ନେତାମାନେ ଭାରତ ବି‌ରୋଧରେ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଶୀର୍ଷ କଂଗ୍ରେସ ନେତାମାନେ ଜର୍ଜ‌୍ ସୋରସ୍‌ଙ୍କ ସହ ଲିଙ୍କ୍‌ରେ ଥିବା କହିଛି। ରାଜ୍ୟସଭାରେ ଶାସକ ଦଳ ସାଂସଦମାନେ କଂଗ୍ରେସ ପାର୍ଟି ଏବଂ ଜର୍ଜ‌୍ ସୋରସ୍‌ ଲିଙ୍କ୍‌ ସଂକ୍ରାନ୍ତରେ ଆଲୋଚନା ପାଇଁ ଦାବି କରିଥିଲେ। ରାଜ୍ୟସଭାରେ ଗୃହର ନେତା ଜେପି ନଡ୍ଡା ଅଭିଯୋଗ କରିଛନ୍ତି ଯେ ଦେଶରେ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ବାହିନୀର କଂଗ୍ରେସ ଏକ ଅସ୍ତ୍ର ପାଲଟିଛି। କିନ୍ତୁ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଶ୍ରୀ ନଡ୍ଡାଙ୍କର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଖଡ଼ଗେ କହିଛନ୍ତି, ବାସ୍ତବ ପ୍ରସଙ୍ଗରୁ ନଜର ହଟାଇବାପାଇଁ ବିଜେପି ଯେଉଁ ଷଡ଼ଯନ୍ତ୍ର କରୁଛି ତାହା ହୋଇପାରିବନି। ବାସ୍ତବ ପ୍ରସଙ୍ଗରୁ ଦେଶବାସୀଙ୍କ ନଜର ହଟିବନି ବୋଲି ଖଡ଼ଗେ କହିଛନ୍ତି। ବାରମ୍ବାର ଗୃହ କାର୍ଯ୍ୟରେ ବାଧା ଉପୁଜିବାରୁ ଦିନକ ପାଇଁ ଗୃହ ମୁଲତବୀ ରଖାଯାଇଛି।

ଅନ୍ୟପକ୍ଷେ ଚଳିତ ଅଧିବେଶନରେ ସରକାର ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ବିଲ୍‌ ଆଗତ କରିପାରନ୍ତି। ଏକ ରାଷ୍ଟ୍ର ଏକ ନିର୍ବାଚନ ସଂକ୍ରାନ୍ତ ରାମନାଥ କୋବିନ୍ଦଙ୍କ କମିଟି ରିପୋର୍ଟକୁ କ୍ୟାବିନେଟ୍‌ ସ୍ବୀକୃତି ପ୍ରଦାନ କରିଛନ୍ତି। ସରକାର ଏହି ବିଲ୍‌ ଉପରେ ବୁଝାମଣା ଚାହୁଛନ୍ତି ଏବଂ ଜେପିସିକୁ ପଠାଇ ଏକ ବିସ୍ତୃତ ଆଲୋଚନା ଚାହାନ୍ତି। ଏଥିସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବିଧାନ ପ୍ରସଙ୍ଗ ଉପରେ ହେବାକୁ ଥିବା ଆଲୋଚନାରେ ଆସନ୍ତା ୧୪ ତାରିଖରେ ଲୋକସଭାରେ ଏବଂ ୧୭ ତାରିଖରେ ରାଜ୍ୟସଭାରେ ଉତ୍ତର ରଖିପାରନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button